ଭୁଶୁଡ଼ିବାକୁ ବସିଛି ମକରା ନଦୀବନ୍ଧ

କଣାସ,୧୨।୧୧(ସ୍ବ.ପ୍ର.): କଣାସ ବ୍ଲକକୁ ୧୭ରୁ ଊର୍ଦ୍ଧ୍ୱ ନଦୀନାଳ ଘେରି ରହିଛି। ନଦୀବନ୍ଧ ସୁରକ୍ଷା ଦାୟିତ୍ୱରେ ଥିବା ଅଧିକାରୀଙ୍କ ଖାମଖିଆଲ ନୀତି ଯୋଗୁ ପ୍ରତିବର୍ଷ ବନ୍ୟା ସମୟରେ ବିଭିନ୍ନ ନଦୀ ବନ୍ଧ ଭାଙ୍ଗି ଅଞ୍ଚଳର ଲୋକେ ଦୁଦ୍ଦର୍ର୍ଶା ଭୋଗୁଛନ୍ତି। ଚଳିତବର୍ଷ ବନ୍ୟାରେ ରାଜୁଆ ନଦୀରେ ହଳିଦିଆପଡ଼ାଠାରେ ଘାଇ ହେବା ଏବଂ ମକରା ନଦୀରେ ଘାଇ ହେବାରୁ ୮ଟି ପଞ୍ଚାୟତରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲା। ଭାଟପଡ଼ାଠାରୁ ଅଡାଲ ପର୍ଯ୍ୟନ୍ତ ଯାଇଥିବା ମକରା ନଦୀ ବନ୍ଧ ଭୁଶୁଡିବାକୁ ବସିଲାଣି। ଏହି ନଦୀବନ୍ଧ ଖୋର୍ଦ୍ଧା ଜଳସେଚନ ବିଭାଗ ଅଧୀନରେ ରହିଛି। ନଦୀଗର୍ଭରୁ ଖୋଳାଯାଇଥିବାରୁ ବନ୍ଧ ଭୁଶୁଡିପାରେ ବୋଲି ସ୍ଥାନୀୟ ଲୋକେ ଆଶଙ୍କା ବ୍ୟକ୍ତ କରିଛନ୍ତି। ତୁରନ୍ତ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ଦେବା ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି।