ମୁହାଁମୁହିଁ ହୋଇପାରନ୍ତି ପ୍ରମୁଖ ପ୍ରତିଦ୍ୱନ୍ଦ୍ୱୀ

ଭୁବନେଶ୍ୱର,୨୪ା୨(ବ୍ୟୁରୋ): ୩ବର୍ଷ ଧରି ମୂରବି ଶୂନ୍ୟ ଥିବା ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ନୂଆ ନେତା ପାଇବାକୁ ଯାଉଛି। ଏଥିପାଇଁ ଖୁବ୍‌ଶୀଘ୍ର ପୌର ନିର୍ବାଚନର ତାରିଖ ଘୋଷଣା ହେବାକୁ ଥିବାବେଳେ ଏହାକୁ ନେଇ ରାଜଧାନୀ ରାଜନୀତି ବେଶ୍‌ ସରଗରମ ହେବାରେ ଲାଗିଛି। ୱାର୍ଡ଼ ସମସ୍ୟାକୁ ନେଇ ଛକଛକରେ, ଚା’ ଖଟିରେ ସବୁଠି ଚର୍ଚ୍ଚା ଜୋର୍‌ ଧରିଛି। ଇତିମଧ୍ୟରେ ଲୋକଙ୍କ ପାଖରେ ପହଞ୍ଚତ୍ ଆଶାୟୀମାନେ ନାନା ପ୍ରତିଶ୍ରୁତି ଦେଇ ନିଜର ସ୍ଥିତି ସୁଦୃଢ଼ କରିବାକୁ ଚେଷ୍ଟା କରୁଥିବାବେଳେ ଠିକ୍‌ ତଥା ଭରସାଯୋଗ୍ୟ ନେତା ବାଛିବାକୁ ଓ୍ବାର୍ଡବାସୀ ଚାହିଁ ବସିଛନ୍ତି।

ପୌର ନିର୍ବାଚନକୁ ନେଇ ବିଏମ୍‌ସି ଓ୍ବାର୍ଡ ନଂ.୬୩ର ବାସିନ୍ଦା ଓ ନେତାଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି। ଏହି ଓ୍ବାର୍ଡର କର୍ପୋରେଟର ପଦ ମହିଳାଙ୍କ ପାଇଁ ସଂରକ୍ଷିତ ରହିଥିବାରୁ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ପ୍ରାର୍ଥୀ ଦେବାକୁ ପ୍ରସ୍ତୁତି ଚାଲିଛି। ଆଶାୟୀ ପ୍ରାର୍ଥୀମାନେ ମଧ୍ୟ ଟିକେଟ ଲବି ସହ ଓ୍ବାର୍ଡର ୧୨୫୭୬ ଭୋଟରଙ୍କୁ ଆକୃଷ୍ଟ କରିବାକୁ ରଣକୌଶଳ ଆରମ୍ଭ କରିଛନ୍ତି। ଏପରିସ୍ଥଳେ ୨୦୧୪ରୁ ୧୯ ପର୍ଯ୍ୟନ୍ତ କର୍ପୋରେଟର ଥିବା ଭାଜପାର ରଘୁନାଥ ମହାନ୍ତି ସ୍ତ୍ରୀ ଲକ୍ଷ୍ମୀପ୍ରିୟାଙ୍କ ପାଇଁ ଟିକେଟ ହାତେଇବାକୁ ଅଣ୍ଟା ଭିଡିଛନ୍ତି। ଅପରପକ୍ଷେ ରୁନୁ ଜେନା ପୁଣି ବିଜେଡିରୁ ଟିକେଟ ପାଇବାକୁ ଆଶାୟୀ ଅଛନ୍ତି। ୨୦୦୮ରେ ଉଭୟେ ଲକ୍ଷ୍ମୀପ୍ରିୟା ଓ ରୁନୁ ପରସ୍ପର ବିପକ୍ଷରେ ନିର୍ବାଚନ ଲଢିଥିଲେ। ରୁନୁ ବିଜୟୀ ହୋଇଥିବାବେଳେ ଚଳିତବର୍ଷ ପୁଣି ଉଭୟ ପରସ୍ପର ବିରୋଧରେ ଏଜେଣ୍ଡା ପ୍ରସ୍ତୁତ କରିବାରେ ଲାଗିଛନ୍ତି। ତେଣୁ ଇତିହାସର ପୁନରାବୃତ୍ତି ହେବ ନା ଲକ୍ଷ୍ମୀପ୍ରିୟା ବିଜୟୀ ହୋଇ ପୁରୁଣା ପରାଜୟର ପ୍ରତିଶୋଧ ନେବାରେ ସଫଳ ହେବେ ତାହା ଏବେ ଆଲୋଚନାର ବିଷୟବସ୍ତୁ ପାଲଟିଛି। ଅପରପକ୍ଷେ ଓ୍ବାର୍ଡ ନଂ ୬୫ର ପୂର୍ବତନ କର୍ପୋରେଟର ଜ୍ୟୋତ୍ସ୍ନାମୟୀ ଜେନାଙ୍କ ଘର ଜାଗମରା ଗ୍ରାମରେ ହୋଇଥିବାରୁ ସେ ମଧ୍ୟ ଏଠାରୁ ନିର୍ବାଚନ ଲଢିପାରନ୍ତି ବୋଲି ଚର୍ଚ୍ଚା ହେଉଛି। ତେଣୁ କେବଳ ଦଳୀୟ ଟିକେଟ୍‌କୁ ଅପେକ୍ଷା କରି ବସିଛନ୍ତି ପ୍ରାର୍ଥୀ।
ପୂର୍ବତନ କର୍ପୋରେଟର ରଘୁନାଥ କହିଛନ୍ତି, ମୋ ସମୟରେ ରାସ୍ତା ନିର୍ମାଣ, ପାନୀୟ ଜଳ, ଆଲୋକୀକରଣଠାରୁ ଆରମ୍ଭ କରି ଶ୍ମଶାନ ପୁନରୁଦ୍ଧାର, ପୋଖରୀ ପୁନରୁଦ୍ଧାର ତଥା ନୂତନ କରି ବରବାରୀ ପୋଖରୀ ଖନନ କରାଯାଇଛି। ତପୋବନବସ୍ତିର ହିତାଧିକାରୀଙ୍କୁ ରାଶନ କାର୍ଡ଼ ପ୍ରଦାନ କରାଯାଇଛି। ସମସ୍ତ ଉନ୍ନୟନମୂଳକ କାର୍ଯ୍ୟ ସୁଚାରୁରୂପେ ହୋଇଛି। ତେଣୁ ସ୍ତ୍ରୀ ଲକ୍ଷ୍ମୀପ୍ରିୟାଙ୍କୁ ଟିକେଟ ମିଳିଲେ ସେ ନିଶ୍ଚିତ ବିଜୟ ଲାଭ କରି ଉନ୍ନତିମୂଳକ କାର୍ଯ୍ୟକୁ ଆଗେଇ ନେବେ ବୋଲି ସେ କହିଛନ୍ତି।