ଧନିଆର ଔଷଧୀୟ ଗୁଣ

ଧନିଆ କେବଳ ଏକ ମସଲା ଦ୍ରବ୍ୟ ନୁହେଁ, ଏହା ଭିତରେ ଅନେକ ଔଷଧୀୟ ଗୁଣ ମଧ୍ୟ ଲୁଚି ରହିଥାଏ। ଥଣ୍ଡା କିମ୍ବା ପେଟ ଗରମ ଯୋଗୁ ଅନେକ ସମୟରେ ପାଟି ଭିତରେ ଛୋଟ ଛୋଟ ଘା’ ହୋଇଯିବାର ସମସ୍ୟା ଦେଖାଦେଇଥାଏ, ଏଥିରୁ ଉପଶମ ପାଇବାକୁ ହେଲେ ଗୋଟେ ଚାମଚ ଧନିଆ ଗୁଣ୍ଡକୁ ୨୫୦ ଗ୍ରାମ୍‌ ପାଣିରେ ଭଲ ଭାବେ ଫୁଟାଇ ତାହାକୁ ଥଣ୍ଡା କରି ଦିନରେ ୨/୩ ଥର କୁଳୁକୁଞ୍ଚା କଲେ ଆରାମ ମିଳିଥାଏ। ସେହିପରି କୃମି ସମସ୍ୟାରୁ ବି ଏହା ମୁକ୍ତି ଦେଇଥାଏ। କୁହାଯାଏ, ବୟସ୍କ ବ୍ୟକ୍ତିମାନେ ପ୍ରତିଦିନ ସକାଳେ ଓ ସନ୍ଧ୍ୟାରେ ଏକରୁ ଦେଢ ଚାମଚ କଞ୍ଚା ଧନିଆ ଗୁଣ୍ଡକୁ ପାଣିରେ ମିଶାଇ ୧୫ ଦିନ ପର୍ଯ୍ୟନ୍ତ ପିଇଲେ ସେମାନଙ୍କର କୃମିଦୋଷ ଭଲ ହୋଇଯାଇଥାଏ। ସେହିପରି ପିଲାମାନଙ୍କୁ ଏହି ସମସ୍ୟାରେ ୧/୪ ଚାମଚ ଧନିଆଗୁଣ୍ଡ ଖାଇବାକୁ ଦିଆଯାଇପାରେ। ଅନ୍ୟପକ୍ଷେ ବଦ୍‌ହଜମି ଯୋଗୁ ବାନ୍ତି ଲାଗୁଥିଲେ କିଛି ଗୋଟା ଧନିଆକୁ ମିଶିରି ସହିତ ଚୋବାଇ ଖାଇଲେ ଆରାମ ଲାଗିବା ସହ ଛାତିରେ ହେଉଥିବା ଜଳାପୋଡ଼ା ମଧ୍ୟ କେତେକାଂଶରେ କମିଯାଇଥାଏ। ପାଟି ଦୁର୍ଗନ୍ଧ ହେଉଥିଲେ ଧନିଆ ଚୋବାଇଲେ ମଧ୍ୟ ଏ ସମସ୍ୟାରୁ ମୁକ୍ତି ମିଳିଥାଏ।