ବଜ୍ରପାତ ଆକ୍ରାନ୍ତଙ୍କୁ ବାଇକ୍‌ରେ ଅଣାଗଲା ମେଡିକାଲ

ଅନୁଗୋଳ, ୧୩।୯ (ଅମିତ କୁମାର ସାମଲ): ଗାଈ ଚରାଉଥିବା ବେଳେ ମଙ୍ଗଳବାର ବଜ୍ରପାତରେ ଗୁରୁତର ହୋଇଥିଲେ ଜଣେ ବୃଦ୍ଧ। ପରିବାର ଲୋକେ ତାଙ୍କୁ ତୁରନ୍ତ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସକୁ ଯୋଗାଯୋଗ କରିଥିଲେ। ହେଲେ ୩ ଘଣ୍ଟାର ଅପେକ୍ଷା ସତ୍ତ୍ୱେ ପହଞ୍ଚିଲାନି ଆମ୍ବୁଲାନ୍ସ। ଶେଷରେ ଉପାୟଶୂନ୍ୟ ପରିବାର ଲୋକେ ବୃଦ୍ଧଙ୍କୁ ବାଇକ୍‌ରେ ଆଣି ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚାଇଥିଲେ ହେଁ ସେତେବେଳକୁ ବହୁ ବିଳମ୍ବ ହୋଇଯାଇଥିଲା। ଡାକ୍ତରଖାନାରେ ପହଞ୍ଚିବା ମାତ୍ରେ ଡାକ୍ତର ବୃଦ୍ଧଙ୍କୁ ମୃତ ଘୋଷଣା କରିଥିଲେ। ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟଠାରୁ ମାତ୍ର ୧୨ କିଲୋମିଟର ଦୂରରେ ଥିବା ବଲାସିଂହା ଗ୍ରାମରେ ୩ ଘଣ୍ଟା ପରେ ବି ଆମ୍ବୁଲାନ୍ସ ପହଞ୍ଚି ନ ପାରିବା ଘଟଣା ସରକାରଙ୍କ ଏହି ଜରୁରୀ ସେବା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।
ସୂଚନା ଅନୁଯାୟୀ, ଅନୁଗୋଳ ବ୍ଲକ ବଲାସିଂହା ଗ୍ରାମର ଦୁଆରି ଗୁରୁ (୬୦) ଅପରାହ୍ନରେ ଗୋରୁ ଚରାଉଥିବା ବେଳେ ବଜ୍ରପାତ ହୋଇଥିଲା। ଏଥିରେ ସେ ଗୁରୁତର ହୋଇଥିଲେ। ରାସ୍ତା ପାଶର୍‌ବରେ ପଡ଼ିଥିବା ଦୁଆରିଙ୍କୁ ପରିବାର ଲୋକେ ଉଦ୍ଧାର କରିବା ପରେ ତୁରନ୍ତ ୧୦୮ ଆମ୍ବୁଲାନ୍ସକୁ ଫୋନ କରିଥିଲେ। ଘଟଣାସ୍ଥଳକୁ ଆମ୍ବୁଲାନ୍ସ ଯାଉଥିବା କୁହାଯାଇଥିଲା। ହେଲେ ଦୀର୍ଘ ୩ ଘଣ୍ଟା ପରେ ମଧ୍ୟ ଆମ୍ବୁଲାନ୍ସ ଗୁରୁତରଙ୍କ ନିକଟରେ ପହଞ୍ଚିପାରି ନ ଥିଲା। ତେଣୁ ଆଉ ଅଧିକ ଅପେକ୍ଷା ନ କରି ପରିବାର ଲୋକେ ଦୁଆରିଙ୍କୁ ଏକ ବାଇକ୍‌ରେ ବସାଇ ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ସନ୍ଧ୍ୟାରେ ପହଞ୍ଚାଇଥିଲେ। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଠିକଣା ସମୟରେ ଆମ୍ବୁଲାନ୍ସ ନ ପହଞ୍ଚିବାରୁ ଦୁଆରିଙ୍କ ଜୀବନ ଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଏ ସମ୍ପର୍କରେ ମେଡିକାଲରେ ଥିବା ୧୦୮ ଆମ୍ବୁଲାନ୍ସର ସୁପର ଭାଇଜରଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ତାଙ୍କ ସହ ସମ୍ପର୍କ ହୋଇପାରି ନ ଥିବାରୁ ମତାମତ ମିଳିପାରି ନାହିଁ। ତେବେ ଗୁରୁତରଙ୍କ ନିକଟରେ ୧୦୮ ଆମ୍ବୁଲାନ୍ସ ଠିକ୍‌ ସମୟରେ ନ ପହଞ୍ଚିବା ଅନୁଗୋଳରେ ପ୍ରଥମ ନୁହେଁ। ପୂର୍ବରୁ ଏପରି ଅନେକ ଘଟଣା ଅନୁଗୋଳରେ ଦେଖିବାକୁ ମିଳିଛି। ଏପରି କି ରୋଗୀଙ୍କୁ କଟକ ନିଆଯିବା ରାସ୍ତାରେ ଆମ୍ବୁଲାନ୍ସ ରଖି ରୋଗୀଙ୍କ ସମ୍ପର୍କୀୟଙ୍କୁ ଟଙ୍କା ମଗାଯାଇଛି। ସେହିପରି ଆମ୍ବୁଲାନ୍ସ ଖରାପ ଥିବା ମଧ୍ୟ ଅନେକ ସମୟରେ ରୋଗୀଙ୍କୁ କୁହାଯାଇଛି। ତେବେ ୩ ଘଣ୍ଟା ଅପେକ୍ଷା ସତ୍ତ୍ୱେ ଆମ୍ବୁଲାନ୍ସ ନ ପହଞ୍ଚିବା ଘଟଣା ସମ୍ପର୍କରେ ମେଡିକାଲ କର୍ତ୍ତୃପକ୍ଷ ଅବଗତ ନ ଥିବା କୁହାଯାଇଛି।