Categories: ଫୁରସତ

ବୁଲା ଜୀବଜନ୍ତୁଙ୍କ ମା’ ପୁଷ୍ପଲତା

ବୁଲା କୁକୁରଙ୍କଠାରୁ ଆରମ୍ଭକରି ମାଙ୍କଡ଼ଙ୍କ ପର୍ଯ୍ୟନ୍ତ ତାଙ୍କ ଆସିବାକୁ ଅପେକ୍ଷା କରିଥାନ୍ତି। କେତେବେଳେ ଆସିବେ ଓ ସେମାନଙ୍କୁ ଖାଇବାକୁ ଦେବେ। ବାହାରେ ବୁଲୁଥିବା ଜୀବଜନ୍ତୁଙ୍କୁ ପ୍ରତିଦିନ କିଛି ନା କିଛି ଖାଦ୍ୟ ଖାଇବାକୁ ଦେବାରେ ଆନନ୍ଦ ପାଉଥିବା ଏହି ମହିଳା ହେଲେ ପୁଷ୍ପଲତା ମହାପାତ୍ର। ସେ କୁହନ୍ତି, ମୋ ବାପଘର କଟକ ବାଙ୍କୀ ବୈଦେଶ୍ୱର ଥାନା ଅନ୍ତର୍ଗତ ରଜିବ ଗାଁରେ, ମାତ୍ର ଶାଶୁଘର କଳାପଥର ତଳସାହିରେ। କିନ୍ତୁ ସ୍ଥାନୀୟ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରରେ ପ୍ରଧାନ ଶିକ୍ଷୟିତ୍ରୀ ଭାବେ କାର୍ଯ୍ୟ ତୁଲାଉଛି। ପିଲାଦିନେ କାଉ, ବଣି ଓ ଗୋରୁଙ୍କୁ କିଛି କିଛି ଖାଦ୍ୟ ଦେଉଥିଲି। ଥରେ ଶାଶୁଘର ଛାତ ଉପରକୁ ଯାଇ ଦେଖିଲି ଗୋଟିଏ ମାଙ୍କଡ଼ ଚୁପ୍‌ଚାପ୍‌ ବସି ମୋ ଆଡ଼କୁ ବଲବଲ ହୋଇ ଅନାଉଥାଏ। ପ୍ରଥମେ ଟିକେ ଡର ଲାଗୁଥିଲା, ମାତ୍ର ତା’ପରେ ମନରେ ସାହସବାନ୍ଧି ଘରୁ ଗୋଟିଏ କଦଳୀ ଆଣି ସେଠାରେ ସେହି ମାଙ୍କଡ଼କୁ ଦେଇଥିଲି ।

