ପିପିଇ କିଟ୍‌ ଦୁର୍ନୀତି ମାମଲା ବନ୍ଦ କଲେ ଲୋକାୟୁକ୍ତ

ଭୁବନେଶ୍ୱର,୨୭।୩(ବ୍ୟୁରୋ): ବହୁ ଚର୍ଚ୍ଚିତ ପିପିଇ କିଟ୍‌ ଓ ମାସ୍କ କିଣା ଦୁର୍ନୀତି ମାମଲାରେ ଲୋକାୟୁକ୍ତଙ୍କ ୩ଜଣିଆ ଖଣ୍ଡପୀଠ ଶୁକ୍ରବାର ଚୂଡ଼ାନ୍ତ ରାୟ ଶୁଣାଇଛନ୍ତି। ଭିଜିଲାନ୍ସ ପକ୍ଷରୁ ପ୍ରଦାନ କରାଯାଇଥିବା ପ୍ରାଥମିକ ତଦନ୍ତ ରିପୋର୍ଟ ଆଧାରରେ ଖଣ୍ଡପୀଠ ରାଜ୍ୟ ସରକାରଙ୍କୁ କ୍ଲିନ୍‌ ଚିଟ୍‌ ଦେବା ସହ ପିପିଇ କିଟ୍‌ ଓ ମାସ୍କ କିଣାରେ କୌଣସି ପ୍ରକାର ଦୁର୍ନୀତି ହୋଇ ନ ଥିବା ଦର୍ଶାଇ ମାମଲାକୁ ବନ୍ଦ କରିଦେଇଛନ୍ତି। ଏହି ଗୁରୁତ୍ୱପୂର୍ଣ୍ଣ ମାମଲାର ଶୁଣାଣି ସମୟରେ ଅଭିଯୋଗକାରୀ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷ ସୁଶାନ୍ତ ପାଢୀ ଓ କଂଗ୍ରେସ ମୁଖପାତ୍ର ସୁଦର୍ଶନ ଦାସ ଉପସ୍ଥିତ ଥିଲେ।
ତେବେ ଲୋକାୟୁକ୍ତଙ୍କ ଏହି ଶୁଣାଣି ଉପରେ କଂଗ୍ରେସ ପ୍ରଶ୍ନ ଉଠାଇଛି। ଭିଜିଲାନ୍ସ ରିପୋର୍ଟକୁ ସାର୍ବଜନୀନ ନ କରି ଏପରିକି ଆବେଦନକାରୀଙ୍କୁ ନ ଦେଖାଇ ଓ ତା’ର ସତ୍ୟତା ଉପରେ ଅନୁସନ୍ଧାନ ନ କରି ଲୋକାୟୁକ୍ତ ଚୂଡ଼ାନ୍ତ ରାୟ ଦେଇଥିବାରୁ ଆବେଦନକାରୀ ତଥା କଂଗ୍ରେସ ମୁଖପାତ୍ର ଦାସ ଅସନ୍ତୋଷ ପ୍ରକାଶ କରିଛନ୍ତି। ପ୍ରଦେଶ କଂଗ୍ରେସ କମିଟି(ପିସିସି) ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ପରାମର୍ଶକ୍ରମେ ହାଇକୋର୍ଟରେ ଏହି ନିଷ୍ପତି ବିରୋଧରେ ଅପିଲ କରାଯିବ ବୋଲି ସୁଦର୍ଶନ କହିଛନ୍ତି।
ସୂଚନା ଅନୁଯାୟୀ, କୋଭିଡ୍‌ ପରିଚାଳନା ସମୟରେ ପିପିଇ କିଟ୍‌ ଓ ମାସ୍କ କିଣିବାରେ ରାଜ୍ୟ ସରକାରଙ୍କ ପକ୍ଷରୁ କୋଟି କୋଟି ଟଙ୍କା ଦୁର୍ନୀତି କରାଯାଇଥିବା ନେଇ ଭାଜପା ଓ କଂଗ୍ରେସ ପକ୍ଷରୁ ଅଭିଯୋଗ କରାଯାଇଥିଲା। ଏହାର ତଦନ୍ତ ପାଇଁ ସୁଶାନ୍ତ ପାଢୀ ଓ ସୁଦର୍ଶନ ଦାସ ଗତବର୍ଷ ଜୁନ୍‌ ୧୭ରେ ଲୋକାୟୁକ୍ତଙ୍କ ଦ୍ୱାରସ୍ଥ ହୋଇଥିଲେ। ଆବେଦନକୁ ଗ୍ରହଣ କରି ଲୋକୟୁକ୍ତ ଏହା ଉପରେ ୮ଥର ଶୁଣାଣି କରିଥିଲେ। ରାଜ୍ୟ ସରକାରଙ୍କ ତକତ୍ାଳୀନ ଶିଳ୍ପ ବିଭାଗ ସଚିବ ତଥା କୋଭିଡ୍‌ ସାମଗ୍ରୀ କିଣା ଦାୟିତ୍ୱରେ ଥିବା ବରିଷ୍ଠ ଆଇଏଏସ୍‌ ଅଫିସର ହେମନ୍ତ ଶର୍ମା, ଔଷଧ ନିଗମ ଏମ୍‌.ଡି. ଯାମିନୀ ଷଡ଼ଙ୍ଗୀ, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ପ୍ରମୁଖ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ରଙ୍କୁ ପକ୍ଷଭୁକ୍ତ କରି ମୌଖିକ ଓ ଲିଖିତ ଜବାବ ତଲବ କରିଥିଲେ। ଏଥିସହ ମୁଖ୍ୟ ଶାସନ ସଚିବଙ୍କୁ ମଧ୍ୟ କେଉଁ ପରିପ୍ରେକ୍ଷୀରେ ହେମନ୍ତ ଶର୍ମାଙ୍କୁ କୋଭିଡ୍‌ ସାମଗ୍ରୀ କିଣା କମିଟିରୁ ବାଦ୍‌ କରାଗଲା ତା’ର ଜବାବ ମାଗିଥିଲେ। ଗତ ଡିସେମ୍ବର ୭ରେ ଏହାର ପ୍ରାଥମିକ ତଦନ୍ତ ପାଇଁ ଭିଜିଲାନ୍ସଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଭିଜିଲାନ୍ସ ପକ୍ଷରୁ ଗତ ୧୬ ତାରିଖରେ ଲୋକାୟୁକ୍ତଙ୍କ ନିକଟରେ ତଦନ୍ତ ରିପୋର୍ଟ ଦାଖଲ ହୋଇଥିଲା। ଭିଜିଲାନ୍ସର ଏହି ରିପୋର୍ଟ ଆଧାରରେ ଖଣ୍ଡପୀଠ ଶୁଣାଣି କରିଥିଲେ।