ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ଗଠନକୁ ୩୩ବର୍ଷ ପୂରିଛି। ନୂତନ ଜିଲା ମନ୍ୟତା ପାଇବା ପରେ ୧୯୯୩ ଅପ୍ରେଲ ୧ ତାରିଖ ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରବାଦ ପୁରୁଷ ସ୍ବର୍ଗତ ବିଜୁ ପଟ୍ଟନାୟକ ବରଗଡ଼ ଜିଲା ଉଦ୍ଘାଟନ କରିଥିଲେ। ବୁଧବାରରୁ ଜିଲା ୩୪ବର୍ଷରେ ପଦାର୍ପଣ କରିବ। ଇତିମଧ୍ୟରେ ରାଜ୍ୟରେ ସରକାର ବଦଳିବା ପରେ ଜିଲାରେ ମଧ୍ୟ ଜନ ପ୍ରତିନିଧି ବଦଳିଛନ୍ତି। ଜିଲାର ପଞ୍ଚାୟତ ସମିତି, ପୌର ପରିଷଦ, ବିଜ୍ଞାପିତ ଅଞ୍ଚଳ ପରିଷଦଠାରୁ ଆରମ୍ଭ କରି ଜିଲା ପରିଷଦ ପର୍ଯ୍ୟନ୍ତ ଶାସନ ବିଭିନ୍ନ ରାଜନୈତିକ ଦଳ ହାତକୁ ଯାଇଛି। ସେହିପରି ଏହି ଅବଧି ମଧ୍ୟରେ ଜିଲାରେ ୨୮ଜଣ ଜିଲାପାଳ ଏବଂ ୩୨ଜଣ ଏସ୍ପି କାର୍ଯ୍ୟ କରିଛନ୍ତି। ପଞ୍ଚାୟତ, ପୌରାଞ୍ଚଳ, ଥାନା ସଂଖ୍ୟା ବଢ଼ିଛି। କିନ୍ତୁ ବିକାଶ କିମ୍ବା ଆଇନଶୃଙ୍ଖଳା କ୍ଷେତ୍ରରେ ସେଭଳି କିଛି ନୂତନତ୍ୱ ଆସି ନାହିଁ। ଅନ୍ୟପଟେ ବିକାଶ ପଛେଇ ଯାଇଥିବାବେଳେ ଶାନ୍ତିପୂର୍ଣ୍ଣ ବରଗଡ଼ ଜିଲାରେ ଆଇନ ଶୃଙ୍ଖଳା ପରିସ୍ଥିତି ଦିନକୁ ଦିନ ସଙ୍ଗୀନ ହେବାରେ ଲାଗିଛି। ଜିଲା ଗଠନ ପରେ ଜିଲାର ମାନଚିତ୍ର ବଦଳିଛି ସତ, କିନ୍ତୁ ଜିଲାର ବିକାଶପଥ ଆଗେଇବା ବଦଳରେ ପଛମୁହାଁ ହୋଇଯାଇଛି।
ଜିଲା ଗଠନର ପୂର୍ବ ଓ ପରସ୍ଥିତିକୁ ଅନୁଧ୍ୟାନ କଲେ ଜିଲାର ଶିକ୍ଷା ବ୍ୟବସ୍ଥା କେଉଁଆଡ଼କୁ ମୁହାଁଉଛି, ତାହା ବାରି ହୋଇ ପଡୁଛି। ଜିଲା ଗଠନ ପରେ ଏଠାରେ ଅନେକ ସ୍କୁଲ, କଲେଜ ଆଦି ଶିକ୍ଷାନୁଷ୍ଠାନ ଗଢ଼ି ଉଠିଛି ସତ। ମାତ୍ର କେଉଁଠି ଶ୍ରେଣୀ କୋଠରୀ ତ ଆଉ କେଉଁଠାରେ ଶିକ୍ଷକ ଅଭାବ ସାଧାରଣରେ ପରିଣତ ହୋଇଯାଇଛି। ଅନ୍ୟପଟେ ଛାତ୍ରୀଛାତ୍ରଙ୍କ ଉପସ୍ଥାନ ହ୍ରାସ ଯୋଗୁ ଅନେକ ପ୍ରାଥମିକ ସ୍କୁଲକୁ ବନ୍ଦ କରି ଦିଆଯାଇଛି। ଏପରିକି ପରୀକ୍ଷାଫଳକୁ ଅନୁଧ୍ୟାନ କଲେ ସରକାରୀ ସ୍କୁଲ ତୁଳନାରେ ଘରୋଇ ଶିକ୍ଷାନୁଷ୍ଠାନ ଗୁଡ଼ିକ ବହୁ ଆଗରେ ରହୁଛନ୍ତି।
