୮ ମାସରେ ୮୦୦ ଜୀବନ ବଞ୍ଚାଇଲେଣି ଏହି ବ୍ୟକ୍ତି, ମାଗଣାରେ ଯୋଗାଉଛନ୍ତି…

ପାଟଣା,୨୦ା୧୨: ସମଗ୍ର ବିଶ୍ୱ ବର୍ତ୍ତମାନ କରୋନା ମହାମାରୀ ସହିତ ସଂଘର୍ଷ କରୁଛି। ଏଭଳି ପରିସ୍ଥିତିରେ ଲୋକମାନଙ୍କୁ ସାହାଯ୍ୟ କରିବା ପାଇଁ ଗୌରବ ରାୟ ନାମକ ଜଣେ ବ୍ୟକ୍ତି ଆଗେଇ ଆସିଛନ୍ତି। ଗୌରବ ଏମିତି କିଛି କାମ କରିଛନ୍ତି ଯାହା ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛି। ୫୦ ବର୍ଷୀୟ ଗୌରବ କରୋନା ସମୟରେ ଲୋକଙ୍କ ଜୀବନ ରକ୍ଷା କରିଥିବାରୁ ତାଙ୍କୁ ‘ଅକ୍ସିଜେନ୍‌ ମ୍ୟାନ୍‌’ କୁହାଯାଉଛି। ବିଗତ ୮ ମାସ ଧରି ସେ କ୍ରମାଗତ ଭାବରେ ମାଗଣାରେ ରୋଗୀଙ୍କୁ ଅମ୍ଳଜାନ ସିଲିଣ୍ଡର ଯୋଗାଉଛନ୍ତି। ତାଙ୍କର ଏପରି କାର୍ଯ୍ୟକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଉଛି। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଗୌରବ କେବଳ ପାଟଣା ନୁହେଁ ବରଂ ବର୍ତ୍ତମାନ ବିହାରର ୧୮ଟି ଜିଲାରେ ଅମ୍ଳଜାନ ସିଲିଣ୍ଡର ଯୋଗାଇବା କାମ ଆରମ୍ଭ କରିଛନ୍ତି। ଗୌରବ ପ୍ରତିଦିନ ତାଙ୍କ କାର୍‌ରେ ୧୨ରୁ ଅଧିକ ସିଲିଣ୍ଡର ନେଇ ଜିଲାର କୋଣ ଅନୁକୋଣ ବୁଲିଥାନ୍ତି। ଅଭାବୀ ଲୋକମାନଙ୍କଠାରୁ କଲ୍‌ ପାଇବା ମାତ୍ରେ ତାଙ୍କ ଘରେ ନେଇ ଅମ୍ଳଜାନ ସିଲିଣ୍ଡର ଯୋଗାଉଛନ୍ତି। ଯେଉଁମାନେ କରୋନା ସଂକ୍ରମିତ ଆଉ ଘରେ ରହି ଚିକିତ୍ସା ହେଉଛନ୍ତି ଗୌରବ ସେମାନଙ୍କୁ ଏପରି ଅକ୍ସିଜେନ ସିଲିଣ୍ଡର ଯୋଗାଉଛନ୍ତି।

ଗତ ଜୁଲାଇରେ ଗୌରବ କରୋନା ଆକ୍ରାନ୍ତ ହୋଇଥିଲେ। ଯେତେବେଳେ ତାଙ୍କ ଅବସ୍ଥା ଗୁରୁତର ହେଲା, ତାଙ୍କୁ ପାଟଣାର ପିଏମ୍‌ସି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ଏବଂ ତାଙ୍କୁ ଅମ୍ଳଜାନ ସିଲିଣ୍ଡର ଆବଶ୍ୟକ ଥିଲା। ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଗୌରବ ଅମ୍ଳଜାନ ସିଲିଣ୍ଡର ପାଇଁ ଅନେକ ଅସୁବିଧାର ସମ୍ମୁଖୀନ ହୋଇଥିଲେ। କିଛି ଦିନ ମଧ୍ୟରେ ଗୌରବ କରୋନରୁ ମୁକ୍ତି ପାଇଲେ। କିନ୍ତୁ ସେହି ସମୟରେ ସେ ଅମ୍ଳଜାନ ସିଲିଣ୍ଡରର ମହତ୍ତ୍ୱ ଅନୁଭବ କରିଥିଲେ। ଏହି ଅସୁବିଧାକୁ ମନେ ପକାଇ ସେହିଦିନଠାରୁ ଗୌରବ ମାଗଣାରେ ରୋଗୀଙ୍କୁ ଅକ୍ସିଜେନ ସିଲିଣ୍ଡର ଯୋଗାଉଛନ୍ତି।

 

Share