ଲୋଗୋ ଅସଲି, ଘଣ୍ଟା ନକଲି

କଟକ ଅଫିସ,୩୦।୭: ଘଣ୍ଟାରେ ଏକ ନିର୍ଦ୍ଦିଷ୍ଟ ନାମୀ କମ୍ପାନୀର ଅସଲି ଲୋଗୋ ରହିଛି। କିନ୍ତୁ ଘଣ୍ଟା ନକଲି। ଏହି ନକଲି ହାତଘଣ୍ଟା ବିକ୍ରି ଅଭିଯୋଗରେ ବାଦାମବାଡି ପୋଲିସ ଦୋକାନର କର୍ମଚାରୀଙ୍କୁ ଗିରଫ କରି ଗୁରୁବାର କୋର୍ଟଚାଲାଣ କରିଛି। ସେ ହେଲେ କଟକ ଜିଲା କିଶୋରନଗର ଅଞ୍ଚଳର କାଳୀପ୍ରସାଦ ମହାନ୍ତି(୪୨)। ତାଙ୍କ ଦୋକାନରୁ ୮୮୪ ନକଲି ଘଣ୍ଟା ପୋଲିସ ଜବତ କରିଛି।
ବାଦାମବାଡି ଥାନାରେ ଆୟୋଜିତ ଖବରଦାତା ସମ୍ମିଳନୀରେ ଏସିପି ଏସ.ଏନ. ମୁଦୁଲି କହିଛନ୍ତି, ବାଦାମବାଡି ଥାନା ଅନ୍ତର୍ଗତ ଜିତ୍‌ ମାର୍କେଟର ଆର.କେ. ୱାଚ୍‌କୋ.ରେ ଏକ ନିର୍ଦ୍ଦିଷ୍ଟ ବ୍ରାଣ୍ଡର ନକଲି ଘଣ୍ଟା ବିକ୍ରି ହେଉଥିବା ଅଭିଯୋଗ ହୋଇଥିଲା। ଏହି ଅଭିଯୋଗ ଆଧାରରେ ବୁଧବାର ଉକ୍ତ ଦୋକାନରେ ପୋଲିସ ଚଢାଉ କରି ୩୬୦ଟି ମହିଳା(ମେଟାଲ ବ୍ୟାଣ୍ଡ), ୨୯୯ଟି ପୁରୁଷ(ମେଟାଲ ବ୍ୟାଣ୍ଡ), ୧୩୭ଟି ପୁରୁଷ(ରବର ବ୍ୟାଣ୍ଡ), ୮୮ଟି ମେଟାଲ ହାତଘଣ୍ଟା ଜବତ କରିବା ସହ କାଳୀପ୍ରସାଦଙ୍କୁ ଗିରଫ କରିଥିଲା। ଏ ନେଇ ଥାନାରେ ଏକ ମାମଲା (ନଂ. ୨୧୫/୨୧) ରୁଜୁ ହୋଇଛି। ଅନ୍ୟପକ୍ଷରେ ଏହି ବେଆଇନ କାରବାରର ମୁଖ୍ୟ ଅଭିଯୁକ୍ତ ତଥା ଦୋକାନ ମାଲିକ ରାଜକିଶୋର ହରିଚନ୍ଦନ ଫେରାର ଅଛନ୍ତି। ଖୁବ୍‌ଶୀଘ୍ର ତାଙ୍କୁ ଗିରଫ କରାଯିବ ବୋଲି ବାଦାମବାଡି ଥାନା ଅଧିକାରୀ ରଶ୍ମିରଞ୍ଜନ ମହାପାତ୍ର କହିଛନ୍ତି।