କୋରୁକୋଣ୍ଡା/ଚିତ୍ରକୋଣ୍ଡା,୧୧।୬ ( ଅଶୋକ ପରିଡ଼ା /ଶିବଦତ୍ତ ସାହୁ ): ଏକ ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି ମାଲକାନଗିରି ଜିଲା ଚିତ୍ରକୋଣ୍ଡା ବିଧାୟକ ମଙ୍ଗୁ ଖିଲ। ଚିତ୍ରକୋଣ୍ଡା-ବାଲିମେଳା ମୁଖ୍ୟ ରାସ୍ତାର ଭାଲ୍ବ ହାଉସ ଛକ ନିକଟରେ ବୁଧବାର ଅପରାହ୍ନରେ କାଳବୈଶାଖୀ ପ୍ରଭାବରେ ଏକ ଗଛ ଭାଙ୍ଗି ବିଧାୟକଙ୍କ ଗାଡି ଉପରେ ପଡିଯାଇଥିଲା। ତେବେ ଏହି ଦୁର୍ଘଟଣାରେ ବିଧାୟକଙ୍କ ସମେତ ତାଙ୍କ ପ୍ରତିନିଧି ଇସାକ ଖୋସଲା ରହିଥିଲେ। ଖୋସଲା ଗାଡି ଚଳାଉଥିବା ବେଳେ ତାଙ୍କର ଉପସ୍ଥିତ ବୁଦ୍ଧି ହେତୁ ଏହି ବଡ଼ ଅଘଟଣରୁ ଉଭୟ ବର୍ତ୍ତିଯାଇଥିବା ଜଣାପଡିଛି। ଗଛ ପଡୁଥିବା ଜାଣିପାରି ଖୋସଲା ହଠାତ ଗାଡିର ବ୍ରେକ୍ ମାରିଦେବାରୁ ଗଛଟି ଗାଡି ଉପରେ ନ ପଡି ଗାଡି ସମ୍ମୁଖରେ ପଡିଥିଲା। ବିଧାୟକ ମଙ୍ଗୁଙ୍କ ସମେତ ସମସ୍ତ ବ୍ୟକ୍ତି ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତୀ ଯାଇଛନ୍ତି। ବିଧାୟକ ଚିତ୍ରକୋଣ୍ଡା ବ୍ଲକ୍ ଦୋରାଗୁଡା ଅଞ୍ଚଳରେ କ୍ରିକେଟ ଟୁର୍ନାମେଣ୍ଟରେ ଅତିଥି ଭାବେ ଯୋଗଦେଇ ଫେରିବା ବାଟରେ ଦୁର୍ଘଟଣାର ଶିକାର ହୋଇଛନ୍ତି। ଗଛ ପଡିବା ଦ୍ୱାରା ବିଧାୟକ ଖିଲଙ୍କ ଗାଡି ସମ୍ମୁଖ ସମ୍ପୂର୍ଣ୍ଣ ଚେପା ହୋଇଯାଇଛି। ରାସ୍ତାର ଉଭୟ ପାର୍ଶ୍ୱରେ ଶତାଧିକ ଗାଡିମୋଟର ଦୀର୍ଘ ଘଣ୍ଟା ଧରି ଅଟକି ରହିଥିଲା। ରାସ୍ତା ସଫା ହେବା ପରେ ଯାତାୟତ ସ୍ବାଭାବିକ ହୋଇଥିଲା।