୫୮ ବର୍ଷରେ ମାଟ୍ରିକ ପରୀକ୍ଷା ଦେଲେ ବିଧାୟକ

ଫୁଲବାଣୀ ଅଫିସ,୨୯ା୪: ମନରେ ପାଠ ପଢ଼ିବାର ଇଚ୍ଛା ଥିଲେ ବୟସ କେବେ ବି ବାଧକ ସାଜେନା। ଏହାର ଏକ ଉଦାହରଣ ପାଲଟିଛନ୍ତି ଫୁଲବାଣୀ ବିଧାୟକ ଅଙ୍ଗଦ କହଁର। ୫୮ ବର୍ଷ ବୟସରେ ସେ ମାଟ୍ରିକ ପରୀକ୍ଷା ଦେଇଛନ୍ତି। ଯାହାକୁ ନେଇ ସମଗ୍ର ଜିଲାରେ ଚର୍ଚ୍ଚା।

ସୂଚନାଯୋଗ୍ୟ, ଆଜି ରାଜ୍ୟରେ ମାଟ୍ରିକ ପରୀକ୍ଷା ଆରମ୍ଭ ହୋଇଛି। ଫୁଲବାଣୀର ରୁଜାଙ୍ଗି ଉଚ୍ଚ ବିଦ୍ୟାଳୟ ସମ୍ମୁଖରେ ଛାତ୍ରୀଛାତ୍ରଙ୍କ ସହ ଲାଇନ୍‌ରେ ଧୋତି ପିନ୍ଧି ଠିଆ ହୋଇଥିଲେ ବିଧାୟକ।

ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟ ଅଧୀନରେ ବିଧାୟକ ପରୀକ୍ଷା ଦେଇଛନ୍ତି। ତାଙ୍କ ସହିତ ତାଙ୍କର ବନ୍ଧୁ ତଥା ଲୁଇସିଂ ପଞ୍ଚାୟତର ସୁଦର୍ଶନ କହଁର ମଧ୍ୟ ଏହି ବୋର୍ଡ ପରୀକ୍ଷା ଦେଇଛନ୍ତି। ପରିଣତ ବୟସରେ ପହଞ୍ଚିଥିବା ବିଧାୟକ ଏବଂ ତାଙ୍କ ସରପଞ୍ଚ ବନ୍ଧୁ ଏହି ପରୀକ୍ଷା ଦେଉଥିବାରୁ ସାଧାରଣରେ ଚର୍ଚ୍ଚା ପାଲଟିଛି।

ବିଧାୟକ କହିଛନ୍ତି, ପାରିବାରିକ ସମସ୍ୟା ଯୋଗୁ ସେ ଛାତ୍ର ସମୟରେ ପରୀକ୍ଷା ଦେଇ ପାରି ନ ଥିଲେ। ବର୍ତ୍ତମାନ ଏହି ପରୀକ୍ଷା ଦେଉଛନ୍ତି। ବିଦ୍ୟା ଗ୍ରହଣର କୌଣସି ଅନ୍ତଃ ବା ଶେଷ ନ ଥାଏ। ବୟସ ବି ବାଧକ ନ ଥାଏ। ତେଣୁ କୌଣସି ସଙ୍କୋଚ ନ କରି ଆଜି ସେ ଏହି ମାଟ୍ରିକ ପରୀକ୍ଷା ଦେଇଛନ୍ତି।

ସେହିପରି ରୁଜାଙ୍ଗି ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ କହିଛନ୍ତି, ଆଜି ପରୀକ୍ଷାର ପ୍ରଥମ ଦିନରେ ଇଂରାଜୀ ପରୀକ୍ଷା ହୋଇଛି। ଅନ୍ୟ ଛାତ୍ରୀଛାତ୍ରଙ୍କ ପରି ବିଧାୟକ ମଧ୍ୟ ଜଣେ ଛାତ୍ର। ତେଣୁ ଅନ୍ୟ ଛାତ୍ରୀଛାତ୍ର ଯେଭଳି ପରୀକ୍ଷା ଦେଉଛନ୍ତି ସେ ମଧ୍ୟ ଦେଉଛନ୍ତି। ଏଥିପାଇଁ କୌଣସି ଅନୁକମ୍ପା ଦେଖାଇବାର ପ୍ରଶ୍ନ ଉଠୁନାହିଁ।