ଆଜି ପ୍ରକାଶ ପାଇବ ପଞ୍ଚାୟତ ନିର୍ବାଚନ ଲାଗି ସଂରକ୍ଷଣ ଚିଠା ତାଲିକା

ଭୁବନେଶ୍ୱର,୮।୧୦(ବ୍ୟୁରୋ): ପଞ୍ଚାୟତ ନିର୍ବାଚନର ସଂରକ୍ଷଣ ବ୍ୟବସ୍ଥା ନେଇ ସଂରକ୍ଷଣ ଚିଠା ତାଲିକା ଶୁକ୍ରବାର ପ୍ରକାଶ ପାଇବ । କେଉଁ ଆସନ କାହା ପାଇଁ ସଂରକ୍ଷଣ ହେବ, ସେ ନେଇ ଜିଲାସ୍ତରରେ ଚିଠା ତାଲିକା ପ୍ରକାଶ ପାଇବ। ଏ ନେଇ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା ସୂଚନା ଦେଇଛନ୍ତି। ସେ କହିଛନ୍ତି, ୱାର୍ଡ ମେମ୍ବର, ସରପଞ୍ଚ, ସମିତିସଭ୍ୟ, ବ୍ଲକ ଚେୟାରମ୍ୟାନ ଓ ଜିଲାପରିଷଦ ସଦସ୍ୟ ଆସନ ସଂରକ୍ଷଣ ଲାଗି ଏହି ଚିଠା ତାଲିକା ପ୍ରକାଶ ପାଇବ। ଓ୍ବାର୍ଡ ମେମ୍ବର, ସରପଞ୍ଚ, ସମିତି ସଭ୍ୟ ଓ ବ୍ଲକ ଚେୟାରମ୍ୟାନ ଆସନ ପାଇଁ ଯଦି କିଏ ଚାହିଁବ ଆସନ୍ତା ୧୬ ତାରିଖରେ ଆପତ୍ତି କରିପାରିବେ। ୨୧ ତାରିଖ ସୁଦ୍ଧା ଜିଲାପାଳଙ୍କ ଦ୍ୱାରା ଆପତ୍ତି ଅଭିଯୋଗର ଶୁଣାଣି କରି ସମାଧାନ କରାଯିବ। ୨୬ ତାରିଖରେ ଚୂଡାନ୍ତ ତାଲିକା ପ୍ରକାଶ ପାଇବ। ଜିଲା ପରିଷଦ ସଦସ୍ୟ ଆସନ ସଂରକ୍ଷଣ ପାଇଁ ଆପତ୍ତି ଥିଲେ ୧୮ ତାରିଖ ସୁଦ୍ଧା ଅଭିଯୋଗ କରିପାରିବେ। ୨୨ ତାରିଖରେ ଶୁଣାଣି କରାଯାଇ ଜିଲାପାଳଙ୍କ ଦ୍ୱାରା ସମାଧାନ କରାଯିବ। ୨୯ ତାରିଖରେ ସରକାରଙ୍କ ଅନୁମୋଦନ ନିଆଯାଇ ୩୦ ତାରିଖରେ ଚୂଡାନ୍ତ ତାଲିକା ପ୍ରକାଶ ପାଇବ। ଜିଲାପରିଷଦ ଅଧ୍ୟକ୍ଷ ଆସନ ପାଇଁ ୧୬ ତାରିଖରେ ସଂରକ୍ଷଣ ଚିଠା ତାଲିକା ପ୍ରକାଶ ହେବ। ୩୦ ତାରିଖ ସୁଦ୍ଧା ସମସ୍ତ ପ୍ରକ୍ରିୟା ଶେଷ କରି ରାଜ୍ୟ ନିର୍ବାଚନ କମିଶନଙ୍କୁ ଦିଆଯିବ।