ଏହା ପରଠାରୁ ଆଉ କେତୋଟି ମାଙ୍କଡ଼ ଆସିଲେ ତା’ପରଦିନ ଅଧିକ କିଛି ଫଳ ଆଣି ମାଙ୍କଡ଼ମାନଙ୍କୁ ଦେଇଥିଲି। ଏମିତି କିଛିଦିନ ଫଳ ଓ ବିସ୍କୁଟ ମାଙ୍କଡ଼ଙ୍କୁ ଦେବା ମୋର ନିତିଦିନିଆ ଅଭ୍ୟାସ ହୋଇଗଲା। ଏଥିଯୋଗୁ ମାଙ୍କଡ଼ଙ୍କୁ ଦେଖିଲେ ମତେ ଆଉ ଭୟ ଲାଗିଲା ନାହିଁ। ସେମାନଙ୍କୁ ଡାକିଲାମାତ୍ରେ ସେମାନେ ପାଖକୁ ଆସନ୍ତି। ଧୀରେ ଧୀରେ ସେମାନଙ୍କୁ ନିଜର କରିବାରେ ସିଦ୍ଧହସ୍ତ ହୋଇଗଲି। ଏପରି କି ଘରୁ ଯେତେବେଳେ ବିଦ୍ୟାଳୟକୁ ଯାଇଥାଏ ମୋ ବ୍ୟାଗରେ କିଛି ବିସ୍କୁଟ ଓ କେତୋଟି ପିଜୁଳି ରଖିତ୍ଥାଏ। ତାହାକୁ ଯିବାଆସିବା ବାଟରେ ଯଦି ମାଙ୍କଡ଼ ତଥା ଅନ୍ୟ କୌଣସି ଜୀବଜନ୍ତଙ୍କୁ ଦେଖେ ସେଠାରେ ତାଙ୍କୁ ଖାଇବାକୁ ଦେଇଥାଏ। ଏବେ ପ୍ରତିଦିନ ଘର ଛାତକୁ ବହୁ ସଂଖ୍ୟାରେ ମାଙ୍କଡ଼ ଆସୁଛନ୍ତି। ସେମାନଙ୍କୁ ରାମୁ ନାମରେ ଡାକିଲେ ଯିଏ ଯେଉଁଠି ଥାନ୍ତି ଦୌଡ଼ି ଆସି ପାଖରେ ପହଞ୍ଚି ଯାଆନ୍ତି। ଏ ଦୃଶ୍ୟ ଦେଖିବା ପାଇଁ ଦେଖଣାହାରୀଙ୍କର ବେଶ୍‌ ଭିଡ଼ ଜମେ । ସେମାନେ ମୋ ପାଖରେ ବସନ୍ତି, ଖେଳନ୍ତି, ହାତରୁ ବାଦାମ, କଦଳୀ, ବିସ୍କୁଟ, ଚଣା ଆଦି ଖାଦ୍ୟନେଇ ଖାଆନ୍ତି। ଏମାନେ ଜଙ୍ଗଲୀ ଜୀବଜନ୍ତୁ ହେଲେ ମଧ୍ୟ ଗୋଟିଏ ପରିବାର ପରି ଚଳନ୍ତି। କେବଳ ମାଙ୍କଡ଼ କାହିଁକି ପାରା ଓ କାଉ ଆଦି ବିଭିନ୍ନ ପକ୍ଷୀଙ୍କୁ ପ୍ରତିଦିନ ସକାଳୁ ସକାଳୁ ଖୁଦ, ସୋରିଷ, ଗହମ ଆଦି ଖାଦ୍ୟଶସ୍ୟ ଖାଇବାକୁ ଦେଇଥାଏ। ଏମାନଙ୍କ ସହିତ କିଛି ସମୟ ବିତାଇଲେ ମନଟା ଖୁବ୍‌ ଭଲ ଲାଗେ। ଏମାନଙ୍କ ପ୍ରତି ଆତ୍ମୀୟତା ବଢ଼ିଯାଇଛି। ସେଥିପାଇଁ କଦଳୀ, ବାଦାମ କିଣିଆଣି ରଖିଥାଏ। ଏବେ ପ୍ରତିଦିନ ସକାଳେ ଓ ଅପରାହ୍ନରେ ପ୍ରାୟ ୩୦ରୁ ୫୦ସଂଖ୍ୟାରେ ମାଙ୍କଡ଼ ଆସୁଛନ୍ତି। ଏମିତିରେ ପ୍ରାୟ ୪ ବର୍ଷ ବିତିଗଲାଣି। ଜୀବଜନ୍ତୁଙ୍କ ପେଟକଥା ବୁଝିବା ବ୍ୟତିତ ଅନେକ ସମୟରେ ମୁଁ ଭଜନଜଣାଣ ମଧ୍ୟ ଗାଇଥାଏ। ଘରର ସମସ୍ତ କାମ ସାରି ବିଶ୍ରାମ ନେବା ପୂର୍ବରୁ ଲେଖାଲେଖି ବି କରେ। ଏମିତିରେ ଭକ୍ତିପୁଷ୍ପାଞ୍ଜଳି ନାମରେ ଏକପୁସ୍ତକ ପ୍ରକାଶିତ ହୋଇସାରିଛି। ସାହିତ୍ୟ ଓ ଜୀବଜନ୍ତୁଙ୍କ ସେବା ଯୋଗୁ କେତେକ ଅନୁଷ୍ଠାନରୁ ପୁରସ୍କୃତ ହୋଇଛି। ଏହି କାର୍ଯ୍ୟରେ ମୋ ପରିବାରର ସହଯୋଗ ମୋତେ ଉତ୍ସାହିତ କରିଥାଏ।

Share