ରାଜ୍ୟରେ ୪ ଡିଗ୍ରୀକୁ ଖସିଲା ପାରଦ

ଭୁବନେଶ୍ୱର(ବ୍ୟୁରୋ)/ଦାରିଙ୍ଗବାଡ଼ି (ଡି.ଏନ୍‌.ଏ.)/ଟେନ୍‌ସା(ଡି.ଏନ୍‌.ଏ.)୨୧।୧୨:  ସମଗ୍ର ରାଜ୍ୟକୁ ହାଡ଼ଭଙ୍ଗା ଶୀତ କବଳିତ କରିଛି। କାଠୁଆ ଜାଡ଼ରେ ଥରୁଛି ଓଡ଼ିଶା। ସଞ୍ଜ ନଇଁବା ମାତ୍ରେ ମାଡ଼ିଆସୁଛି ହାଡ଼ଭଙ୍ଗା ଶୀତ। ଦେହ ହାତ କୋଲା ମାରିଯାଉଛି। ଗାଁଠୁ ସହର ସବୁଠି ଶୀତର ପ୍ରକୋପ ଏତେ ବଢି ଯାଇଛି ଯେ ସକାଳୁ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ଦିନରେ ମଧ୍ୟ ଶୀତର ପ୍ରକୋପ ସେତେଟା ହ୍ରାସ ପାଉ ନାହିଁ। ସକାଳ ୧୦ଟା ଯାଏ ପଦାରେ ଦେହମୁଣ୍ଡ ଥରାଇ ଦେଉଛି। ଦିନତମାମ କୋହଲା ପାଗ ରହୁଛି। ପ୍ରବଳ ଥଣ୍ଡା ଯୋଗୁ ସା ହେଲେ ଲୋକମାନେ ନିଆଁ ଜାଳି ବସୁଥିବା ଦେଖିବାକୁ ମିଳୁଛି। ସେପଟେ ସୋମବାର ରାଜ୍ୟର ୧୩ଟି ସ୍ଥାନରେ ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରୀ ସେଲ୍‌ସିୟସ ତଳକୁ ଖସିଯାଇଛି। ୪ଡିଗ୍ରୀ ସହ ଦାରିଙ୍ଗବାଡ଼ି ସବୁଠାରୁ ଥଣ୍ଡା ସହର ହୋଇଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ସୋମବାର ଦାରିଙ୍ଗବାଡ଼ିରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୪ ଡିଗ୍ରୀ ସେଲ୍‌ସିୟସ ରେକର୍ଡ କରାଯାଇଥିବା ବେଳେ ଫୁଲବାଣୀ ୬.୫, ଝାରସୁଗୁଡ଼ା ୫.୬, ବାରିପଦା ୯.୫, କେନ୍ଦୁଝର ୭.୪, ସମ୍ବଲପୁର ୯, ସୁନ୍ଦରଗଡ଼ ୮, ହୀରାକୁଦ ୯, ତାଳଚେର ୯, ଭବାନୀପାଟଣା ୮.୯, ବଲାଙ୍ଗୀର ୮.୯, ଟିଟିଲାଗଡ଼ ୯.୩ ଏବଂ ସୋନପୁରରେ ସର୍ବନିମ୍ନ ତାପମାତ୍ରା ୬.୯ ଡିଗ୍ରୀ ସେଲ୍‌ସିୟସ ରେକର୍ଡ କରାଯାଇଛି। ତେବେ ପାଣିପାଗ ବିଭାଗ ଆକଳନ ଅନୁଯାୟୀ ଆସନ୍ତା ୩ ଦିନ ଯାଏ ଶୀତ ଥରେଇବ। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, କନ୍ଧମାଳ ଜିଲାରେ ପ୍ରବଳ ଶୀତ ଲହରି ହେବ। ଏ ନେଇ ପାଣିପାଗ ବିଭାଗ ପକ୍ଷରୁ ଅରେଞ୍ଜ ଓ୍ବାର୍ନିଂ ଜାରି କରାଯାଇଛି। ସେହିପରି ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ, ସମ୍ବଲପୁର, ଅନୁଗୋଳ, ଢେଙ୍କାନାଳ, ଯାଜପୁର, କଟକ, ଖୋର୍ଦ୍ଧା, ନୟାଗଡ଼, ବୌଦ୍ଧ, ବଲାଙ୍ଗୀର, ନୂଆପଡ଼ା, କଳାହାଣ୍ଡି, ଦେବଗଡ଼ ଆଦି ଜିଲାରେ ମଧ୍ୟ ଶୀତ ଲହରି ଜାରି ରହିବ ବୋଲି ପାଣିପାଗ ବିଭାଗ ଚେତାବନୀ ଦେଇଛି।
ଅପରପକ୍ଷେ ଦାରିଙ୍ଗବାଡ଼ି ଏବଂ ସୁନ୍ଦରଗଡ଼ ଜିଲାର ଟେନ୍‌ସାଠାରେ ପାରଦ ତଳମୁହାଁ ହେବା ସହିତ ସର୍ବନିମ୍ନ ତୁଷାରପାତ ହୋଇଛି। ସର୍ବନିମ୍ନ ତାପମାତ୍ରା ତଳକୁ ଖସିବା ଯୋଗୁ ଦାରିଙ୍ଗବାଡ଼ି ବିଦ୍ୟୁତ୍‌ ବିଭାଗ କାଯର୍ର୍‌ୟାଳୟ ନିକଟବର୍ତ୍ତୀ ଅଞ୍ଚଳ ସହ କଫି ବଗିଚା, କିଲାବାଡ଼ି, ସିମନବାଡ଼ି, ଶ୍ରାନିକେତା, କିରିକୁଟି, ସିଆଙ୍ଗବାଲି ଓ ଅନ୍ୟ କେତେକ ଦୁର୍ଗମ ଗ୍ରାମରେ ତୁଷାରପାତ ହୋଇଛି। ସେହିପରି ଟେନ୍‌ସା ନିକଟ ଜିରୋ ପଏଣ୍ଟ ସହ କୋଇଡ଼ାର କେତେକ ସ୍ଥାନରେ ତୁଷାରପାତ ହୋଇଥିବା ଦେଖିବାକୁ ମିଳିଛି।