ସ୍ବାସ୍ଥ୍ୟ ବ୍ୟବସ୍ଥା କଥା କହିଲେ ନ ସରେ। ଡାକ୍ତରଖାନା ଗୁଡ଼ିକ ଗଢ଼ି ଉଠିଛି। ହେଲେ ଡାକ୍ତରଖାନାରେ ଡାକ୍ତର ନାହାନ୍ତି। ଫଳରେ ଜିଲାବାସୀ ସରକାରୀ ସ୍ବାସ୍ଥ୍ୟକେନ୍ଦ୍ରରୁ ଠିକ୍ଭାବେ ସ୍ବାସ୍ଥ୍ୟସେବା ପାଇ ପାରୁ ନାହାନ୍ତି ଏବଂ ଘରୋଇ ଡାକ୍ତରଖାନା ଉପରେ ନିର୍ଭର କରି ଖର୍ଚ୍ଚାନ୍ତରେ ପଡୁଛନ୍ତି। ନିକଟ ଅତୀତରେ ଜିଲା ମୁଖ୍ୟ ଡାକ୍ତରଖାନାରେ କାର୍ଡବୋର୍ଡ଼ରେ ହାଡ଼ଭଙ୍ଗା ରୋଗୀଙ୍କ ଚିକିତ୍ସା ଏବଂ ବିଭିନ୍ନ ସମୟରେ ମୋବାଇଲ ଟର୍ଚ୍ଚରେ ଚିକିତ୍ସାରୁ ଜିଲାରେ ଲୋକେ କିଭଳି ସ୍ବାସ୍ଥ୍ୟସେବା ପାଉଛନ୍ତି, ତାହା ସହଜରେ ଅନୁମେୟ। କ୍ୟାନସର ରୋଗୀ ସଂଖ୍ୟାରେ ବରଗଡ଼ ଅନ୍ୟଜିଲା ତୁଳନାରେ ବହୁ ଆଗରେ ରହିଛି। ଏଠାରେ ଏକ କ୍ୟାନସର ହସ୍ପିଟାଲ କରିଛି। ମାତ୍ର ଆବଶ୍ୟକ ଡାକ୍ତର କିମ୍ବା ଆନୁସଙ୍ଗିକ ବ୍ୟବସ୍ଥା ନଥିବାରୁ ତାହା ନଥିଲା ଭଳି ପଡ଼ି ରହିଛି।
କୃଷି କ୍ଷେତ୍ରରେ ସମସ୍ୟା ଆହୁରି ଅଧିକ। ଜିଲାର ଚାଷୀମାନେ ସବୁବେଳେ ଧାନବିକ୍ରିଠାରୁ ଆରମ୍ଭ କରି ସାର, କୀଟନାଶକ ଅଭାବ ଓ କଳାବଜାର, ଫସଲବୀମା ଆଦି ସମସ୍ୟାରେ ଛନ୍ଦି ହୋଇ ପଡୁଛନ୍ତି। ମାତ୍ର ତାହା ଅସମାହିତ ହୋଇ ରହି ଯାଇଛି। ଏଭଳି ଧାନବିକ୍ରି ସମସ୍ୟା ନେଇ ଏବେ ମଧ୍ୟ ଜିଲାପାଳଙ୍କ ଅଫିସ ଆଗରେ ଚାଷୀଙ୍କ ଧାରଣା ଜାରି ରହିଛି। ଜଳସେଚନ ବ୍ୟବସ୍ଥାରେ ମଧ୍ୟ ଆଶାନୁରୂପ ସୁଧାର ଆସି ନାହିଁ। ଗଙ୍ଗାଧର ମେହେର ଜଳସେଚନ ପ୍ରକଳ୍ବ ହୋଇଥିଲେ ମଧ୍ୟ ତାହା ଧର୍ମକୁ ଆଖିଠାର ବୋଲି ଚାଷୀମାନେ କହୁଛନ୍ତି। ସେହିପରି ପାନୀୟଜଳ ସମସ୍ୟା ଦିନକୁ ଦିନ ଅଧିକ ଉତ୍କଟ ହେବାରେ ଲାଗିଛି। ବରଗାଁରେ ବୃହତ୍ ପାନୀୟଜଳ ଯୋଗାଣ ପ୍ରକଳ୍ପ ଖୋଲାଯାଇଛି। ବରଗଡ଼ ସହରକୁ ତାହା ପାନୀୟଜଳ ଯୋଗାଉଛି। କିନ୍ତୁ ଉଭୟ ସହର ଏବଂ ଗ୍ରାମାଞ୍ଚଳରେ ପୂର୍ବକାଳରୁ ରହିଥିବା ପୋଖରୀ, ପୁଷ୍କରିଣୀ ଆଦି ଜଳାଶୟ ଗୁଡ଼ିକ ରକ୍ଷଣାବେକ୍ଷଣର ଅଭାବ ଏବଂ ଜବରଦଖଲ ଯୋଗୁ ଲୋପ ପାଇ ଯାଉଛି।
