ଗାଁ ଜମି ନ ଫେରାଇଲେ ଆନ୍ଦୋଳନ: ସୁର

ଖୋର୍ଦ୍ଧା ଅଫିସ,୪।୧: ଗାଁ ସଂସ୍କୃତି ଓ ପରମ୍ପରା ସମାଜକୁ ଉଜ୍ଜୀବିତ କରିଥାଏ। ତେବେ ଗାଁ ଜମି, ଖେଳପଡ଼ିିଆ, ଶ୍ମଶାନ ଜମି, ମେଲଣ ପଡ଼ିିଆ ଉପରେ ରାଜ୍ୟ ସରକାରଙ୍କ ଦୃଷ୍ଟି ପଡ଼ିିଛି। ସରକାର କମ୍‌ ମୂଲ୍ୟରେ ଏସବୁକୁ ଇଡ୍‌କୋ ହାତକୁ ଟେକି ଦେଇଛନ୍ତି। ୩ଲକ୍ଷ ଟଙ୍କାରେ କିଣି ଇଡ୍‌କୋ ୫କୋଟିରେ ବିକୁଛି। ଗାଁ ଜମି ଏବେ ଅଣଓଡ଼ିଆଙ୍କ କବ୍‌ଜାରେ ରହିଛି। ଖେଳପଡ଼ିଆ ନ ରହିଲେ, ପିଲାମାନେ ଖେଳିବେ କେଉଁଠି। ସେହିପରି ମେଲଣ ପଡ଼ିଆ ନ ରହିଲେ, ଗ୍ରାମ ଠାକୁର କେଉଁଠି ବସିବେ ବୋଲି କଂଗ୍ରେସ ଖୋର୍ଦ୍ଧା ଜିଲା ସଭାପତି ତଥା ଜଟଣୀ ବିଧାୟକ ସୁରେଶ ରାଉତରାୟ କହିଛନ୍ତି। ଜାନକୀ ବଲ୍ଲଭ ପଟ୍ଟନାୟକ ସ୍ମୃତି କମିଟି ପକ୍ଷରୁ ରବିବାର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ଜାନକୀ ବଲ୍ଳଭ ପଟ୍ଟନାୟକଙ୍କ ୯୪ତମ ଜୟନ୍ତୀ ଉତ୍ସବରେ ଅତିଥି ଭାବେ ଯୋଗଦେଇ ବିଧାୟକ ସୁର କହିଲେ ଯେ, ଖୋର୍ଦ୍ଧା ଜିଲାର ଅର୍ଦ୍ଧାଧିକ ଜମିକୁ ରାଜ୍ୟ ସରକାର ଇଡ୍‌କୋ ହାତକୁ ଟେକି ଦେଇଛନ୍ତି। ଗାଁ ଚାରିଆଡେ ଇଡ୍‌କୋ ପାଚେରି ନିର୍ମାଣ କରୁଛି। ଏଣିକି ଇଞ୍ଚେ ଜମି ଦିଆଗଲେ ଆଉ ବରଦାସ୍ତ କରାଯିବ ନାହିଁ। ମାର୍ଚ୍ଚ ୧ ସୁଦ୍ଧା ସରକାର ନେଇଥିବା ଗାଁ ଜମିକୁ ନ ଫେରାଇଲେ ଭୁବନେଶ୍ୱରରେ ଆନ୍ଦୋଳନ ହେବ। ୨୦ ହଜାରରୁ ଊର୍ଦ୍ଧ୍ୱ କର୍ମୀ ବିଧାନସଭା ଘେରାଉ କରିବେ ବୋଲି ବିଧାୟକ ରାଉତରାୟ ଚେତାବନୀ ଦେଇଛନ୍ତି।
