ସ୍ମାର୍ଟ ହାଇସ୍କୁଲକୁ ପୋଷ୍ୟ ସ୍କୁଲ ଗ୍ରହଣ କଲେ ମନ୍ତ୍ରୀ

ଜୁନାଗଡ଼,୨୬।୨: କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ମହିଚଲା ବାଲାଜୀ ସରକାରୀ ଉଚ୍ଚ ବିଦ୍ୟାଳୟକୁ କଳାହାଣ୍ଡି ଜିଲାପାଳ ଡ. ପରାଗ ହର୍ଷଦ ଗାଭାଲି ସ୍ମାର୍ଟ ହାଇସ୍କୁଲ କରିବା ପାଇଁ ଘୋଷଣା କରିଥିଲେ। ଜିଲାପାଳଙ୍କ ଘୋଷଣା ପରେ ଉନ୍ନୟନ କାମ ଆରମ୍ଭ ହୋଇଯାଇଛି। ଏହାର ତଦାରଖ ପାଇଁ ଜିଲାପାଳ ଡ.ଗାଭାଲି ପରାଗ ହର୍ଷଦ ସ୍କୁଲରେ ପହଞ୍ଚି ଅନୁଧ୍ୟାନ କରି ଫେରିଛନ୍ତି। ଏପରିସ୍ଥଳେ ଜୁନାଗଡ଼ ବିଧାୟକ ତଥା ମନ୍ତ୍ରୀ କ୍ୟାପଟେନ୍‌ ଦିବ୍ୟ ଶଙ୍କର ମିଶ୍ର ମହିଚଲା ବାଲାଜୀ ସରକାରୀ ଉଚ୍ଚ ବିଦ୍ୟାଳୟକୁ ପୋଷ୍ୟ ସ୍କୁଲ ଭାବେ ଗ୍ରହଣ କରିଛନ୍ତି। ଯାହାକୁ ନେଇ ସରପଞ୍ଚ ଅଜୟ କୁମାର ବେହେରା ମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି। ମନ୍ତ୍ରୀ କ୍ୟାପଟେନ ମିଶ୍ର ପୂର୍ବରୁ ଜୁନାଗଡ଼ ସରକାରୀ ଉଚ୍ଚ ବିଦ୍ୟାଳୟ ଓ ମହାଲିଙ୍ଗ ସରକାରୀ ଉଚ୍ଚ ବିଦ୍ୟାଳୟକୁ ପୋଷ୍ୟ ସ୍କୁଲ ଭାବେ ଗ୍ରହଣ କରିଛନ୍ତି।