ନୂଆବର୍ଷରୁ ଅନୁଗୋଳରୁ ଗଡ଼ିବ ମେମୁ ଟ୍ରେନ୍‌

ଅନୁଗୋଳ ଅଫିସ, ୧୮।୧୨ ତାଳଚେର ଷ୍ଟେଶନରୁ ଛାଡ଼ୁଥିବା ଅନୁଗୋଳ-ପୁରୀ ମେମୁ ଟ୍ରେନ୍‌ ଅନୁଗୋଳ ଠାରୁ ଚଳାଚଳ କରିବା, ସମ୍ବଲପୁର-ପୁରୀ ଇଣ୍ଟରସିଟି ଏକ୍ସପ୍ରେସ୍‌ ସହିତ ସମସ୍ତ ଯାତ୍ରୀବାହୀ ଟ୍ରେନ୍‌ ସ୍ବାଭାବିକ ଚଳାଚଳ କରାଇବା ଆଦି ଦାବିରେ ଏସ୍‌ୟୁସିଆଇ(କମ୍ୟୁନିଷ୍ଟ) ଅନୁଗୋଳ ଜିଲା କମିଟି ପକ୍ଷରୁ ଶୁକ୍ରବାର ଅନୁଗୋଳ ରେଳ ଷ୍ଟେଶନଠାରେ ଅର୍ଥନୈତିକ ଅବରୋଧ ଆନ୍ଦୋଳନ କରାଯାଇଥିଲା। ଖବରପାଇ କର୍ତ୍ତୃପକ୍ଷ ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରି ଆସନ୍ତା ଜାନୁୟାରୀ ୧ ତାରିଖରୁ ମେମୁ ଟ୍ରେନ୍‌ ଅନୁଗୋଳ ଷ୍ଟେଶନରୁ ପୁରୀ ଅଭିମୁଖେ ଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଏହାପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା।
ପୂର୍ବ କାର୍ଯ୍ୟସୂଚୀ ଅନୁଯାୟୀ ଆନ୍ଦୋଳନକାରୀମାନେ ଶିକ୍ଷକପଡାସ୍ଥିତ ଦଳୀୟ କାର୍ଯ୍ୟାଳୟ ଠାରୁ ଶୋଭାଯାତ୍ରାରେ ବାହାରି ଷ୍ଟେଶନରେ ପହଞ୍ଚତ୍ଥିଲେ। ସେଠାରେ ଉପସ୍ଥିତ ସୁରକ୍ଷା ବଳ ଓ ପୋଲିସ ଆନ୍ଦୋଳନକାରୀମାନଙ୍କୁ ଅଟକାଇଥିଲେ। ପରେ ଅତିରିକ୍ତ ଡିଆର୍‌ଏମ୍‌ ପହଞ୍ଚି ଆଲୋଚନା କରିଥିଲେ। ୨୦୨୨ ଜାନୁୟାରୀ ୧ରୁ ମେମୁ ଟ୍ରେନ୍‌ ସପ୍ତାହକୁ ୩ ଦିନ ଦୁଇ ସପ୍ତାହ ଚାଲିବା ପରେ ଦୈନିକ ଅନୁଗୋଳ ଷ୍ଟେଶନରୁ ଚଳାଚଳ କରିବ ବୋଲି ଘୋଷଣା କରିଥିଲେ। ଏଥିସହ ଅନ୍ୟ ଦାବି ସମ୍ପର୍କରେ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଅବଗତ କରାଇ ପଦକ୍ଷେପ ନେବାକୁ ପ୍ରତିଶ୍ରୁତି ଦେଇଥିଲେ। ଏସ୍‌ୟୁସିଆଇ ଜିଲା କମିଟି ସଭ୍ୟ ନବକିଶୋର ପ୍ରଧାନ, ପ୍ରହଲ୍ଲାଦ ଚନ୍ଦ୍ର ସାହୁ, ବ୍ରଜବନ୍ଧୁ ସାହୁ, ସୁବାସ ପ୍ରଧାନ, ତୀର୍ଥବାସୀ ଭୋଇ, ମାନସ ପାଳ, ରଣଜିତ ପ୍ରଧାନ, ମାନସୀ ସ୍ବାଇଁ, ମନ୍ଦୋଦରୀ ରାଉଳ, ସରୋଜିନୀ ନାୟକ, କୈଳାସ ସାହୁ, ଟୁନା ନାଏକ, ପରମାନନ୍ଦ ସାହୁ, ଜିଲା ଜନଜୀବନ ସୁରକ୍ଷା କମିଟି ଅନ୍ୟତମ ଆବାହକ ଅଭିମନ୍ୟୁ ସ୍ବାଇଁ, ରମେଶ ସାହୁ, ଦାମୋଦର ଦାସ ପ୍ରମୁଖ ଉପସ୍ଥିତ ଥିଲେ।