ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଭୁଲ୍‌ ତଥ୍ୟ ଦେବା ଘଟଣାକୁ ବିଭିନ୍ନ ମହଲରେ ନିନ୍ଦା

କର୍ଲାମୁଣ୍ଡା,୨୩ା୬(ଡି.ଏନ୍‌.ଏ.): ବାସହୀନଙ୍କ ପାଇଁ ଘର ଯୋଗାଇବା ଉଦ୍ଦେଶ୍ୟରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଅନେକ ଯୋଜନା କରୁଥିଲେ ହେଁ ସରକାରୀ ଅଧିକାରୀମାନଙ୍କ ଆନ୍ତରିକତା ଅଭାବରୁ ଯୋଗ୍ୟ ହିତାଧିକାରୀମାନଙ୍କ ପାଇଁ ଯୋଜନା ସାତସପନ ପାଲଟିଛି।

ଏଭଳି ଏକ ଘଟଣା କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ସାପଲହରା ପଞ୍ଚାୟତ କଣ୍ଡରେଇ ଗାଁରେ ଦେଖିବାକୁ ମିଳିଛି। ଏହି ଗାଁର ବଂଶୀଧର ପୁଟେଲ ପକ୍କାଘର ଟିଏ ପାଇବାକୁ ଦୀର୍ଘବର୍ଷ ଧରି ପଞ୍ଚାୟତ,ବ୍ଲକ,ଜିଲା ପ୍ରଶାସନ ଓ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଗୁହାରି କରି ମଧ୍ୟ ଆବାସ ଯୋଜନାରୁ ବଞ୍ଚିତ ହୋଇଥିବା ଅଭିଯୋଗ କରିଛନ୍ତି। ଏହି ବାସହୀନ ଗରିବ ବ୍ୟକ୍ତି ସମସ୍ତଙ୍କୁ ଗୁହାରି କରି ହତାସ ହେବା ପରେ ଜନୈକ ସାମାଜିକ କର୍ମୀ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଟୁଇଟ୍‌ ଜରିଆରେ ଅଭିଯୋଗ କରିଥିଲେ। ତେବେ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ତତ୍ପରତା ପ୍ରକାଶ କରି ଟୁଇଟ୍‌ ଉତ୍ତର ରଖିବାକୁ କର୍ଲାମୁଣ୍ଡା ବିଡିଓଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଉତ୍ତରରେ କର୍ଲାମୁଣ୍ଡା ପଞ୍ଚାୟତ ସମିତିପତ୍ର ସଂଖ୍ୟା ୧୫୭୮, ତାରିଖ ୩୦/୦୬/୨୦୨୧ରେ ବଂଶୀଧର ପୁଟେଲ କଚ୍ଚା ଘରେ ରହୁଛନ୍ତି ଓ ଏସ୍‌ଇସିସି ଅନୁସାରେ ଘର ପାଇବାକୁ ଯୋଗ୍ୟ ତାଲିକାରେ ତାଙ୍କ ନାମ ରହିଥିବା ଦର୍ଶାଇଛନ୍ତି। ବର୍ତ୍ତମାନ କିନ୍ତୁ ସେହି ତାଲିକାରୁ ନାମ ଉଭାନ ହୋଇଥିବା ଜଣାପଡ଼ିଛି। ବଂଶୀଧର ଜିଲାପାଳଙ୍କ ଜନ ଶୁଣାଣି ଶିବିରରେ ଚଳିତ ମାସ ୬ ତାରିଖ (ପଞ୍ଜୀକୃତ ସଂଖ୍ୟା ୭୨) ଲିଖିତ ଭାବେ ଅଭିଯୋଗ କରିଛନ୍ତି ।

ସୂଚନାଯୋଗ୍ୟ, ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକୁ ଯଦି ଅବମାନନା କରାଯାଉଛି ଓ ଭୁଲ୍‌ ତଥ୍ୟ ଦିଆଯାଉଛି ତେବେ ସାଧାରଣ ଲୋକ କିଭଳି ସେବା ପାଉଥିବେ ତାହା ସହଜେ ଅନୁମାନ କରାଯାଇପାରେ ବୋଲି ଜିଲା ପରିଷଦ ସଭ୍ୟ ସୁରେଶ ଚୌଧୁରୀ ଅଭିଯୋଗ କରିଛନ୍ତି। ଏ ସମ୍ବନ୍ଧରେ ଜାଣିବା ପାଇଁ କର୍ଲାମୁଣ୍ଡା ବିଡିଓ ପ୍ରିୟ ଦର୍ଶନୀ ମିର୍ଦ୍ଦାଙ୍କୁ ଯୋଗାଯୋଗ କରିଥିଲେ ହେଁ ତାଙ୍କ ସହିତ ଯୋଗାଯୋଗ ହେଇପାରି ନ ଥିବାରୁ କର୍ଲାମୁଣ୍ଡା ବ୍ଲକ ଗ୍ରାମୀଣ ଆବାସ ଯୋଜନା ଦାୟିତ୍ୱରେ ଥିବା ବିପିସି ଭୋଳା ଦାଶଙ୍କୁ ପଚାରିବାରୁ ମୋ’ପୂର୍ବରୁ ଅନ୍ୟ ଜଣେ ଏହି ପଦବୀରେ ଥିଲେ। ଏଣୁ ଏ ବିଷୟରେ ମୁଁ ଅଧିକ କିଛି କହିପାରିବି ନାହିଁ। ତଥାପି ଏହି ହିତାଧିକାରୀ କେମିତି ତାଲିକା ଭୁକ୍ତ ହେଇପାରିବେ ଆମେ ଚେଷ୍ଟା କରୁଛି ବୋଲି କହିଛନ୍ତି।