ଆରମ୍ଭ ହେଲାଣି ଅଙ୍କକଷା

ଢେଙ୍କାନାଳ ଅଫିସ, ୧୫ା୧ ପଞ୍ଚାୟତ ନିର୍ବାଚନ ପାଇଁ ସରଗରମ ହୋଇଉଠିଛି ଢେଙ୍କାନାଳ। ରାଜ୍ୟ ରାଜନୀତିର ଅନ୍ୟତମ ପାଓ୍ବାର କରିଡର କୁହାଯାଉଥିବା ଏହି ଶିଳ୍ପ ଜିଲାରେ ଗତ ପଞ୍ଚାୟତ ନିର୍ବାଚନରେ ଜିଲା ପରିଷଦ ଅଧ୍ୟକ୍ଷ ପଦବୀ ପାଇଁ ବିଜେଡି-ଭାଜପା ମଧ୍ୟରେ ହୋଇଥିଲା ତୁମୁଳ ଲଢ଼େଇ। ତେବେ ସବୁ କଳ୍ପନାଜଳ୍ପନାର ଅନ୍ତ ଘଟାଇ ୧୫-୧୨ ବ୍ୟବଧାନରେ ବାଜି ମାରିନେଇଥିଲା ଶାସକ ଦଳ। ଦୁର୍ବଳ ନେତୃତ୍ୱ ପାଇଁ ମୂଳପୋଛ ହୋଇଯାଇଥିଲା କଂଗ୍ରେସ। ତେବେ ଗତ ୫ ବର୍ଷରେ ସ୍ଥିତି ବଦଳିଛି। କିଛି ନେତା, କର୍ମୀ ପଟ ପରିବର୍ତ୍ତନ କରିଛନ୍ତି। ପ୍ରମୁଖ ଦଳ ନିଜର ସାଙ୍ଗଠନିକ ଶକ୍ତି ମଧ୍ୟ ବଢ଼ାଇଛନ୍ତି। ଏସବୁ ସମୀକରଣକୁ ଦେଖିଲେ ଚଳିତ ନିର୍ବାଚନରେ ତୁମୁଳ ପ୍ରତିଦ୍ୱନ୍ଦ୍ୱିତା ହେବା ସମ୍ଭାବନା ଅଧିକ। ଅପରପକ୍ଷେ ଦୁଇଦିନ ପରେ ୧୭ ତାରିଖରୁ ନାମାଙ୍କନ ପ୍ରକ୍ରିୟା ଆରମ୍ଭ ହେଉଥିବାବେଳେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜେଡି, ଭାଜପା, କଂଗ୍ରେସ ପକ୍ଷରୁ ଆରମ୍ଭ ହୋଇଛି ପ୍ରାର୍ଥୀ ଚୟନ ପ୍ରକ୍ରିୟା।
୨୦୧୭ ପଞ୍ଚାୟତ ନିର୍ବାଚନରେ ୨୭ ଜିଲା ପରିଷଦ ଆସନ ମଧ୍ୟରୁ ବିଜେଡି ଭାଗରେ ପଡ଼ିଥିଲା ୧୫। ଭାଜପା ୧୨ ଆସନ ଅକ୍ତିଆର କରିଥିବାବେଳେ କଂଗ୍ରେସ ଖାତା ଖୋଲି ପାରି ନ ଥିଲା। କରୋନାରେ ପରଜଙ୍ଗ ବ୍ଲକ ୩ନଂ. ଜୋନ୍‌ ସଭ୍ୟଙ୍କ ମୃତ୍ୟୁ ଘଟିବା ପରେ ହୋଇଥିବା ଉପନିର୍ବାଚନରେ ବିଜେଡି ପ୍ରାର୍ଥୀ ବିଜୟୀ ହୋଇଥିଲେ। ଫଳରେ ବିଜେଡି ଆସନ ସଂଖ୍ୟା ୧୬ରେ ପହଞ୍ଚତ୍ଛି। ଏଥର ନିର୍ବାଚନରେ ଅଧ୍ୟକ୍ଷଙ୍କ ସମେତ ୧୪ ଜିଲା ପରିଷଦ ଆସନ ବିଭିନ୍ନ ବର୍ଗର ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି। ତେଣୁ ଉପଯୁକ୍ତ ମହିଳା ପ୍ରାର୍ଥୀଙ୍କୁ ନିର୍ବାଚନ ରଣାଙ୍ଗନକୁ ଓହ୍ଲାଇବାକୁ ରଣନୀତି ପ୍ରସ୍ତୁତ କରୁଛନ୍ତି ପ୍ରମୁଖ ଦଳ। ସବୁ ଦଳ ନିର୍ବିବାଦୀୟ ତଥା ଯୁବ ଚେହେରାଙ୍କୁ ଗୁରୁତ୍ୱ ଦେଉଛନ୍ତି। ଅପରପକ୍ଷେ ଏକାଧିକ ଆଶାୟୀଙ୍କ ମଧ୍ୟରୁ ଉପଯୁକ୍ତ ପ୍ରାର୍ଥୀ ଚୟନ, ନିର୍ବାଚନ ପୂର୍ବରୁ ଆଭ୍ୟନ୍ତରୀଣ କନ୍ଦଳର ସମାଧାନ କରିବା ତୁଙ୍ଗନେତାଙ୍କ ପାଇଁ ଆହ୍ବାନ ସାଜିଛି। ଏପଟେ ଜିଲା ପରିଷଦ ଅଧ୍ୟକ୍ଷ ପଦବୀ ଦଖଲ ପାଇଁ ଉଭୟ ବିଜେଡି, ଭାଜପା ଦୃଢ଼ୋକ୍ତି ପ୍ରକାଶ କରିସାରିଲେଣି। ସେହିପରି ଗତ ନିର୍ବାଚନର ତ୍ରୁଟି ସୁଧାରି ଭଲ ପ୍ରଦର୍ଶନ କରିବାକୁ ଅଣ୍ଟା ଭିଡ଼ିଛି କଂଗ୍ରେସ।