ଏହା ସତ ଯେ, ଚନ୍ଦ୍ର ସଙ୍କୁଚିତ ହେଉଛି ଏବଂ ଜ୍ୟୋତର୍ବିଦମାନେ ବର୍ତ୍ତମାନ ଜାଣିଛନ୍ତି ଯେ ଏହା କେତେ ଦ୍ରୁତଗତିରେ ସଙ୍କୁଚିତ ହେଉଛି। ଉପଗ୍ରହର ପର୍ଯ୍ୟବେକ୍ଷଣ ଏବଂ ସବୁଠାରୁ ସୂକ୍ଷ୍ମ ଯନ୍ତ୍ରପାତିଗୁଡ଼ିକ ଏହି ପରିବର୍ତ୍ତନଗୁଡ଼ିକୁ ଚିହ୍ନଟ କରିପାରିବ। ଏହି ସଙ୍କୋଚନ ଯୋଗୁ ଯେକୌଣସି ମୁହୂର୍ତ୍ତରେ ଚନ୍ଦ୍ରପୃଷ୍ଠରେ ଯେକୌଣସି ସ୍ଥାନରେ ଚନ୍ଦ୍ରକମ୍ପ ଘଟିପାରେ ବୋଲି ବିଶେଷଜ୍ଞ କହିଛନ୍ତି। ସ୍ମିଥସୋନିୟନ ନ୍ୟାଶନାଲ ଏୟାର୍ ଆଣ୍ଡ ସ୍ପେସ୍ ମ୍ୟୁଜିୟମର ଗ୍ରହ ଭୂତତ୍ତ୍ୱବିତ୍ ଥୋମାସ ୱାଟର୍ସଙ୍କ ନେତୃତ୍ୱରେ ଏକ ଦଳ ସେମାନଙ୍କର ଏହି ସଂକ୍ରାନ୍ତିୟ ଅନୁସନ୍ଧାନକୁ ‘ଦି ପ୍ଲାନେଟାରି ସାଇନ୍ସ ଜର୍ନଲ’ରେ ନିକଟରେ ପ୍ରକାଶିତ ଏକ ଅଧ୍ୟୟନରେ ବିସ୍ତୃତ ଭାବରେ ବର୍ଣ୍ଣନା କରିଛନ୍ତି। ଗବେଷକମାନେ ନାସାର ‘ଲୁନାର୍ ରିକଗନେଶନ ଅର୍ବିଟର୍ କ୍ୟାମେରା’(ଏଲଆର୍ଓସି)ରୁ ତଥ୍ୟ ବ୍ୟବହାର କରିଛନ୍ତି ା ଚନ୍ଦ୍ର ଥଣ୍ଡା ହେବା ସହିତ ୪୦୦-୮୦୦ ନିୟୁତ ବର୍ଷ ମଧ୍ୟରେ ଏହାର ସାମଗ୍ରିକ ବ୍ୟାସାର୍ଦ୍ଧ ପ୍ରାୟ ୧୪୮ ଫୁଟ ହ୍ରାସ ପାଇଛି। ଏହା ପ୍ରତି ନିୟୁତ ବର୍ଷରେ ପ୍ରାୟ ୨.୪ ରୁ ୪.୩ ଇଞ୍ଚ କିମ୍ବା ବାର୍ଷିକ କେବଳ ୦.୧ ମାଇକ୍ରୋମିଟର।
ଏହି ମନ୍ଥର ସଙ୍କୋଚନରର ପ୍ରଭାବ ସବୁଆଡ଼େ ଦୃଶ୍ୟମାନ ହୋଇଥାଏ। କିନ୍ତୁ ଚନ୍ଦ୍ର ଏକକ ଖୋଳ ପରି ପ୍ଲେଟ୍ ଦ୍ୱାରା ଆଚ୍ଛାଦିତ। ଚନ୍ଦ୍ରର ଅଭ୍ୟନ୍ତର ଥଣ୍ଡା ହେବା ଯେକୌଣସି ସମୟରେ ଯେକୌଣସି ସ୍ଥାନରେ ଫାଟ ସୃଷ୍ଟି କରିପାରେ। ଏଲ୍ଆର୍ଓସି ଦ୍ୱାରା ନିଆଯାଇଥିବା ଚିତ୍ରଗୁଡ଼ିକୁ ସମୀକ୍ଷା କରିବା ପରେ ଅଧ୍ୟୟନର ଲେଖକମାନେ ୧୦,୦୦୦ ରୁ ଅଧିକ ଦୃଶ୍ୟମାନ ଚନ୍ଦ୍ର ଫାଟ ଗଣନା କରିଛନ୍ତି।
ୱାଟର୍ସ କହିଛନ୍ତି, ଏଲ୍ଆର୍ଓସି ଚିତ୍ରଗୁଡ଼ିକରେ ପ୍ରକାଶ ପାଇଥିବା ଏହି ନୂଆ ଫାଟଗୁଡ଼ିକର ସଂଖ୍ୟା କଳ୍ପନାଠାରୁ ବହୁତ ଅଧିକ। ଚନ୍ଦ୍ରର ଅଭ୍ୟନ୍ତର ଥଣ୍ଡା ଏବଂ ସଙ୍କୁଚିତ ହେଉଥିବାରୁ ଏହା ଆଶା କରାଯାଉଛି ଯେ ବିଦ୍ୟମାନ ଫାଟଗୁଡ଼ିକର ବୃଦ୍ଧି ଏବଂ ନୂତନ ଫାଟଗୁଡ଼ିକର ଗଠନ ଆଜି ମଧ୍ୟ ଜାରି ରହିଛି। ଚନ୍ଦ୍ରର କିଛି ଅଞ୍ଚଳରେ ଏହି ଫାଟଗୁଡ଼ିକ ରହିବାର ସମ୍ଭାବନା ଅନ୍ୟ ଅଞ୍ଚଳ ଅପେକ୍ଷା ଅଧିକ ଥାଏ। ସବୁଠାରୁ ମୋଟା କ୍ରଷ୍ଟ ଥିବା ଅଞ୍ଚଳଗୁଡ଼ିକରେ କମ୍ ଫାଟ ଥାଏ, ଯାହା ସୂଚାଏ ଯେ ସେଗୁଡ଼ିକ ଅନ୍ୟ ପତଳା ଅଞ୍ଚଳ ଅପେକ୍ଷା ଅଧିକ ସ୍ଥିର ହୋଇପାରେ। ଚନ୍ଦ୍ରର ଇତିହାସକୁ ଭଲ ଭାବରେ ବୁଝିବା ସହିତ, ଚନ୍ଦ୍ରଭୂକମ୍ପର ବଣ୍ଟନ ଏବଂ ଆବୃତ୍ତି ମଧ୍ୟ ନାସାକୁ ଚନ୍ଦ୍ରରେ ଦୀର୍ଘାବଧି ମାନବ ଉପସ୍ଥିତି ପାଇଁ ଭଲ ଭାବରେ ଯୋଜନା କରିବାରେ ସାହାଯ୍ୟ କରିପାରେ।