ଦୋଛକିରେ ଆଦିବାସୀ ମହିଳା ଶ୍ରମିକଙ୍କ ଜୀବନ

ମହାକାଳପଡ଼ା,୨ା୯(ଡି.ଏନ୍‌.ଏ.): କେନ୍ଦ୍ରାପଡା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳର ମହିଳା ଶ୍ରମିକମାନଙ୍କୁ ମିଳୁନି ପୁରୁଷ ଶ୍ରମିକମାନଙ୍କ ପରି ଉପଯୁକ୍ତ ପାରିଶ୍ରମିକ । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଗ୍ରାମାଞ୍ଚଳରେ ବସବାସ କରୁଥିବା ଶ୍ରମିକମାନଙ୍କୁ ନିଜ ଗଁା ଓ ପଞ୍ଚାୟତ ମଧ୍ୟରେ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା (ଏମ୍‌ଜିଏନ୍‌ଆରଇଜିଏସ୍‌)ରେ କାମ ଯୋଗାଇ ଦେବାକୁ ସ୍ବତନ୍ତ୍ର ବ୍ୟବସ୍ଥା ରହିଛି। ତେବେ ବ୍ଲକର ପେଟଛେଲା, ବଉଳକଣି, ଖରିନାସୀ ପଞ୍ଚାୟତର ଆଦି ଆଦିବାସୀ ଅଧ୍ୟୁଷିତ ଗଁାର ମହିଳା ଶ୍ରମିକମାନଙ୍କୁ ମିଳୁନି ଜବ୍‌କାର୍ଡରେ କାମ। ବାଧ୍ୟ ହୋଇ ଏହି ଆଦିବାସୀ ମହିଳା ଶ୍ରମିକମାନେ ନିଜର ପରିବାର ପ୍ରତିପୋଷଣ ପାଇଁ ନିଜ ଜୀବନକୁ ବାଜି ଲଗାଇ ଅସୁରକ୍ଷିତ ଭାବେ ଡାଲା ଅଟୋରେ ଜିଲାର ବିଭିନ୍ନ ପ୍ରାନ୍ତରକୁ ଯାଇ ନିର୍ମାଣ କାମରେ ନିୟୋଜିତ ହେଉଛନ୍ତି। ଏମାନେ ଠିକାଦାରଙ୍କ ଠକାମିର ଶିକାର ହେଉଛନ୍ତି ବୋଲି ନିଜ ନାମ ଗୋପନ ରଖିବା ସର୍ତ୍ତରେ ଆଦିବାସୀ ମହିଳା ଶ୍ରମିକମାନେ କହିଛନ୍ତି। ଭୋରୁ ଭୋରୁ କ’ଣ ମୁଠେ ଖାଇ ନିଜ ଘରୁ ଏହି ମହିଳା ଶ୍ରମିକମାନେ ବାହାରି ଯାନ୍ତି। ଗାଁ ଛକରେ ଅପେକ୍ଷା କରିଥିବା ଡାଲା ଅଟୋରେ ବସି କର୍ମ କ୍ଷେତ୍ରକୁ। କର୍ମ କ୍ଷେତ୍ରରୁ ଫେରୁ ଫେରୁ ରାତି ହୋଇଥାଏ। ଅନ୍ୟପକ୍ଷରେ କୁନି କୁନି ପିଲାମାନେ ମା’ର ଫେରିବା ବାଟକୁ ଚାହିଁ ବସିଥାନ୍ତି। ମା’ ପହଞ୍ଚତ୍ଲା ପରେ ଘରେ ଚୁଲି ଜଳେ। ଦିନମାନର ଅକ୍ଲାନ୍ତ ପରିଶ୍ରମ କୁନି କୁନି ପିଲାମାନଙ୍କ ମୁହଁ ଦେଖିଲେ ପରିଶ୍ରମର ଦୁଃଖ ଲାଘବ ହୋଇଯାଏ ବୋଲି କୁହନ୍ତି ଏହି ମହିଳା ଶ୍ରମିକମାନେ। ପିଲାମାନଙ୍କ ଯତ୍ନ ନେବା ପାଇଁ ଏହି ମହିଳା ଶ୍ରମିକମାନଙ୍କ ପାଖରେ ସମୟ ନ ଥାଏ। ପିଲାମାନେ ଭୋକରେ ଆଉଟୁ ପାଉଟୁ ହେଉଥିବା ବହୁ ନଜିର ରହିଛି। ଏହି ମହିଳା ଶ୍ରମିକମାନେ ସଚେତନତାର ଅଭାବ ଯୋଗୁ ନିଜ ନାମ ସରକାରୀ ନଥିପତ୍ରରେ ପଞ୍ଜୀକରଣ ହୋଇନାହିଁ ବୋଲି କୁହାଯାଇଛି। ମହିଳା ଶ୍ରମିକମାନେ କାମ କ୍ଷେତ୍ରରେ କିଛି ଅଘଟଣ ଘଟିଲେ ସରକାରୀ ସହାୟତାରୁ ବଞ୍ଚତ୍ତ ହେବେ ପରିବାର ଲୋକ। ପ୍ରଶାସନିକ ସ୍ତରରେ ଏହି ମହିଳା ଶ୍ରମିକମାନଙ୍କ ଜୀବନ ପ୍ରତି ବିପଦ ରହିଥିବାରୁ ଏମାନଙ୍କୁ ପ୍ରାଥମିକ ସ୍ତରରେ ପଞ୍ଜୀକୃତ ଶ୍ରମିକ ଭାବେ ନାମ ପଞ୍ଜୀକରଣ କରାଯାଉ ବୋଲି ସାମାଜିକ କର୍ମୀ ଲକ୍ଷ୍ମୀକାନ୍ତ ସ୍ବାଇଁ କହିଛନ୍ତି।