ମାର୍କେଟ ବିଲ୍ଡିଂ ବନ୍ଦ କଲା ବ୍ୟବସାୟୀ ସଂଘ

ଭୁବନେଶ୍ୱର, ୫।୧(ବ୍ୟୁରୋ): ଭୁବନେଶ୍ୱର ୟୁନିଟ୍‌-୨ ମାର୍କେଟ ବିଲ୍ଡିଂରେ ଉଠା ଦୋକାନୀଙ୍କ ଦୌରାତ୍ମ୍ୟ ବଢ଼ି ଚାଲିଛି। ଏମାନଙ୍କ ପାଇଁ ମାର୍କେଟ ପରିସରରେ ଅନେକ ସମୟରେ ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବାସହ ଅଯଥା ଭିଡ଼ ହେଉଛି। ଏପରି ଅଭିଯୋଗ ଆଣି ମାର୍କେଟ ବିଲ୍ଡିଂ ବ୍ୟବସାୟୀ ସଂଘ ଉଠା ଦୋକାନୀଙ୍କୁ ହଟାଇବା ପାଇଁ ବାରମ୍ବାର ଦାବି କରି ଆସୁଥିଲେ ମଧ୍ୟ କିଛି ସୁଫଳ ମିଳୁନାହିଁ। ମଙ୍ଗଳବାର ଜଣେ ମହିଳା ଉଠା ଦୋକାନୀ ଜଣେ ବ୍ୟବସାୟୀଙ୍କ ଗାଡ଼ି ଭାଙ୍ଗିବା ସହ ଗାଳିଗୁଲଜ କରିବାକୁ ନେଇ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଥିଲା। ପ୍ରତିବାଦରେ ସ୍ଥାନୀୟ ବ୍ୟବସାୟୀମାନେ ଆନ୍ଦୋଳନକୁ ଓହ୍ଲାଇଥିଲେ। ଏଥିସହ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ମାର୍କେଟ ବିଲ୍ଡିଂକୁ ବ୍ୟବସାୟୀ ସଂଘ ବନ୍ଦ ଘୋଷଣା କରିଥିଲା। ଘଟଣାସ୍ଥଳରେ ବିଏମ୍‌ସି ଅଧିକାରୀ ଓ କ୍ୟାପିଟାଲ ଥାନା ପୋଲିସ ପହଞ୍ଚତ୍ ଉତ୍ତେଜିତ ବ୍ୟବସାୟୀମାନଙ୍କୁ ବୁଝାଶୁଝା କରିଥିଲେ। ବୁଧବାର ପୂର୍ବାହ୍ନ ୧୧ଟାରେ ବିଏମ୍‌ସି ଅଧିକାରୀଙ୍କ ସହ ସଂଘର ଏକ ବୈଠକ ଡକାଯାଇଛି। ସେଠାରେ ଦୋକାନୀମାନେ ନିଜ ସମସ୍ୟା ସମ୍ପର୍କରେ ବିଏମ୍‌ସି ଅଧିକାରୀଙ୍କ ସହ ଆଲୋଚନା କରିବେ। ଯଦି ସନ୍ତୋଷଜନକ ପ୍ରତିଶ୍ରୁତି ମିଳିଲା, ତେବେ ସେମାନେ ଆନ୍ଦୋଳନରୁ ହଟିବା ସହ ଦୋକାନ ଖୋଲିବେ। ନଚେତ୍‌ ସେମିତି ଦୋକାନ ବନ୍ଦ ରଖି ଆନ୍ଦୋଳନ ଜାରି ରଖିବେ ବୋଲି ସଂଘ ଚେତାବନୀ ଦେଇଛି।
ମାର୍କେଟ୍‌ ବିଲ୍ଡିଂରେ ପ୍ରାୟ ୬୦୦ରୁ ଊର୍ଦ୍ଧ୍ୱ ଉଠା ଦୋକାନୀ ବ୍ୟବସାୟ କରୁଛନ୍ତି। ଲଗାତର ଦୁଇ ତିନିଦିନ ହେବ କେତେଜଣ ଉଠା ଦୋକାନୀ ମାରପିଟ୍‌, ଝଗଡ଼ା, ଗାଡ଼ି ଭଙ୍ଗାରୁଜା ଆଦି କରୁଥିବା ସଂଘ ଅଭିଯୋଗ ଆଣିଛି। ସେମାନେ ମାର୍କେଟ୍‌ ବିଲ୍ଡିଂ ମଝିରେ ବସି ବ୍ୟବସାୟ କରୁଛନ୍ତି। ଯିଏ ପାରୁଛି ଯେଉଁଠି ବସି ବେପାର କରୁଛି। ଫଳରେ ନାନା ସମସ୍ୟା ସୃଷ୍ଟି ହେଉଛି। ଗ୍ରାହକ ଓ ସ୍ଥାୟୀ ଦୋକାନ ମାଲିକଙ୍କୁ ମଧ୍ୟ ଧମକ ଦେଉଛନ୍ତି। ଗାଡ଼ି ଭଙ୍ଗାରୁଜା କରୁଛନ୍ତ। ସେମାନଙ୍କ ପାଇଁ ମାର୍କେଟ୍‌ ବିଲ୍ଡିଂରେ ଅଯଥା ଗହଳି ହେଉଛି। ରାସ୍ତାରେ ଯାଆ ଆସ କରି ହେଉନାହିଁ। ସାଧାରଣ ଲୋକମାନେ ମଧ୍ୟ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏପରିକି କରୋନା ସମୟରେ ଭିଡ଼ ମଧ୍ୟ ଜମୁଛି। ଭିଡ଼ର ସୁଯୋଗ ନେଇ ଚୋରି ଓ ନାନା ଅପରାଧ ଘଟୁଛି। ଉଠା ଦୋକାନୀଙ୍କ ପାଇଁ ଦୋକାନ ଭଡ଼ା ନେଇ ବେପାର କରୁଥିବା ବ୍ୟବସାୟୀଙ୍କର ଘାଟା ହେଉଥିବା ସେମାନେ ଅଭିଯୋଗ କରିଛନ୍ତି।