ଅଧାରେ ଅଟକିଛି ମଣିଭଦ୍ରା ପତୁରିଆ ନଦୀବନ୍ଧ

ନୟାଗଡ଼ ଅଫିସ,୯।୧୦: ଜମି ଅଧିଗ୍ରହଣ ସମସ୍ୟା ଯୋଗୁ ନୟାଗଡ଼ ଜିଲା ଗଣିଆର ମଣିଭଦ୍ରା ପତୁରିଆ ନଦୀବନ୍ଧ ଅଧାରେ ଅଟକିଛି। ବନ୍ୟା ସମସ୍ୟାରୁ ମୁକୁଳିବା ପାଇଁ ଅଞ୍ଚଳବାସୀଙ୍କ ବାରମ୍ବାର ଦାବି ପରେ ଏହି ପ୍ରକଳ୍ପ କାର୍ଯ୍ୟକାରୀ କରିବାକୁ ସ୍ଥିର ହୋଇଥିଲା। ହେଲେ ୨୦୧୩ରୁ ଏହି କାର୍ଯ୍ୟ ଅଧାପନ୍ତରିଆ ହୋଇରହିଛି। ଦଶପଲ୍ଲା ବିଧାୟକ ଏ ନେଇ ବିଭିନ୍ନ ସମୟରେ ବିଧାନସଭାରେ ପ୍ରଶ୍ନ କରିଛନ୍ତି। ତେବେ ଜମି ଅଧିଗ୍ରହଣ ପାଇଁ ଟଙ୍କା ଅଭାବ ଥିବାରୁ ଏହା ଆଉ ଆଗେଇପାରୁ ନ ଥିବା ଜଣାପଡିଛି।
୨୦୦୯ ଜାନୁୟାରୀ ୨ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପତୁରିଆ ନଦୀବନ୍ଧ ଯୋଜନାର ଶିଳାନ୍ୟାସ କରିଥିଲେ। ଗଣିଆ ବ୍ଲକ ମଣିଭଦ୍ରା ପର୍ବତ ଶେଷ ସୀମା ଡଙ୍କାରସାହି ଗ୍ରାମଠାରୁ କିଶୋରପ୍ରସାଦ ପଞ୍ଚାୟତର ପତୁରିଆ ଗାଁ ୧୪ କିମି ପର୍ଯ୍ୟନ୍ତ ଏହି ନଦୀବନ୍ଧ ହୋଇଥାନ୍ତା। ଏହା ହୋଇଥିଲେ କିଶୋରପ୍ରସାଦ, ଗଣିଆ, ବେଲପଡା, ରାସଙ୍ଗ, ଛାମୁଣ୍ଡିଆ, ବଡସିଲିଙ୍ଗା ପଞ୍ଚାୟତରେ ବନ୍ୟା ସମସ୍ୟାକୁ ଏଡ଼ାଇ ଦିଆଯାଇ ପାରିଥାନ୍ତା। କାରଣ ମହାନଦୀ ଓ ବୃତ୍ତଙ୍ଗ ନଦୀରେ ବନ୍ୟା ଆସିଲେ କିଶୋରପ୍ରସାଦ, ଗଣିଆ, ବେଲପଡା ପଞ୍ଚାୟତ ଆଂଶିକ ପ୍ରଭାବିତ ହେଉଥିବାବେଳେ ରାସଙ୍ଗ, ଛାମୁଣ୍ଡିଆ, ବଡସିଲିଙ୍ଗା ପଞ୍ଚାୟତ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୁଏ। ଏଭଳିସ୍ଥଳେ ନଦୀବନ୍ଧ ଯୋଜନା କାର୍ଯ୍ୟକାରୀ କରିବା ପାଇଁ ସ୍ଥାନୀୟ ଲୋକେ ଦାବି କରିବା ପରେ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହୋଇଥିଲା। ପ୍ରାୟ ୮ କିମି ଶେଷ ହୋଇଛି। ଅବଶିଷ୍ଟ ପାଇଁ ଜମି ଅଧିଗ୍ରହଣ ହୋଇପାରିଲା ନାହିଁ। ଏ ନେଇ ନୟାଗଡ଼ ଜଳସେଚନ ବିଭାଗ ନିର୍ବାହୀଯନ୍ତ୍ରୀ ରାଜେନ୍ଦ୍ର ମିଶ୍ର ଓ ଦଶପଲ୍ଲା ଉପନିର୍ବାହୀଯନ୍ତ୍ରୀ ରବୀନ୍ଦ୍ର ନାଥ ସେଠୀ କୁହନ୍ତି, ମଣିଭଦ୍ରା ପତୁରିଆ ନଦୀବନ୍ଧ କାମ ୨୦୧୩ରେ ଶେଷ ହେବାର ଥିଲା। ପ୍ରକଳ୍ପ ପାଇଁ ସ୍ଥାନୀୟ ଲୋକେ ଜମି ଛାଡିବାକୁ ସହମତି ପ୍ରଦାନ କରିଥିଲେ। ପରେ କିଛି ଲୋକ ସହଯୋଗ କଲେ ନାହିଁ। ଫଳରେ ଜମି ଅଧିଗ୍ରହଣ ହୋଇପାରିଲା ନାହିଁ। ନାବାର୍ଡ ପକ୍ଷରୁ ମଞ୍ଜୁର ପ୍ରକଳ୍ପର ଅବଧି ଶେଷ ହୋଇଗଲା। ଅଥଚ କାମ ହୋଇପାରିଲା ନାହିଁ। ଏଭଳିସ୍ଥଳେ ବିଭିନ୍ନ ସମୟରେ ପ୍ରକଳ୍ପ କାର୍ଯ୍ୟ କରିବାକୁ କୁହାଯାଉଛି। ହେଲେ ଜମି ଅଧିଗ୍ରହଣ ପାଇଁ ଅର୍ଥର ଅଭାବ ରହିଛି। ଜମି ଅଧିଗ୍ରହଣ ହେଲେ ପ୍ରକଳ୍ପ କାର୍ଯ୍ୟ ସୁବିଧାରେ ହୋଇପାରିବ। ତେବେ ଏ ନେଇ ବିଭାଗ ପକ୍ଷରୁ ପ୍ରସ୍ତାବ ଦିଆଯାଇଛି ବୋଲି ସେମାନେ କହିଛନ୍ତି।