ଜିଲାରେ ରହିଥିବା ବରଗଡ଼ ସମବାୟ ସୂତାକଳ, ଚିନିକଳ, ଶ୍ୟାମଳା ସାର କାରଖାନା, ରାମନଗର ପାୱାର ଲୁମ୍, ସଲଭେଣ୍ଟ ଏକ୍ସଟ୍ରାକ୍ସନ ପ୍ଲାଣ୍ଟ(ବାଦାମ ତେଲ କାରଖାନା) ସମେତ ଅନେକ ଶିଳ୍ପାନୁଷ୍ଠାନ ଅସ୍ତିତ୍ୱ ହରାଇ ସାରିଛି। ରାଜ୍ୟର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ସ୍ବର୍ଗତ ନନ୍ଦିନୀ ସତପଥୀ ୧୯୭୪ ମାର୍ଚ୍ଚ ୨୪ତାରିଖରେ ବରଗଡ଼ ସମବାୟ ଚିନି କାରଖାନା ଲିମିଟେଡ୍କୁ ଉଦ୍ଘାଟନ କରିଥିଲେ। ଜିଲାର ଅନେକ ଆଖୁଚାଷୀ ଏଥିରେ ଉପକୃତ ହେଉଥିବାବେଳେ ସ୍ଥାନୀୟ ଶ୍ରମିକଙ୍କୁ ରୋଜଗାର ମଧ୍ୟ ମିଳୁଥିଲା। କିନ୍ତୁ କାଳକ୍ରମେ ସରକାର ବଦଳିବା ପରେ ଉକ୍ତ କାରଖାନା ପ୍ରତି ଅଣଦେଖା କରାଯାଇଥିଲା ଏବଂ ତାହା ଏବେ ଜରାଜୀର୍ଣ୍ଣ ଅବସ୍ଥାରେ ବନ୍ଦ ହୋଇ ପଡ଼ି ରହିଛି। ଫଳରେ ଜିଲାର ଚାଷୀମାନେ ଆଖୁଚାଷ ପ୍ରତି ମୁହଁ ଫେରାଇ ଦେଇଥିବାବେଳେ ଲୋକେ ନିଯୁକ୍ତି, ରୋଜଗାର ମଧ୍ୟ ହରାଇଛନ୍ତି।
ଏଭଳି ସ୍ଥିତିରେ ରୋଜଗାର, ନିଯୁକ୍ତି କ୍ଷେତ୍ରରେ ମଧ୍ୟ ଜିଲାର ଲୋକଙ୍କୁ ବାହ୍ୟ ଜିଲା କିମ୍ବା ବାହ୍ୟ ରାଜ୍ୟ ଉପରେ ନିର୍ଭର କରିବାକୁ ପଡୁଛି। ଏହି କ୍ରମରେ ଜିଲାରେ ପ୍ରବାସୀ(ଦାଦନ ଶ୍ରମିକ)ଙ୍କ ସଂଖ୍ୟା ଏବେ ବି କମି ନାହିଁ। ଅନ୍ୟପଟେ ଜିଲାର ଭଟଲି ବ୍ଲକ ଅନ୍ତର୍ଗତ ବାଉଲସିଂହାରେ ଇଥାନଲ ପ୍ଲାଣ୍ଟ ଖୋଲିଥିଲେ ମଧ୍ୟ ସେଠାରେ ସ୍ଥାନୀୟ ନିଯୁକ୍ତିକୁ ଉପେକ୍ଷା କରାଯାଉଥିବା ବାରମ୍ବାର ଅଭିଯୋଗ ହୋଇ ଆସୁଛି। ଅମ୍ବାଭୋନା ବ୍ଲକ ଡୁଙ୍ଗୁରୀ ଚୂନପଥର ଖଣି ବନ୍ଦ ହୋଇଥିବାବେଳେ ବରଗଡ଼ ବରଡ଼ୋଲଠାରେ ରହିଥିବା ସିମେଣ୍ଟ କାରଖାନାର ସ୍ଥାୟୀତ୍ୱ ନେଇ ଆଶଙ୍କା ଉପୁଜିଛି।
Dharitri – Odisha’s No.1 Odia Daily

