ନୂଆ ରୂପରେ ଚମକିଲା ଲୋକୋମୋଟିଭ୍‌ ଇଞ୍ଜିନ

ପୁରୀ ଅଫିସ,୧୯।୮: ପୁରୀ ସହରରେ ବ୍ରିଟିଶ ଅମଳରୁ ରହିଥିବା ଐତିହ୍ୟ ସମ୍ପନ୍ନ ତଥା ବହୁ ପୁରାତନ ଲୋକୋମୋଟିଭ୍‌ ଇଞ୍ଜିନକୁ ପୁଣି ଥରେ ନୂଆ ରୂପରେ ସଜେଇ ଦିଆଯାଇଛି। ଚାଣକ୍ୟ ବିଏନ୍‌ଆର୍‌ ହୋଟେଲ ପରିସରରେ ଥିବା ଏହି ଇଞ୍ଜିନକୁ କିଛିଦିନ ତଳେ ପୁରୀରୁ ସ୍ଥାନାନ୍ତର କରିବା ପାଇଁ ଉଦ୍ୟମ ହୋଇଥିଲା। ତେବେ ପୁରୀ ସହରବାସୀ ଏହାକୁ ଦୃଢ଼ ବିରୋଧ କରିଥିଲେ। ପୂର୍ବତଟ ରେଳପଥ ପକ୍ଷରୁ ଏହାର ସ୍ଥାନାନ୍ତର ପ୍ରସ୍ତାବକୁ ଖାରଜ କରାଯାଇଥିବା ବେଳେ ଏହାର ନବୀକରଣ କାର୍ଯ୍ୟ ଗତ ତିନି ଦିନ ଧରି ଚାଲିଥିଲା। ଏବେ ଏହା ନୂଆ ରୂପରେ ଚମକୁଥିବା ଦେଖିବାକୁ ମିଳିଛି। ଇଞ୍ଜିନ୍‌ଟି ଚାଣକ୍ୟ ବିଏନ୍‌ଆର୍‌ ହୋଟେଲ ମଧ୍ୟରେ ଏକ ଖୋଲା ସ୍ଥାନରେ ଦୀର୍ଘ ବର୍ଷ ଧରି ରଖାଯାଇଥିବାରୁ ଏହାର ରକ୍ଷଣାବେକ୍ଷଣ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯିବାକୁ ପୁରୀ ସହରବାସୀ ଦାବି କରିଛନ୍ତି। ସ୍ଥାନାନ୍ତର ପ୍ରକ୍ରିୟା ଆରମ୍ଭ ବେଳେ ଏହାକୁ ବିରୋଧ କରି ଥାନାରେ ଅଭିଯୋଗ ଦାଖଲ କରିଥିବା ସାମାଜିକ କର୍ମୀ ହେକ୍ଟର ମିଶ୍ର କହିଛନ୍ତି, ପ୍ରଥମେ ଏହି ଐତିହ୍ୟ ଇଞ୍ଜିନ୍‌ ପାଇଁ ଶେଡ୍‌ ପ୍ରସ୍ତୁତ କରାଯାଉ। ଦେଶ ବିଦେଶର ଲୋକେ ପୁରୀ ବୁଲିବାକୁ ଆସିଲେ ଏହାକୁ ଦେଖିବା ପାଇଁ ଆଗ୍ରହ ପ୍ରକାଶ କରିବେ। ଏକ ଛୋଟ ସଂଗ୍ରହାଳୟ ଭାବେ ସମ୍ପୃୃକ୍ତ ସ୍ଥାନକୁ ବିକଶିତ କରାଗଲେ ପୁରୀ ସହରରେ ଥିବା ବ୍ରିଟିଶ୍‌ ଅମଳର ଏହି ଲୋକୋମୋଟିଭ୍‌ ଇଞ୍ଜିନକୁ ଦେଖିବା ପାଇଁ ଗହଳି ହେବ। ଅନ୍ୟପକ୍ଷରେ ପୂର୍ବତଟ ରେଳପଥ ଲୋକ ସମ୍ପର୍କ ବିଭାଗ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ଯେ, ପ୍ରଥମେ ଏହାକୁ ସ୍ଥାନାନ୍ତର କରିବା ପାଇଁ ପ୍ରସ୍ତାବ ଥିଲା। ମାତ୍ର ପରେ ପୁରୀ ସହରବାସୀଙ୍କ ଉଦ୍ଦେଶ୍ୟରେ ଏହାକୁ ସେହିଠାରେ ରଖିବା ପାଇଁ ନିଷ୍ପତ୍ତି ନିଆଯାଇଛି। ଏବେ ଏହାର ନବୀକରଣ କାର୍ଯ୍ୟ ଶେଷ ହୋଇଛି। ଶେଡ୍‌ ନିର୍ମାଣ ଏକ ସ୍ବାଗତଯୋଗ୍ୟ ପ୍ରସ୍ତାବ ହୋଇଥିବାରୁ ଏନେଇ ଶୀଘ୍ର ନିଷ୍ପତ୍ତି ନିଆଯିବ।