ଭୁଲ୍‌ ଇଞ୍ଜେକ୍ସନ ନେଲା ଗ୍ରାମରକ୍ଷୀଙ୍କ ଜୀବନ

ବାଣପୁର୯।୪(ଡି.ଏନ୍‌.ଏ.): ଭୁଲ୍‌ ଇଞ୍ଜେକ୍ସନ ଯୋଗୁ ଜଣେ ଗ୍ରାମରକ୍ଷୀଙ୍କ ମୃତ୍ୟୁ ହୋଇଥିବା ଶନିବାର ଅଭିଯୋଗ ହୋଇଛି। ମୃତକ ହେଲେ ଖୋର୍ଦ୍ଧା ଜିଲା ବାଣପୁର ଥାନା ଅଧୀନ କୋଳଥଡ଼ିହ ଗ୍ରାମର ପାଣ୍ଡବ ନାୟକ (୫୪)। ସେ ବାଣପୁର ଥାନାରେ ଗ୍ରାମରକ୍ଷୀ ଭାବେ କାର୍ଯ୍ୟରତ ଥିଲେ। ବାଣପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଏଭଳି ଅଭାବନୀୟ ଘଟଣା ଘଟିଛି। ଏହାକୁ ନେଇ ସ୍ବାସ୍ଥ୍ୟକେନ୍ଦ୍ର ପରିସରରେ ଉତ୍ତେଜନା ପ୍ରକାଶ ପାଇଥିଲା। ଅନ୍ୟପଟେ ମୃତକଙ୍କ ସ୍ତ୍ରୀ ମଞ୍ଜୁ ନାୟକଙ୍କ ଅଭିଯୋଗକ୍ରମେ ପୋଲିସ ଏକ ମାମଲା (ନଂ.୧୭୩/୨୩) ରୁଜୁକରି ତଦନ୍ତ ଚଳାଇଛି। ଅଭିଯୋଗ ମୁତାବକ, ପାଣ୍ଡବଙ୍କ ହାତରେ ଘା’ ହୋଇଥିବାରୁ ଚିକିତ୍ସା ପାଇଁ ସ୍ତ୍ରୀଙ୍କ ସହିତ ବାଣପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଯାଇଥିଲେ। ସେହି ସମୟରେ ଉପସ୍ଥିତ ଡାକ୍ତରଙ୍କୁ ଦେଖାଇବା ପରେ ପାଣ୍ଡବଙ୍କ ହାତରେ ବ୍ୟାଣ୍ଡେଜ୍‌ କରାଯାଇଥିଲା। ଡାକ୍ତର ଲେଖିଥିବା ପେସ୍କ୍ରିପଶନ ଦେଖି ନର୍ସ ଇଞ୍ଜେକ୍ସନ ଦେଇଥିଲେ। ତେବେ ଇଞ୍ଜେକ୍ସନ ନେବା ପରେ ତାଙ୍କ ପାଟି ଅଠା ହୋଇଯିବା ସହ ତଣ୍ଟି ଶୁଖିଯାଇଥିଲା। ଏପରିକି ପାଟିରୁ ଫେଣ ବାହାରିବାରୁ ମଞ୍ଜୁ ତୁରନ୍ତ ଡାକ୍ତରଙ୍କୁ ଡାକିଥିଲେ। ଡାକ୍ତର ପହଞ୍ଚି ଦେଖିବା ସହ ପାଣ୍ଡବଙ୍କୁ ମୃତ ଘୋଷଣା କରିଥିଲେ। ୫ ମିନିଟ୍‌ ମଧ୍ୟରେ ଏହି ଘଟଣା ଘଟିଯାଇଥିଲା। ସମ୍ପୃକ୍ତ ଡାକ୍ତର ଓ ନର୍ସଙ୍କ ପାଇଁ ପାଣ୍ଡବଙ୍କ ଜୀବନ ଯାଇଥିବା ମଞ୍ଜୁ ତାଙ୍କ ଅଭିଯୋଗଫର୍ଦ୍ଦରେ ଦର୍ଶାଇଛନ୍ତି। ଖବରପାଇ ପୋଲିସ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ତେବେ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି ବାଣପୁର ଥାନା ଅଧିକାରୀ ଜୟ ପ୍ରକାଶ ପରିଡ଼ା କହିଛନ୍ତି। ଅନ୍ୟପକ୍ଷରେ ସମ୍ପୃକ୍ତ ଡାକ୍ତରଙ୍କ ମତାମତ ମିଳିପାରି ନାହିଁ।