ଚିକିତ୍ସା ଅଭାବରୁ ଚାଲିଗଲା ମା’ -ଶିଶୁଙ୍କ ଜୀବନ

ଝାରସୁଗୁଡ଼ା ଅଫିସ,୨୧ା୯: ଝାରସୁଗୁଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟରେ ମଙ୍ଗଳବାର ପ୍ରସବ ପରେ ଜଣେ ପ୍ରସୂତି ଓ ନବଜାତ ଶିଶୁର ମୃତ୍ୟୁ ହୋଇଛି। ମୃତକଙ୍କ ପରିବାର ଲୋକେ ଚିକିତ୍ସା ଅବହେଳା ପାଇଁ ମୃତ୍ୟୁ ହୋଇଛି ବୋଲି ଅଭିଯୋଗ କରି ଚିକିତ୍ସାଳୟ କର୍ତ୍ତୃପକ୍ଷଙ୍କୁ ଦାୟୀ କରିଛନ୍ତି। ଏହାର ଉଚ୍ଚସ୍ତରୀୟ ତଦନ୍ତ କରି ସମ୍ପୃକ୍ତ ଡାକ୍ତରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ସେମାନେ ଦାବି କରିଛନ୍ତି। ମୃତା ମହିଳା ଜଣଙ୍କ ହେଲେ କିର୍ମିରା ବ୍ଲକ୍‌ ନକ୍ସାପାଲି ଗ୍ରାମର ପ୍ରଶାନ୍ତ ବେହେରାଙ୍କ ସ୍ତ୍ରୀ ସୁନୀତା ବେହେରା (୩୦)।
ସୂଚନା ଅନୁସାରେ, ସୁନୀତାଙ୍କ ଗର୍ଭ ଯନ୍ତ୍ରଣା ହେବା ପରେ ପରିବାର ଲୋକେ ଆଶାକର୍ମୀଙ୍କ ଜରିଆରେ ସୋମବାର ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ନର୍ସମାନେ ଚିକିତ୍ସା କଲା ପରେ ମଙ୍ଗଳବାର ସକାଳ ୬ଟାରେ ମହିଳାଙ୍କ ଏକ ପୁତ୍ର ସନ୍ତାନ ଜନ୍ମ ହୋଇଥିଲା। ପରେ ନବଜାତ ସନ୍ତାନକୁ ସ୍ଥାନାନ୍ତର କରାଯାଉଥିବାବେଳେ ସେ ତଳେ ପଡିଯାଇଥିଲେ। ଫଳରେ ଶିଶୁର ମୃତ୍ୟୁ ହୋଇଥିଲା ବୋଲି ମହିଳାଙ୍କ ଶାଶୁ କନକ ବେହେରା ଅଭିଯୋଗ କରିଛନ୍ତି। ସେ କହିଛନ୍ତି, ସନ୍ତାନ ଜନ୍ମ ସମୟରେ ବୋହୂ ସୁନିତାଙ୍କ ଛାତିରେ ଯନ୍ତ୍ରଣା ହୋଇଥିଲା। ହେଲେ ତାଙ୍କୁ ଚିକିତ୍ସା କରିବା ପାଇଁ କୌଣସି ଡାକ୍ତର ଆସି ନ ଥିଲେ। ଫଳରେ ୩ ଘଣ୍ଟା ପରେ ବୋହୂର ମୃତ୍ୟୁ ହୋଇଥିଲା। ଏ ସମ୍ପର୍କରେ ଚିକିତ୍ସାଳୟ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ ମଧ୍ୟ କେହି ଶୁଣି ନ ଥିଲେ। ମୁଖ୍ୟ ଚିକିତ୍ସାଳୟ ଅତିରିକ୍ତ ମୁଖ୍ୟ ଚିକିତ୍ସକ ଡା. ଡୋଲାମଣି ପଟେଲ କହିଛନ୍ତି, ମହିଳା ଯେତେବେଳେ ପ୍ରସବ ପାଇଁ ଚିକିତ୍ସାଳୟରେ ଭର୍ତ୍ତିହେଲେ ସେ ସମୟରେ ଏକ ଅଲ୍‌ଟ୍ରାସାଉଣ୍ଡ ରିପୋର୍ଟ ସାଙ୍ଗରେ ଧରି ଆସିଥିଲେ। ସେଥିରେ ଜଣାପଡିଥିଲା ମହିଳାଙ୍କ ଗର୍ଭରେ ଶିଶୁ ମୃତ୍ୟୁବରଣ କରିଛି। ଏହା ଜାଣିବା ପରେ ତାଙ୍କର ପ୍ରସବ କରାଯାଇଥିଲା। ପ୍ରସବ ପରେ ମହିଳାଙ୍କ ଉଚ୍ଚ ରକ୍ତଚାପ ଆଦି ଥିବାରୁ ସେ ମୃତ୍ୟୁବରଣ କରିଛନ୍ତି। ଏ ନେଇ ମୃତକଙ୍କ ପରିବାର ତରଫରୁ କୌଣସି ଅଭିଯୋଗ ହୋଇନାହିଁ। ଅଭିଯୋଗ ହେଲେ ଏହାର ତଦନ୍ତ କରାଯିବ ବୋଲି ସେ କହିଛନ୍ତି।