ପରିତ୍ୟକ୍ତ କୂଅରୁ ଆଇନଜୀବୀଙ୍କ ମୃତଦେହ ମିଳିଲା

କଟକ ଅଫିସ,୧୪ା୩:କଟକ ବିଡ଼ାନାସୀ ଥାନା ଅନ୍ତର୍ଗତ ବିଡ଼ାନାସୀ ନୂଆସାହିର ଏକ ପରିତ୍ୟକ୍ତ କୂଅରୁ ସୋମବାର ଜଣେ ଆଇନଜୀବୀଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକ ଜଣକ ହେଲେ ପୁରୀଘାଟ ଥାନା ଅଧୀନ ତେଲେଙ୍ଗାବଜାର ଅଞ୍ଚଳର ଶଶୀଭୂଷଣ ଚୌଧୁରୀଙ୍କ ପୁଅ ଆର୍ଯ୍ୟଭୂଷଣ ଚୌଧୁରୀ (୪୮)। ପୋଲିସ ଶବ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ଏସ୍‌ସିବି ମେଡିକାଲକୁ ପଠାଇଛି।
ସୂଚନା ଅନୁସାରେ, ଆଇନଜୀବୀ ଆର୍ଯ୍ୟଭୂଷଣ ଗତ ୫ଦିନ ହେବ ନିଖୋଜ ଥିଲେ। ବିଡ଼ାନାସୀ ନୂଆସାହିରେ ତାଙ୍କର ଏକ ଘର ଥିଲା। ସେଠାରେ କେହି ରହୁ ନ ଥିଲେ। ମଝିରେ ମଝିରେ ଆର୍ଯ୍ୟଭୂଷଣ ସେଠାକୁ ଯାଇ ବୁଲିଆସନ୍ତି। ବିଡ଼ାନାସୀ ନୂଆସାହିରେ ଥିବା ଜମିଟିକୁ ବିକିଦେବା ପାଇଁ ପରିବାର ଲୋକେ ଚାହୁଁଥିଲେ। ଏନେଇ ବିଭିନ୍ନ ଲୋକଙ୍କ ସହ ଯୋଗାଯୋଗ ମଧ୍ୟ କରିଥିଲେ। ୫ଦିନ ତଳୁ ତେଲେଙ୍ଗାବଜାରସ୍ଥିତ ଘରୁ ବିଡ଼ାନାସୀ ଯାଇ ସେ ଆଉ ଘରକୁ ଫେରି ନ ଥିଲେ। ପରିବାର ଲୋକେ ଏନେଇ ପୁରୀଘାଟ ଥାନାରେ ଏତଲା ଦେଇଥିଲେ। ପୁରୀଘାଟ ଓ ବିଡ଼ାନାସୀ ଥାନା ପୋଲିସ ମିଳିତ ଭାବେ ବିଡ଼ାନାସୀ ଅଞ୍ଚଳରେ ଖୋଜାଖୋଜି କରିଥିଲେ। ପରିତ୍ୟକ୍ତ କୂଅ ନିକଟରୁ ଦୁର୍ଗନ୍ଧ ବାହାରୁଥିବା ଜଣାପଡ଼ିବା ପରେ ଦମକଳ ବାହିନୀ ସହାୟତାରେ ପୋଲିସ ମୃତଦେହ ଉଦ୍ଧାର କରିଥିଲା। ତେବେ ମୃତକଙ୍କ ମାଆ ତାଙ୍କ ପୁଅକୁ ମାରି ଦିଆଯାଇଥିବା ନେଇ ଥାନାରେ ଏତଲା ଦେଇଥିବା ଜଣାଯାଇଛି।