ଉଦଳା ,୨୮।୨(ସନ୍ତୋଷ କୁମାର ବାଛିନୀ), ହଷ୍ଟେଲରେ ସୀମା ଟପିଲେ ବଡ଼ ଶ୍ରେଣୀର ଛାତ୍ର। ତଳ ଶ୍ରେଣୀ ଛାତ୍ରଙ୍କୁ କରିଲେ ରାଗିଙ୍ଗ୍ । ଖେଳ ସମୟରେ ହଷ୍ଟେଲର ୩ ଜଣ ସପ୍ତମ ଶ୍ରେଣୀ ଛାତ୍ର ହଷ୍ଟେଲ ପଛ ପାଖରେ ଖେଳୁଥିବାରୁ ତାଙ୍କ ଉପରେ ନିର୍ଯାତନା ହୋଇଛି। ଏଭଳି ଘଟଣା ଘଟିଛି ଖୁଣ୍ଟା ପିଏମଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟରେ। ବିଦ୍ୟାଳୟ ହଷ୍ଟେଲରେ ରହି ପାଠ ପଢ଼ୁଥିବା ୩ ଜଣ ସପ୍ତମ ଶ୍ରେଣୀ ଛାତ୍ରଙ୍କୁ ନବମ ଶ୍ରେଣୀର ଦୁଇ ଜଣ ଛାତ୍ର ହଷ୍ଟେଲ ବାହାରେ ଆଣ୍ଠେଇ ଦେଇଥିଲେ। ଯାହାର ଭିଡିଓ ସାମ୍ନାକୁ ଆସିଛି। ଏପରିକି ହଷ୍ଟେଲର ସମସ୍ତ ଅନ୍ତେବାସୀଙ୍କ ସାମ୍ନାରେ ୩ ଛାତ୍ରଙ୍କୁ ଦୀର୍ଘ ସମୟ ଧରି ଆଣ୍ଠେଇ ଦିଆଯାଇଥିଲା। ଏପରିକି ସେହି ଛାତ୍ରମାନଙ୍କୁ ପଚାରିବାରୁ ସେମାନଙ୍କୁ ନବମ ଶ୍ରେଣୀର ଦୁଇ ଜଣ ଛାତ୍ର ଏହି ଦଣ୍ଡ ଦେଇଥିବା କହିଛନ୍ତି। ତେବେ ଭିଡିଓ ଦେଖି ରାତିରେ ବିଦ୍ୟାଳୟରେ ପହଞ୍ଚିଥିବା ଅଭିଭାବକଙ୍କୁ ପିଲା କହିଛନ୍ତି ସାଙ୍ଘାତିକ କଥା। ୩ ଜଣ ନୁହେଁ ବରଂ ୮ ରୁ ୯ ଜଣ ଛାତ୍ରଙ୍କୁ ହଷ୍ଟେଲରେ ଆଣ୍ଠେଇ ଦେବା ସହିତ ମାଡ଼ ମାରିଥିଲେ ନବମ ଶ୍ରେଣୀ ଛାତ୍ର। ଦୀର୍ଘ ସମୟ ଧରି ଏହିପରି ଆଣ୍ଠେଇ ଦେଇ ଥିଲେ ଏବଂ ପୂର୍ବରୁ ମଧ୍ୟ ଏହିପରି ଘଟଣା ଘଟିଛି ବୋଲି ଅଭିଭାବକଙ୍କୁ ଛାତ୍ରମାନେ କହିଛନ୍ତି।

