ଖସି ପଳାଇଲେ ମୋଷ୍ଟ ୱାଣ୍ଟେଡ ବ୍ରାଉନସୁଗର ବେପାରୀ

ଭୁବନେଶ୍ୱର,୩୦।୧୧(ବ୍ୟୁରୋ): ଓଡିଶା କ୍ରାଇମବ୍ରାଞ୍ଚର ସ୍ପେଶାଲ ଟାସ୍କ ଫୋର୍ସ (ଏସ୍‌ଟିଏଫ୍‌) ପଶ୍ଚିମବଙ୍ଗ ପୋଲିସ ସହାୟତାରେ ଅନ୍ତର୍ଜାତୀୟ ବ୍ରାଉସୁଗର୍‌ ବେପାରୀଙ୍କ ଘରେ ଚଢାଉ କରିଥିଲା। ପଶ୍ଚିମବଙ୍ଗ ମୁର୍ସିଦାବାଦ ଜିଲା ଲାଲଗୋଲା ଥାନା ଅଞ୍ଚଳରେ ଥିବା ଅଭିଯୁକ୍ତଙ୍କ ଘରେ ସୋମବାର ବିଳମ୍ବିତ ରାତିରେ ଚଢ଼ାଉ ବେଳେ ସେ ଖସି ପଳାଇଛନ୍ତି। ସେ ହେଲେ ଲାଲଗୋଲା ଥାନା ଅଞ୍ଚଳର ଚମକପୁର ଗ୍ରାମର ଇସ୍‌ମାଇଲ୍‌ ଏସ୍‌କେ। ଓଡ଼ିଶା ଏସ୍‌ଟିଏଫ୍‌ ପାଇଁ ସେ ୱାଣ୍ଟେଡ ଥିଲେ।

ତାଙ୍କ ବେଡ୍‌ ରୁମରୁ ୩୯୦ ଗ୍ରାମର ବ୍ରାଉନସୁଗର ସହ ଅନ୍ୟାନ୍ୟ ସାମଗ୍ରୀ ଜବତ ହୋଇଛି। ଜବତ ବ୍ରାଉନସୁଗରର ଆନୁମାନିକ ମୂଲ୍ୟ ୪୦ ଲକ୍ଷ ଟଙ୍କା ହେବ। ଏନେଇ ଲାଲଗୋଲା ଥାନାରେ ଏନ୍‌ଡିପିଏସ୍‌ ଆକ୍ଟରେ ଏକ ମାମଲା (ନଂ. ୭୯୬/୨୧) ରୁଜୁ ହୋଇଛି। ତେବେ ସେ କେତେଥର ଓଡିଶା ଆସିଛନ୍ତି, ତାଙ୍କ ଲିଙ୍କରେ ଓଡିଶାରେ କେଉଁମାନେ ଏଜେଣ୍ଟ ଅଛନ୍ତି ଏଭଳି ବିଭିନ୍ନ ଦିଗକୁ ନେଇ ଏସ୍‌ଟିଏଫ୍‌ ତଦନ୍ତ ଜାରି ରଖିଛି। ଅପରପକ୍ଷରେ ସ୍ଥାନୀୟ ପୋଲିସ ଅଭିଯୁକ୍ତ ଇସ୍‌ମାଇଲ୍‌ଙ୍କୁ ଧରିବାକୁ ବିଭିନ୍ନ ଅଞ୍ଚଳରେ ଚଢ଼ଉ ଜାରି ରଖିଛି।

ସୂଚନା ଅନୁଯାୟୀ, ଗତ ସେପ୍ଟେମ୍ବର ୩ରେ ଖୋର୍ଦ୍ଦା ଜିଲା ଗୁରୁଜଙ୍ଗ ପେଟ୍ରୋଲ ପମ୍ପ ପାଖରେ ଏସ୍‌ଟିଏଫ୍‌ ଚଢାଉ କରି ମନୋରଞ୍ଜନ ଦାସ ନାମକ ଏକ ବ୍ରାଉସୁଗର ଏଜେଣ୍ଟଙ୍କୁ ଗିରଫ କରିଥିଲେ। ତାଙ୍କଠୁ ୧ କେଜି ୩୪ ଗ୍ରାମ ବ୍ରାଉନସୁଗର ଜବତ ହୋଇଥିଲା। ଏସ୍‌ଟିଏଫ୍‌ ତାଙ୍କୁ ପଚରାଉଚରା ବେଳେ ସେ ଲାଲଗୋଲାର ସେକ୍‌ ଇସ୍‌ମାଇଲ୍‌ଙ୍କ ନିକଟରୁ ବ୍ରାଉନସୁଗାର ଆଣିଥିବା କହିଥିଲେ। ତେବେ ଇସ୍‌ମାଇଲ୍‌ଙ୍କୁ ଧରିବାକୁ ଏସ୍‌ଟିଏଫ୍‌ ନିୟମିତ ପଶ୍ଚିମବଙ୍ଗ ପୋଲିସ ସହ ଯୋଗଯୋଗ କରୁଥିବା ବେଳେ ସେ ସୋମବାର ଘରେ ଥିବା ଜାଣିବାକୁ ମିଳିଥିଲା।