Categories: ଜାତୀୟ

ମୋଦିଙ୍କ ସଭାରେ ରାଜ୍ୟପାଳଙ୍କୁ ସମାଲୋଚନା କଲେ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ

ପୁଣେ,୭।୩: ମହାରାଷ୍ଟ୍ରର ପୁଣେଠାରେ ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏକ ସଭାରେ ଉପସ୍ଥିତ ଥିବା ରାଜ୍ୟପାଳ ଭଗତ ସିଂ କୋଶିୟାରୀଙ୍କୁ ଉପମୁଖ୍ୟମନ୍ତ୍ରୀ ଅଜିତ ପାଓ୍ବାର ସମାଲୋଚନା କରିଛନ୍ତି। ଉଚ୍ଚ ପଦ ପଦବୀରେ ଥିବା କେତେଜଣ ଲୋକ ଅନାବଶ୍ୟକ ମନ୍ତବ୍ୟ ଦେଉଛନ୍ତି, ଯାହା ରାଜ୍ୟବାସୀଙ୍କ ପାଇଁ ଗ୍ରହଣୀୟ ନୁହେଁ ବୋଲି ଅଜିତ ରାଜ୍ୟପାଳଙ୍କୁ ଇଙ୍ଗିତ କରି କହିଥିଲେ। ପ୍ରଧାନମନ୍ତ୍ରୀ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ କରିବାକୁ ଯାଇଥିବାବେଳେ ପୁଣେର ଏମ୍‌ଆଇଟି କଲେଜ ପଡ଼ିଆରେ ଏକ ସଭାରେ ଯୋଗ ଦେଇଥିଲେ। ସୂଚନାଯୋଗ୍ୟ, ସମର୍ଥ ରାମଦାସ ଛତ୍ରପତି ଶିବାଜୀଙ୍କ ଗୁରୁ ଥିଲେ ବୋଲି ରାଜ୍ୟପାଳ କୋଶିୟାରୀ ନିକଟରେ ଏକ ବିବାଦୀୟ ମନ୍ତବ୍ୟ ଦେଇଥିଲେ। ଏହାକୁ ମହାବିକାଶ ଅଘାଡ଼ି ସରକାରର କେତେକ ନେତା ଏବଂ ଭାଜପା ପକ୍ଷରୁ ବିରୋଧ କରାଯାଇଥିଲା। ଅଜିତ ପାଓ୍ବାର କହିଛନ୍ତି, ଛତ୍ରପତି ଶିବାଜୀ ମହାରାଜ ଓ ତାଙ୍କ ମାଆ ରାଜମାତା ଜିଜାଉ ସ୍ବରାଜ୍ୟ ଗଠନ କରିଥିଲେ। ମହାତ୍ମା ଜ୍ୟୋତିବା ଫୁଲେ ଏବଂ କ୍ରାନ୍ତିଜ୍ୟୋତି ସାବିତ୍ରୀବାଈ ଫୁଲେ ନାରୀ ଶିକ୍ଷାର ମୂଳଦୁଆ ପକାଇଥିଲେ। କାହା ପ୍ରତି ଆକ୍ରୋଶ ନ ରଖି ଓ ବିକାଶମୂଳକ କାର୍ଯ୍ୟରେ ରାଜନୀତି ନ ଆଣି ଆମେ ସେମାନଙ୍କ ଲିଗାସିକୁ ଆଗେଇନେବା ଆବଶ୍ୟକ ବୋଲି ଉପମୁଖ୍ୟମନ୍ତ୍ରୀ କହିଥିଲେ।

Share