ମହାପ୍ରଭୁଙ୍କ ଜମିରେ ମଦ ଦୋକାନ ମନା

ପୁରୀ ଅଫିସ,୧୬।୯: ସ୍ବର୍ଗଦ୍ୱାର ନିକଟରେ ଜବରଦଖଲରେ ଥିବା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଜମିରେ ମଦ ଦୋକାନ ହୋଇପାରିବ ନାହିଁ। ଦଖଲରେ ଥିବା ବ୍ୟକ୍ତିଙ୍କୁ ପ୍ରଥମେ ମହାପ୍ରଭୁଙ୍କ ମାଲିକାନାରୁ ଜମି କିଣିବାକୁ ପଡ଼ିବ। ସେହିଭଳି ଜମି ଦଖଲ ମାମଲା ଯେ ପର୍ଯନ୍ତ ବିଚାରାଧୀନ ରହିଛି, ସେ ପର୍ଯ୍ୟନ୍ତ କେହି ଏହାକୁ ମଦ ଦୋକାନ ଭାବେ ବ୍ୟବହାର କରିପାରିବେ ନାହିଁ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଚିଠି ଲେଖି ପୁରୀ ଅବକାରୀ ବିଭାଗକୁ ସ୍ପଷ୍ଟ କରାଯାଇଛି। ମହାପ୍ରଭୁଙ୍କ ଜମିରେ ମଦ ଦୋକାନ ଖୋଲିବାକୁ ଅନୁମତି ନ ଦେବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଅବକାରୀ ବିଭାଗକୁ ଚିଠି ଲେଖାଯାଇଛି। ଚଳିତବର୍ଷ ବିଦେଶୀ ମଦ ଦୋକାନକୁ ନୂଆ ଲାଇସେନ୍ସ ମିଳିବା ପରେ ମହାପ୍ରଭୁଙ୍କ ୩ଟି ଜମିରେ ସ୍ବର୍ଗଦ୍ୱାର ନିକଟରେ ବିଦେଶୀ ମଦ ଦୋକାନକୁ କିଭଳି ଅନୁମତି ଦିଆଗଲା, ତାହାକୁ ନେଇ ବିବାଦ ମୁଣ୍ଡ ଟେକିଛି। ଅବକାରୀ ବିଭାଗ ସମ୍ପୃକ୍ତ ଜମି ପ୍ରସଙ୍ଗରେ ପ୍ରଥମ ହାତ ଟେକିଦେଇଥିବା ବେଳେ ବିଭାଗର କାମ କେବଳ ଲାଇସେନ୍ସ ବାଣ୍ଟିବା ବୋଲି କହିଥିଲା। ମାତ୍ର ଏବେ ଶ୍ରୀମନ୍ଦିର ପ୍ରଶାସନ ସ୍ପଷ୍ଟ ଭାବେ ଜଗନ୍ନାଥଙ୍କ ଜମିରେ ମଦ ଦୋକାନ ନ କରିବା ପାଇଁ କହିବା ପରେ ପ୍ରସଙ୍ଗ ନୂଆ ମୋଡ଼ ନେଇଛି। ଅବକାରୀ ବିଭାଗକୁ ପ୍ରଦତ୍ତ ଚିଠିରେ ଉଲ୍ଲେଖ ରହିଛି ଯେ, ପ୍ଲଟ୍‌ ନମ୍ବର ୧୪୫୨, ଖାତା ନମ୍ବର-୭୫୩/୨୮୧ ଜମିର ମାର୍ଫତ୍‌ଦାର ହେଲେ ଶ୍ରୀମନ୍ଦିର ପରିଚାଳନା କମିଟି। ମହାପ୍ରଭୁଙ୍କର ଏହା ଏକ ସ୍ଥିତିବାନ ପ୍ଲଟ୍‌। ପ୍ରକାଶିତ ବିଭିନ୍ନ ଖବର ଅନୁଯାୟୀ, ସମ୍ପୃକ୍ତ ଜମିରେ ବିଦେଶୀ ମଦ ଦୋକାନ ଖୋଲାଯିବା ଅନୁମତିକୁ ପ୍ରଶାସନ ନିନ୍ଦା କରିବା ସହ ଏଭଳି କାର୍ଯ୍ୟକଳାପ ବନ୍ଦ କରନ୍ତୁ। ସେହିଭଳି ପ୍ଲଟ୍‌ ନମ୍ବର ୧୪୫୨ ଅଧୀନ ସ୍ବର୍ଗଦ୍ୱାର ନିକଟ ଶ୍ରୀମନ୍ଦିର ପ୍ରଶାସନ ମାଲିକାନାରେ ଥିବା ଅନେକ ଜମିରେ ଏବେ ମଦ ଦୋକାନ ଖୋଲିଛି। ଶ୍ରୀମନ୍ଦିର ପ୍ରଶାସନ ଏହି ସମସ୍ତ ଜମିରେ ହୋଇଥିବା ବିଦେଶୀ ମଦ ଦୋକାନକୁ ବିରୋଧ କରିଛି। ଏନେଇ ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ କୁମାର ଜେନା କହିଛନ୍ତି, ମହାପ୍ରଭୁଙ୍କ ବିବାଦୀୟ ଜମିର ମାଲିକାନା କେହି ନେବାକୁ ଚାହୁଁଥିଲେ ଶ୍ରୀମନ୍ଦିର ପ୍ରଶାସନ ସହ ଦ୍ୱିପାକ୍ଷିକ ଆଲୋଚନା କରିବାର ଆବଶ୍ୟକତା ରହିଛି। ପରିଚାଳନା କମିଟି ମାର୍ଫତଦାର ହୋଇଥିବାରୁ ଯେକେହି ଏହାକୁ ବ୍ୟବହାର କରିପାରିବେ ନାହିଁ। ସମ୍ପୃକ୍ତ ଜମିରେ ମଦ ଦୋକାନ ନ କରିବା ପାଇଁ ଅବକାରୀ ବିଭାଗକୁ ନୋଟିସ୍‌ ଜାରି କରାଯାଇଛି। ଅନ୍ୟପକ୍ଷରେ ବିଦେଶୀ ମଦ ଦୋକାନ ଜମିର ଯାଞ୍ଚ ପ୍ରକ୍ରିୟା ରାଜସ୍ବ ବିଭାଗ କାର୍ଯ୍ୟକାରୀ କରୁଛି। ଯାଞ୍ଚ ପ୍ରକ୍ରିୟା ପୂର୍ବରୁ ଶ୍ରୀମନ୍ଦିର ପ୍ରଶାସନର ଏଭଳି ନୋଟିସ୍‌ ସ୍ବର୍ଗଦ୍ୱାରସ୍ଥିତ ମହାପ୍ରଭୁଙ୍କ ଜମିରେ ଥିବା ବିଦେଶୀ ମଦ ଦୋକାନକୁ ଉଠାଇବା ସପକ୍ଷରେ ଏକ ପଦକ୍ଷେପ ଭାବେ ଦେଖାଯାଉଛି। ଅନ୍ୟପକ୍ଷରେ ଉକ୍ତ ଚିଠି ସମ୍ପର୍କରେ ଅବକାରୀ ସୁପରିଣ୍ଟେଣ୍ଡେଣ୍ଟ ଅମରେଶ ଜେନାଙ୍କ ପ୍ରତିକ୍ରିୟା ମିଳିପାରିନାହିଁ। ଉଲ୍ଲେଖଯୋଗ୍ୟ, ସ୍ବର୍ଗଦ୍ୱାରରେ ବିଦେଶୀ ମଦ ଦୋକାନକୁ ନେଇ ପୁରୀ ସହରରେ ବିରୋଧ ଜୋର ଧରିଛି। ଏ ନେଇ ଜିଲାପାଳଙ୍କୁ ବିଭିନ୍ନ ସଙ୍ଗଠନ ପକ୍ଷରୁ ଦାବିପତ୍ର ଦିଆଯିବା ସହ ସ୍ବର୍ଗଦ୍ୱାରରେ ମଦ ଦୋକାନ ଖୋଲିବା ଲାଗି ଅନୁମତି ପ୍ରଦାନକୁ ବିରୋଧ କରାଯାଇଛି।