ରଜରେ ଓଡ଼ିଶା ଛୁଇଁବ ମୌସୁମୀ

ଭୁବନେଶ୍ୱର, ୧୨।୬(ବ୍ୟୁରୋ): ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଆସନ୍ତା ୪ରୁ ୫ ଦିନ ଭିତରେ ଓଡ଼ିଶା ଛୁଇଁବ। ଏଥିପାଇଁ ପାଗ ଧୀରେ ଧୀରେ ଅନୁକୂଳ ହେଉଥିବା ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଶନିବାର ସୂଚନା ଦିଆଯାଇଛି। ମଙ୍ଗଳବାରଠାରୁ ରଜ ପର୍ବ ଆରମ୍ଭ ହେଉଛି। ଏହା ଭିତରେ ମୌସୁମୀ ଆଗମନର ସମ୍ଭାବନା ରହିଥିବାବେଳେ ଏବେଠୁ ରାଜ୍ୟରେ ପ୍ରାକ୍‌ ମୌସୁମୀର ପ୍ରଭାବ ଆରମ୍ଭ ହୋଇଯାଇଛି। ଗତ ଦୁଇଦିନ ହେବ ଓଡ଼ିଶା ଆକାଶରେ ବାଦଲ ଓ ପବନ ରହିଛି। ଏଥିସହ ବିଭିନ୍ନ ଅଞ୍ଚଳରେ ଝିପି ଝିପି ବର୍ଷା ହେଉଥିବାରୁ ରଜ ପାଗ ଭଳି ଅନୁଭବ ହେଉଛି। ରାଜ୍ୟବାସୀ ତାତିରୁ ଆଶ୍ୱସ୍ତ ହୋଇଛନ୍ତି। ଆଗାମୀ ୩ରୁ ୪ ଦିନ ମଧ୍ୟରେ ଆହୁରି ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ତଳକୁ ଖସିବ। ଜୁନ୍‌ ମାସରେ ଭଲ ବର୍ଷା ହେବ ବୋଲି ପାଣିପାଗ କେନ୍ଦ୍ର ଆକଳନ କରିଛି। ତେବେ ପୂର୍ବ ଆକଳନ ମୁତାବକ ଜୁନ୍‌ ୧୨ରେ ମୌସୁମୀ ବାୟୁ ଓଡ଼ିଶା ଛୁଇଁବା ସମ୍ଭବ ହୋଇନାହିଁ। ଉତ୍ତର-ପଶ୍ଚିମ ପବନର ପ୍ରଭାବ ଅଧିକ ଯୋଗୁ ରାଜ୍ୟରେ ତାପମାତ୍ରା ବୃଦ୍ଧିପାଉଥିଲା। ଏହା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁକୁ ଆଗକୁ ବଢ଼ିବାକୁ ଦେଉ ନ ଥିଲା। ତେଣୁ ମୌସୁମୀ ଆସିବାରେ ସାମାନ୍ୟ ବିଳମ୍ବ ହୋଇଥିବା ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି।
ସେପଟେ ଆସନ୍ତା ୫ଦିନ ପର୍ଯ୍ୟନ୍ତ ରାଜ୍ୟରେ ବିଭିନ୍ନ ଜିଲାକୁ ଝଡ଼ତୋଫାନ ଓ ବଜ୍ରପାତ ନେଇ ସତର୍କ କରାଇଛି ପାଣିପାଗ କେନ୍ଦ୍ର। କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ରାୟଗଡ଼ା, ନୂଆପଡ଼ା, କଳାହାଣ୍ଡି, କନ୍ଧମାଳ, ବଲାଙ୍ଗୀର, କେନ୍ଦୁଝର, ମୟୂରଭଞ୍ଜ, ଗଜପତି, ଗଞ୍ଜାମ, ବୌଦ୍ଧ, ଅନୁଗୋଳ, ଢେଙ୍କାନାଳ, ନୟାଗଡ଼, ଖୋର୍ଦ୍ଧା, ପୁରୀ, କଟକର ବିଭିନ୍ନ ସ୍ଥାନରେ ଝଡ଼ତୋଫାନ ସହ ବଜ୍ରପାତ ହେବ। ତେଣୁ ଏସବୁ ଜିଲାକୁ ପାଣିପାଗ କେନ୍ଦ୍ର ୟେଲୋ ଓ୍ବାର୍ନିଂ ଜାରି କରିଛି। ରବିବାର କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ରାୟଗଡ଼ା, ନୂଆପଡ଼ା, କଳାହାଣ୍ଡି, କନ୍ଧମାଳ, ବଲାଙ୍ଗୀର, କେନ୍ଦୁଝର ଓ ମୟୂରଭଞ୍ଜ ଆଦି ୧୦ ଜିଲାରେ ଝଡ଼ତୋଫାନ ହେବ ବୋଲି ସୂଚନା ଦିଆଯାଇଛି।