କାମରେ ଲାଗୁନି ଏମ୍‌ଆଇପି ଯୋଜନା

ଯାଜପୁର ଅଫିସ/ରଗଡି(ଡି.ଏନ.ଏ.),୨୦ା୫: ମରୁଡ଼ି ତଥା ସ୍ବଳ୍ପ ବୃଷ୍ଟିପାତ ସମୟରେ ଚାଷ ଜମିକୁ ଜଳଯୋଗାଣ ଲକ୍ଷ୍ୟ ନେଇ କ୍ଷୁଦ୍ର ଜଳସେଚନ ବିଭାଗ ପକ୍ଷରୁ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ (ଏମ୍‌ଆଇପି) କାର୍ଯ୍ୟକାରୀ ହୋଇଛି। କିନ୍ତୁ ଯାଜପୁର ଜିଲାରେ ଅନେକ କୋଟି ଟଙ୍କାର ପ୍ରକଳ୍ପ ଥାଇ ସୁଦ୍ଧା କୌଣସି କାମରେ ଲାଗୁ ନାହିଁ। ଫଳରେ କୃଷି ଓ କୃଷକଙ୍କ ବିକାଶ ହୋଇ ପାରୁନାହିଁ। ରାଜ୍ୟ ସରକାରଙ୍କ ଜଳସେଚନ ଯୋଜନା କେବଳ କାଗଜ କଲମରେ ସୀମିତ ହୋଇଛି। ଯାଜପୁର ଜିଲା କୋରେଇ ବ୍ଲକ ତୁଳତି ଏମ୍‌ଆଇପି ପ୍ରକଳ୍ପକୁ ଏଠାରେ ଉଦାହରଣ ଭାବେ ନିଆଯାଇପାରେ। ଏହି ପ୍ରକଳ୍ପରେ ଗତ ୩ ବର୍ଷରେ ପ୍ରାୟ ୪୨ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି। ସ୍ଥାନୀୟ ଅଞ୍ଚଳର ଚାଷୀମାନେ ଜଳସେଚନ ବ୍ୟବସ୍ଥାକୁ ଚାହିଁ ରହିଛନ୍ତି। ବିଭାଗୀୟ ଯନ୍ତ୍ରୀ ଓ ଠିକାଦାର ମିଳିିମିଶି ଅନୁଦାନ ସିଂହଭାଗ ଅର୍ଥ ହରିଲୁଟ କରିଥିବାରୁ ଚାଷୀଙ୍କ ଜମିରେ ପାଣି ମାଡିବା ଆଶା ଧୂଳିସାତ ହୋଇଛି ବୋଲି ଅଭିଯୋଗ ହୋଇଛି।
ଯାଜପୁର ଜିଲା ସୁକିନ୍ଦା, ଦାନଗଦି, କୋରେଇ, ବଡ଼ଚଣା, ଧର୍ମଶାଳା, ବରୀ, ରସୁଲପୁର ବ୍ଲକର ଅଧିକାଂଶ ଜମି ଅଣଜଳସେଚିତ ଅଞ୍ଚଳ ଭାବେ ପରିଚିତ। ଏହି କ୍ରମରେ ଜଳସେଚନ ସୁବିଧା ଯୋଗାଇ ଦେବାକୁ ଜିଲାରେ ୭୪ ଏମ୍‌ଆଇପି ନିର୍ମାଣ କରାଯାଇଛି। ସେଥିମଧ୍ୟରୁ କୋରେଇ ବ୍ଲକରେ ୮ ଏମ୍‌ଆଇପି ଜରିଆରେ ୮୦ ହେକ୍ଟର ଜମିରେ ଜଳସେଚନ ସୁବିଧା ରହିଛି ବୋଲି ବିଭାଗୀୟ ରିପୋର୍ଟରେ ଦର୍ଶାଯାଇଛି। ହେଲେ ବାସ୍ତବରେ ଏଠାରେ ଜଳସେଚନ ସ୍ଥିିତି ଅସ୍ପଷ୍ଟ ରହିଛି। କୋରେଇ ବ୍ଲକ ତୁଳତି ଏମ୍‌ଆଇପି ପୁନରୁଦ୍ଧାର ପାଇଁ ୨୦୧୯-୨୦ ଆର୍ଥିକ ବର୍ଷରେ ୪୨ ଲକ୍ଷ ୫୦ ହଜାର ୩୧୧ ଟଙ୍କାର ବ୍ୟୟ ବରାଦ ହୋଇଥିଲା। ଏହି ପ୍ରକଳ୍ପର କାର୍ଯ୍ୟାଦେଶ କୁଳମଣି ଜେନା ନାମକ ଠିକାଦାରଙ୍କୁ ମିଳିଥିଲା। ଉକ୍ତ କାମ ୪ା୨ା୨୦୧୯ ରୁ ଆରମ୍ଭ ହୋଇ ୩ା୮ା୨୦୧୯ରେ ଶେଷ କରିବାକୁ ଅନୁମତି ଥିଲା। ତୁଳତି ପଞ୍ଚାୟତ କାଯର୍ର୍‌ୟାଳୟ ପଛ ପାଖରେ ଲାଗି ରହିଥିବା ୨ ପୋଖରୀକୁ ମିଶାଇ ଏହି ପ୍ରକଳ୍ପ ହୋଇଥିଲା। ଆଶା ଥିଲା ଉକ୍ତ ପ୍ରକଳ୍ପ ସମ୍ପୂର୍ଣ୍ଣ ହେଲେ ୭୦ରୁ ଊର୍ଦ୍ଧ୍ୱ ଚାଷୀକୂଳ ଉପକୃତ ହୋଇପାରିବେ। ଏଥିସହିତ ୫୦ ଏକରରୁ ଊର୍ଦ୍ଧ୍ୱ ଜମିକୁ ଜଳସେଚନ ହୋଇପାରିବ । ହେଲେ ସମ୍ପୃକ୍ତ ଠିକାଦାର ଓ ବିଭାଗୀୟ ଅଧିକାରୀଙ୍କ ଅସାଧୁ ମେଣ୍ଟ କାରଣରୁ ଚାଷୀଙ୍କ ଏହି ସ୍ବପ୍ନ ଭାଙ୍ଗି ଯାଇଛି । ଠିକାଦାର ଜଣକ ସ୍ଥାନୀୟ କେତେଜଣ ମୁଷ୍ଟିମେୟ ଲୋକ ଓ ବିଭାଗୀୟ ଅଧିକାରୀମାନଙ୍କୁ ହାତ କରି ଏହି ପ୍ରକଳ୍ପ ଉନ୍ନତିକରଣ ନାମରେ ଲକ୍ଷାଧିକ ଟଙ୍କା ଆମତ୍ସାତ କରିଥିବା ସ୍ଥାନୀୟ ଲୋକମାନେ ଅଭିଯୋଗ କରିଛନ୍ତି। ଏହାବାଦ୍‌ ଏହି ପ୍ରକଳ୍ପ କାମ ଅଧାପନ୍ତରିଆ ହୋଇ ପଡିିରହିଛି । ମାତ୍ର ୨୫ ପ୍ରତିଶତ କାମ କରି ଠିକାଦାର ୨୯ ଲକ୍ଷ ୯୧ ହଜାର ଟଙ୍କାର ବିଲ କରି ନେଇଥିବା ସୂଚନା ଅଧିକାର ଆଇନରେ ମିଳିଥିବା ତଥ୍ୟରୁ ଜଣାପଡିଛି। ଏ ସଂକ୍ରାନ୍ତରେ ସ୍ଥାନୀୟ ଚାଷୀ ପଠାଣ ସିଂ କହିଛନ୍ତି, ନିର୍ମାଣ କାର୍ଯ୍ୟ ଚାଲିଥିବା ସମୟରେ ଚାଷୀଙ୍କୁ ନାଲିଆଖି ଦେଖାଇ ଠିକାଦାର ନିଜ ମନଇଚ୍ଛା କାମ କରିଛନ୍ତି । ଏହି ପ୍ରକଳ୍ପର ଭିଜିଲାନ୍ସ ତଦନ୍ତ କରାଗଲେ ସମସ୍ତ ତଥ୍ୟ ପଦାକୁ ଆସିବ। ଏହାସହିତ ଉକ୍ତ ବିଭାଗରେ ବଢି ଚାଲିଥିବା ଦୁର୍ନୀତି ଉପରେ ରୋକ ଲାଗିପାରିବ ବୋଲି ସେ କହିଛନ୍ତି। ଏ ସଂକ୍ରାନ୍ତରେ ଯାଜପୁର ଏମ୍‌ଆଇପି ଡିଭିଜନର ନିର୍ବାହୀ ଯନ୍ତ୍ରୀ ଜି.ରାମାକ୍ରିଷ୍ଣାଙ୍କୁ ପଚାରିବାରେ ସେ କହିଛନ୍ତି, ତୁଳତି ପ୍ରକଳ୍ପରେ କିଛି ଜମି ଶ୍ମଶାନ କିସମ ଥିବା ଅଭିଯୋଗ ହେବାରୁ ଉକ୍ତ ପ୍ରକଳ୍ପ କାମ ସମ୍ପୂର୍ଣ୍ଣ ହୋଇ ପାରିନାହିଁ। ହେଲେ ଯେତେ କାମ ହୋଇଛି ସେହି ପରିମାଣରେ ଠିକାଦାରଙ୍କୁ ଟଙ୍କା ଦିଆଯାଇଛି। ସଂପୃକ୍ତ ଯନ୍ତ୍ରୀ ଠିକ ଭାବେ ମାପଚୁପ କରି ବିଲ ପ୍ରସ୍ତୁତ କରିଛନ୍ତି। ଏଥିରେ କୌଣସି ଅନିୟମିତତା ହୋଇନାହିଁ।