ଭୁଶୁଡ଼ି ପଡିଲା ଜମ୍ଭୀରା ଡ୍ୟାମ୍‌ର ମୁଖ୍ୟ କେନାଲ

ବାରିପଦା ଅଫିସ,୫।୪: ମୟୂରଭଞ୍ଜ ଜିଲା ଶୁଲିଆପଦା ବ୍ଲକ ଦେଉଳିସ୍ଥିତ ଜମ୍ଭୀରା ଡ୍ୟାମର ମୁଖ୍ୟ କେନାଲର ଖଇକିଆଠାରେ ୩୦ଫୁଟର ଘାଇ ସୃଷ୍ଟି ହୋଇଛି। ସୋମବାର ବିଳମ୍ବିତ ରାତିରେ କେନାଲର ଉକ୍ତ ପାର୍ଶ୍ୱଟି ଧସି ପଡିବାରୁ କେନାଲରୁ ପାଣି ବାହାରି ୫ରୁ ୧୦ଫୁଟ ଉଚ୍ଚରେ ପ୍ରବାହିତ ହୋଇ ନିକଟସ୍ଥ ନଈରେ ମିଶି ଥିଲା। ଗ୍ରୀଷ୍ମ ଋତୁର ଆରମ୍ଭରେ କେନାଲ ଧସି ଯିବା ଯୋଗୁ ମୁଖ୍ୟ ଫାଟକକୁ ବନ୍ଦ କରିଦିଆ ଯାଇଥିବାରୁ କେନାଲକୁ ଲାଗି କରି ଥିବା ଜମିଗୁଡିକ ପ୍ରଭାବିତ ହେବା ଆଶଙ୍କା ରହିଛି। ଫଳରେ ଶହ ଶହ ଚାଷୀ ଚିନ୍ତାରେ ପଡିଛନ୍ତି। ନିମ୍ନମାନର କେନାଲ କାର୍ଯ୍ୟ ଏବଂ ପୂର୍ବରୁ କେନାଲ ଫାଟି ଥିବା ନେଇ ଥବିଭାଗକୁ ଜଣାଇବା ପରେ ମଧ୍ୟ କୋଣସି କାର୍ଯ୍ୟାନୁଷ୍ଠାନ ନ ନେବାରୁ ସ୍ଥାନୀୟ ଲୋକ ସୁବର୍ଣ୍ଣରେଖା ଜଳସେଚନ ବିଭାଗକୁ ଦାୟୀ କରିଛନ୍ତି। ଅନ୍ୟପଟେ କେନାଲ ଭାଙ୍ଗିବା ପରେ ବିଭାଗ ପକ୍ଷରୁ ମୁଖ୍ୟ କେନାଲ ଫାଟକକୁ ବନ୍ଦ କରି ଦିଆଯାଇଥିବା ବେଳେ କେନାଲ ମରାମତି ପାଇଁ ପ୍ରାଥମିକ ପର୍ଯ୍ୟାୟରେ କାର୍ଯ୍ୟ ଆରମ୍ଭ କରାଯାଇଛି।