ତଦନ୍ତ ପାଇଁ ଭିଜିଲାନ୍ସକୁ ଲୋକାୟୁକ୍ତଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର, ୧୮।୫(ବ୍ୟୁରୋ): କୃଷି ଯନ୍ତ୍ରାଂଶ ସବ୍‌ସିଡି ହଡ଼ପ ଘଟଣାର ତଦନ୍ତ ପାଇଁ ଭିଜିଲାନ୍ସକୁ ନିର୍ଦ୍ଦେଶ ଦେଇଛନ୍ତି ଲୋକାୟୁକ୍ତ। ଜୁଲାଇ ୧୫ ମଧ୍ୟରେ ଆବଶ୍ୟକ ତଦନ୍ତ କରି ରିପୋର୍ଟ ପ୍ରଦାନ କରିବାକୁ ଭିଜିଲାନ୍ସ ନିର୍ଦ୍ଦେଶକଙ୍କୁ ଲୋକାୟୁକ୍ତ ଗତ ୧୩ ତାରିଖରେ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି। ଏହି ନିର୍ଦ୍ଦେଶ ପରେ ନିଗମାନନ୍ଦ ଆସୋସିଏଟ୍‌ସର ମାଲିକ ତଥା ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡାଙ୍କ ପାଇଁ ଅଡ଼ୁଆ ବଢ଼ିଛି।
ସୂଚନା ଅନୁଯାୟୀ, ନିଗମାନନ୍ଦ ଆସୋସିଏଟ୍‌ସ ଧାନକଟା ଯନ୍ତ୍ର, ଟ୍ରାକ୍ଟର ଓ ପାୱାରଟିଲର ଆଦି କୃଷି ଯନ୍ତ୍ରାଂଶ ବିକ୍ରୟ କରିଥାଏ। ଏହି କୃଷି ଯନ୍ତ୍ରାଂଶ ବାବଦକୁ ସରକାରଙ୍କ ପକ୍ଷରୁ ଡିବିଟି ସ୍କିମ୍‌ ଜରିଆରେ ଚାଷୀଙ୍କୁ ସବ୍‌ସିଡି ମିଳିଥାଏ। ତେବେ ବିଧାୟକ ଆଦିବାସୀ ଚାଷୀଙ୍କ ନାଁ ରେ ଚଞ୍ଚକତା କରି କୋଟି କୋଟି ଟଙ୍କା ସବ୍‌ସିଡି ଅର୍ଥକୁ ହଡପ କରିଥିବା ଅଭିଯୋଗ ହୋଇ ଆସୁଛି। ମୟୂରଭଞ୍ଜ ଓ ବାଲେଶ୍ୱରର କେତେଜଣ ଚାଷୀ ନାଁରେ ଏହି ସବ୍‌ସିଡ ଅର୍ଥ ହଡପ କରାଯାଇଥିବା ନେଇ ଲୋକାୟୁକ୍ତଙ୍କ ନିକଟରେ ଅଭିଯୋଗ ହୋଇଥିଲା। ହିତାଧିକାରୀଙ୍କ ବ୍ୟାଙ୍କ ଜମାଖାତାରେ ନିଗମାନନ୍ଦ ଆସୋସିଏଟ୍‌ସ ୨୫ ଲକ୍ଷ ଟଙ୍କା ଜମା କରି ପୁଣି ସେହି ଅର୍ଥକୁ ସଂସ୍ଥା ଜମାଖାତାକୁ ଟ୍ରାନ୍ସଫର କରିଛି। ହିତାଧିକାରୀଙ୍କୁ ଧାନକଟା ଯନ୍ତ୍ର ନ ଦେଇ କାଗଜପତ୍ରରେ ବିକ୍ରୟ କରାଯାଇଥିବା ଦର୍ଶାଇ ଉକ୍ତ ସଂସ୍ଥା ନିର୍ଦ୍ଦିଷ୍ଟ ଦଲାଲଙ୍କ ମାଧ୍ୟମରେ ପ୍ରତ୍ୟେକ ଯନ୍ତ୍ର ବାବଦକୁ ୬ଲକ୍ଷ ଟଙ୍କା ଲେଖାଏ ସବ୍‌ସିଡି ଅର୍ଥକୁ ହଡ଼ପ କରିଥିବା ଅଭିଯୋଗ ହୋଇଛି। ଏପରି ଭାବେ ନିଗମାନନ୍ଦ ଜଆସୋସିଏଟ୍‌ର ମାଲିକ ରେମୁଣା ବିଧାୟକ ୨୦୧୭-୧୮,୨୦୧୮-୧୯ ଓ ୨୦୧୯-୨୦ରେ ଜାଲ ହିତାଧିକାରୀଙ୍କ ଜରିଆରେ କୋଟି କୋଟି ଟଙ୍କା ସବ୍‌ସିଡି ଅର୍ଥ ହଡପ କରିଥିବା ନେଇ ଫେବୃୟାରୀ ୪ରେ ବାଲେଶ୍ୱର ରଣାସାହିର ତନୟ ମହାନ୍ତି ଲୋକାୟୁକ୍ତଙ୍କ ନିକଟରେ ଅଭିଯୋଗ କରିଥିଲେ।