ଶିଶୁପୁତ୍ର ଜନ୍ମର ୭ ଦିନ ପରେ ମା’ ମୃତ

ଆର୍‌.ଉଦୟଗିରି,୧୦ା୧୦(ଡି.ଏନ୍‌.ଏ.)-ଗଜପତି ଜିଲା ମୋହନା ବ୍ଲକ ମଳାସପଦର ପଞ୍ଚାୟତ ଦୁର୍ଗମ ଯାମଲିଙ୍ଗ ଗାଁରେ ଶିଶୁପୁତ୍ରକୁ ଜନ୍ମ କରିବାର ୭ଦିନ ପରେ ଜଣେ ମହିଳାଙ୍କର ମୃତ୍ୟୁ ଘଟିଛି। ହେଲେ ଶିଶୁର ଯତ୍ନ ଓ ଲାଳନପାଳନ କରିବା ବାପାଙ୍କ ପାଇଁ ସମ୍ଭବ ନ ଥିବା ବେଳେ ଶିଶୁପୁତ୍ରର ଯତ୍ନ ଓ ଲାଳନପାଳନ ପାଇଁ ସରକାରୀ ସ୍ତରରେ ବ୍ୟବସ୍ଥା ଗ୍ରହଣ କରିବାକୁ ଗୁହାରି କରିଛନ୍ତି ଅସହାୟ ବାପା ଉତ୍ତମ ମଲ୍ଲିକ। ଉତ୍ତମ ଆଦିବାସୀ, ବୟସ ମାତ୍ର ୨୨ ବର୍ଷ। ଲୁହାଗୁଡ଼ି ପଞ୍ଚାୟତ ଛତାଭରି ଗାଁର କବିତା ମଲ୍ଲିକଙ୍କୁ ବିବାହ କରିଥିଲେ। ହେଲେ ବିବାହର ବର୍ଷେ ପରେ ଗତ ମାସ ୨୯ ତାରିଖରେ ଡେଙ୍ଗାଓସ୍ତା ମେଡିକାଲରେ କବିତା ମଲ୍ଲିକ ଏକ ପୁତ୍ର ସନ୍ତାନ ପ୍ରସବ କରିଥିଲେ। ପ୍ରସବ ପରେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ପରିବାର ଲୋକେ ଚନ୍ଦ୍ରଗିରି ମେଡିକାଲରେ ଭର୍ତ୍ତି କରିଥିଲେ। ଦୁଇ ଦିନ ପରେ କବିତାଙ୍କୁ ଘରକୁ ନେଇ ଆସିଥିଲେ। ହେଲେ ରାତିରେ ତାଙ୍କର ମୃତ୍ୟୁ ଘଟିଛି। ସ୍ତ୍ରୀଙ୍କ ମୃତ୍ୟୁ ପରେ ମାତ୍ର ୮ ଦିନର ଶିଶୁପୁତ୍ରର ଲାଳନପାଳନ କରିବା ଏତେ କମ୍‌ ବୟସରେ ଉତ୍ତମଙ୍କ ପାଇଁ ସମ୍ଭବ ନ ଥିବାରୁ ସରକାରଙ୍କ ତରଫରୁ ଶିଶୁପୁତ୍ରକୁ ସୁରକ୍ଷା ଓ ଲାଳନପାଳନ ଯୋଗାଇଦେବାକୁ ଜିଲା ପ୍ରଶାସନଙ୍କୁ ସେ ଗୁହାରି କରିଛନ୍ତି। ତେବେ ପ୍ରଶାସନ ପକ୍ଷରୁ ତୁରନ୍ତ ଶିଶୁପୁତ୍ରକୁ ଉଦ୍ଧାରକରି ଯତ୍ନ ଓ ଲାଳନପାଳନ ବ୍ୟବସ୍ଥା ଯୋଗାଇ ଦେବାକୁ ଗ୍ରାମବାସୀ ଓ ୱାର୍ଡ଼ ମେମ୍ବର ସୁନିତା ମଲ୍ଲିକ ଦାବି କରିଛନ୍ତି।