୬ ବର୍ଷ ପରେ ଘରକୁ ଫେରିଲେ ହଜିଲା ପୁଅ

ବରଗଡ଼ ଅଫିସ୍‌,୨୦ା୮: ଉତ୍ତର ପ୍ରଦେଶ ରାଜ୍ୟ ସୋନଭଦ୍ର ଜିଲା ସୁଖହାରା ଗ୍ରାମର ଉଦୟ ଓରଫ ରାଜୁ ଗୌଡ଼। ସେ ଉକ୍ତ ଗ୍ରାମର ପଞ୍ଚମ ଗୌଡ଼ଙ୍କ ସାନପୁଅ। ଭାଇ ଭଉଣୀ ମଧ୍ୟରୁ ଉଦୟ ମଧ୍ୟମ ସନ୍ତାନ। ୨୦୧୬ରେ ସେ ଘରୁ ନିଖୋଜ ହୋଇ ଓଡ଼ିଶା ଚାଲିଆସିଥିଲେ। ସେତେବେଳେ ମାନସିକ ଅନଗ୍ରସର ଉଦୟଙ୍କୁ ଅପରେଶନ ମୁସ୍କାନ ଦ୍ୱାରା ବରଗଡ଼ ରୋଡ୍‌ ରେଳଷ୍ଟେଶନରୁ ଉଦ୍ଧାର କରାଯାଇଥିଲା। ଜିଲା ଶିଶୁ ମଙ୍ଗଳ ସମିତି ଆଦେଶରେ ଜନକେଡ଼ାସ୍ଥିତ ଗୋପବନ୍ଧୁ ସେବା ସଦନରେ ତାଙ୍କୁ ରଖାଯାଇଥିଲା। ତାଙ୍କୁ ବାରମ୍ବାର କାଉନସେଲିଂ ସତ୍ତ୍ବେ ସେ ନିଜ ପରିଚୟ ଦେଇ ପାରୁ ନ ଥିଲେ। ଗତ ଜୁଲାଇରେ ଉଦୟଙ୍କୁ ପୁଣି କାଉନସେଲିଂ ପରେ ତାଙ୍କ ଠିକଣା ଜଣାପଡ଼ିଥିଲା। ଏହାପରେ ବରଗଡ଼ ଅତିରିକ୍ତ ଜିଲାପାଳ ମିର୍ଦ୍ଧା ଟପ୍ପୋ ସୋନଭଦ୍ର ଜିଲା ପ୍ରଶାସନ ସହିତ ଯୋଗାଯୋଗ କରିଥିଲେ। ଫୋନ୍‌ ଏବଂ ଚିଠି ମାଧ୍ୟମରେ ସୋନଭଦ୍ର ଜିଲା ପ୍ରଶାସନକୁ ଅବଗତ କରିବା ସହିତ ତଦନ୍ତ କରାଯାଇଥିଲା। ଏହାପରେ ଗୁରୁବାର ଉଦୟଙ୍କ ବଡ଼ଭାଇ ପିଣ୍ଟୁ ଓ ସମ୍ପର୍କୀୟ ଅଜା ବରଗଡ଼ ଆସିଥିଲେ। ସେମାନେ ବରଗଡ଼ ଜିଲା ପ୍ରଶାସନ ଏବଂ ଶିଶୁ ମଙ୍ଗଳ ସମିତି କର୍ତ୍ତୃପକ୍ଷଙ୍କୁ ଭେଟି ହଜିଲା ପୁଅ ଉଦୟଙ୍କୁ ଫେରି ପାଇଥିଲେ। ଶିଶୁ ମଙ୍ଗଳ ସମିତିର ଭାରପ୍ରାପ୍ତ ଅଧ୍ୟକ୍ଷ ବିଦ୍ୟୁତ୍‌ ଦାଶ, ସଦସ୍ୟା କବିତା ମେହେର, ବିରେନ୍ଦ୍ର ମେହେର, ଗୋପବନ୍ଧୁ ସେବା ସଦନର ଭାରପ୍ରାପ୍ତ ଅଧିକାରୀ କେଶବ ପଟେଲ, ପାଣ୍ଡବ ବିଶ୍ୱାଳ, ଚାଇଲ୍ଡ ଲାଇନ୍‌ର ବିକାଶ ମହାପାତ୍ରଙ୍କ ସହଯୋଗ ଏବଂ ପ୍ରଚେଷ୍ଟାରେ ଶୁକ୍ରବାର ଉଦୟ ପରିବାର ସହିତ ନିଜ ଘରକୁ ଫେରିଥିଲେ। ଇତିମଧ୍ୟରେ ଉଦୟଙ୍କ ମା’ ଆଉ ଦୁନିଆଁରେ ନାହାନ୍ତି। ହଜିଲା ପୁଅକୁ ଝୁରି ତାଙ୍କ ଦେହାନ୍ତ ହୋଇସାରି ଥିବାବେଳେ ବାପା ଶଯ୍ୟାଶାୟୀ ଥିବା ଜଣାପଡିଛି।