ସେହିପରି ସେ କହିଛନ୍ତି, ବରୁଣେଇ ପାଦଦେଶରେ ପାଇକ ସ୍ମାରକୀ ନିର୍ମାଣ ଲାଗି ରାଷ୍ଟ୍ରପତି ଶୁଭ ଦେବା ପରେ ମଧ୍ୟ ଏପର୍ଯ୍ୟନ୍ତ କାର୍ଯ୍ୟ ଆରମ୍ଭ ହୋଇନାହିଁ। ୧୦ ଏକର ଜମି ସରକାର ଦେଇପାରିଲେ ନାହିଁ। ତେଣୁ ପ୍ରସ୍ତାବିତ ସ୍ମାରକୀ କାମ ଅଟକି ରହିଛି। ବେଲପଡ଼ାରେ ୧୦ ଏକର ଜମି ରହିଛି। ଜିଲା ପ୍ରଶାସନ ଏଦିଗରେ ତପତ୍ରତା ଦେଖାଇବା ଉଚିତ। ବରୁଣେଇ ପାହାଡ଼ର ୫୦ ଭାଗ ଜମିକୁ ସରକାର ଅଣଓଡ଼ିଆଙ୍କୁ ଟେକି ଦେଲେଣି। ସେହିପରି ସାରୁଅଠାରୁ ଆରମ୍ଭ କରି କୁମାରବସ୍ତ ଜଙ୍ଗଲ ଜମିକୁ ଇଡ୍‌କୋକୁ ଶାଗମାଛ ଦରରେ ସରକାର ଦେଇଛନ୍ତି। ଇଡ୍‌କୋ ଏହାକୁ କୋଟି କୋଟି ଟଙ୍କାରେ ଅଣଓଡ଼ିଆଙ୍କୁ ବିକ୍ରି କରୁଛି। ଆମେ ବଂଶାନୁକ୍ରମେ ଗ୍ରାମରେ ରହିଆସୁଛୁ। ଆମ ଜମି ଚାଲିଗଲେ ଆମେ କୁଆଡ଼େ ଯିବୁ ବୋଲି ବିଧାୟକ ରାଉତରାୟ ପ୍ରଶ୍ନ କରିଛନ୍ତି। ଛତାବରରେ ୬ଶହ ଏକର, ଖୁଦୁପୁର, ତରାବୋଇର ଶ୍ମଶାନ, ଖେଳପଡ଼ିଆ ଓ ମେଲଣ ପଡ଼ିଆ ଜମିକୁ ମଧ୍ୟ ସରକାର ବିକ୍ରି କରିବାକୁ ବସିଛନ୍ତି। ଏହାକୁ ଆଉ ବରଦାସ୍ତ କରାଯିବ ନାହିଁ। ଏହା ବିରୋଧରେ ଲଢେଇ ହେବ। ଅନ୍ୟପକ୍ଷରେ ସେ ଜଟଣୀ ନିର୍ବାଚନମଣ୍ଡଳୀରେ ୨୪ଘଣ୍ଟିଆ ପାନୀୟଜଳ ବ୍ୟବସ୍ଥା ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାଧୁବାଦ ଜଣାଇ କହିଥିଲେ, ମୁଖ୍ୟମନ୍ତ୍ରୀ କାମିକା ଲୋକ। ତାଙ୍କ ମୁଣ୍ଡରେ ପୂରେଇବାକୁ ପଡ଼ିିବ। ତାଙ୍କ ପାଖ ଲୋକଙ୍କୁ ତେଲ ମାରିବାକୁ ପଡ଼େ। ମୁଖ୍ୟମନ୍ତ୍ରୀ ମୋର ଅନୁରୋଧ ରଖି ୭ମାସ ମଧ୍ୟରେ ପାନୀୟଜଳ ବ୍ୟବସ୍ଥା କରିଦେଲେ ବୋଲି ରାଉତରାୟ କହିଛନ୍ତି। ସ୍ମୃତି କମିଟି ସମ୍ପାଦକ ସଞ୍ଜୟ ପଟ୍ଟନାୟକଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଖୋର୍ଦ୍ଧା ବିଧାୟକ ଜ୍ୟୋତିରୀନ୍ଦ୍ର ନାଥ ମିତ୍ର, ଶିକ୍ଷାବିତ୍‌ କ୍ଷୀରୋଦ ମହାନ୍ତି, ପୂର୍ବତନ ବିଧାୟକ ଦିଲୀପ ହରିଚନ୍ଦନ ପ୍ରମୁଖ ଉପସ୍ଥିତ ଥିଲେ।