କୋର୍ଟ କାର୍ଯ୍ୟରେ ଯୋଗଦେଲେ ଓକିଲ

ସମ୍ବଲପୁର,୪ା୧(ବ୍ୟୁରୋ): ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ଦାବି ନେଇ ଡିସେମ୍ବର ୧୨ରେ ଆନ୍ଦୋଳନ ସମୟରେ କୋର୍ଟ ପରିସରରେ ଭଙ୍ଗାରୁଜା ଓ ବିଚାରପତିଙ୍କୁ ବାହାର କରିଦେବା ଭଳି ଘଟଣା ପରଠାରୁ କୋର୍ଟ କାର୍ଯ୍ୟରେ ଅଚଳାବସ୍ଥା ଲାଗିରହିଥିଲା। ଦୀର୍ଘ ୨୨ଦିନ ପରେ ଜିଲା ଓକିଲ ସଂଘର ନିଷ୍ପତ୍ତିକ୍ରମେ ଓକିଲମାନେ ମଙ୍ଗଳବାର କୋର୍ଟ କାର୍ଯ୍ୟରେ ଯୋଗଦାନ କରିଛନ୍ତି। ଏହାପରେ ପରିସ୍ଥିତିର ସାମାନ୍ୟ ସୁଧାର ଆସିଥିଲେ ମଧ୍ୟ ପୂର୍ବଭଳି କୋର୍ଟରେ ଭିଡ଼ ଦେଖିବାକୁ ମିଳି ନ ଥିଲା। ୧୪୪ ଧାରା ବଳବତ୍ତର ରହିଥିବାରୁ ସାଧାରଣ ଲୋକ ଓ ମହକିଲ କୋର୍ଟ କାର୍ଯ୍ୟ ପାଇଁ ଭୟରେ ଆସୁ ନ ଥିବା ଦେଖିବାକୁ ମିଳିଥିଲା।
ପୂର୍ବାହ୍ନ ୧୦ଟା ପୂର୍ବରୁ ନୋଟାରି, ଜେରକ୍ସ ଦୋକାନୀ ଓ ଭେଣ୍ଡରମାନେ କୋର୍ଟରେ ପହଞ୍ଚତ୍ୟାଇଥିଲେ। ଜରୁରୀ କାମରେ କେତେଜଣ ଲୋକ ଆସି କାମ କରିଥିଲେ। ଏତେଦିନ ବ୍ୟବଧାନରେ ଓକିଲମାନେ କାର୍ଯ୍ୟରେ ଯୋଗଦାନ କରିଥିଲେ। ହେଲେ ଜେଲ ଭିତରେ ସଂଘର ପ୍ରାୟ ୩୦ଜଣ ଓକିଲ ରହିଥିବାରୁ କୋର୍ଟରେ ଓକିଲଙ୍କ ଗହଳିଚହଳି ଦେଖିବାକୁ ମିଳି ନ ଥିଲା। ଯୋଗଦାନ କରିଥିବା ଓକିଲମାନେ କହିଛନ୍ତି, କୋର୍ଟ କାର୍ଯ୍ୟରେ ଯୋଗଦେଇ ନ ଥିବାରୁ ଜନସାଧାରଣ ବହୁ ସମସ୍ୟାର ସମ୍ମୁଖୀନ ହେଉଥିଲେ। ଛୋଟ ଛୋଟ କାମ କରିବାକୁ ସେମାନେ ଅପେକ୍ଷା କରିଥିଲେ। ଓକିଲ ସଂଘର ବୈଠକ, ସଂଘ ସଭାପତିଙ୍କ ସ୍ବୀକୃତି ଓ ଅନୁରୋଧ ପରେ ଓକିଲମାନେ କାର୍ଯ୍ୟରେ ଯୋଗଦାନ କରିଛନ୍ତି। ଜେଲ ଭିତରେ ଥିବା ଓକିଲମାନେ ମଧ୍ୟ ଯୋଗଦାନ କରିବାକୁ ସମର୍ଥନ କରିଥିଲେ। ଏବେ ଓକିଲମାନଙ୍କ ଜାମିନ କିଭଳି ହେବ ସେ ନେଇ ପଦକ୍ଷେପ ଗ୍ରହଣ କରାଯିବ। କୋର୍ଟ କାର୍ଯ୍ୟ ଯେଭଳି ସମ୍ପୂର୍ଣ୍ଣ ଭାବେ ସ୍ବାଭାବିକ ହେବ ସେ ନେଇ ଓକିଲମାନେ ସହଯୋଗ କରିବେ ବୋଲି ସେମାନେ କହିଥିଲେ।
ସୂଚନାଯୋଗ୍ୟ ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ଦାବି ନେଇ ନଭେମ୍ବର ୩୦ରେ ପୋଲିସ ଓ ଆନ୍ଦୋଳନକାରୀ କୋର୍ଟ ବାହାରେ ଧସ୍ତାଧସ୍ତି ହୋଇଥିଲେ। ବିଚାରପତିମାନେ ଫେରି ଯାଇଥିଲେ। ଏଥିରେ ସୁପ୍ରିମକୋର୍ଟ କ୍ଷୋଭ ପ୍ରକାଶ କରି ଆନ୍ଦୋଳନ ପ୍ରତ୍ୟାହାର କରିବାକୁ ପଶ୍ଚିମ ଓଡ଼ିଶା ଓକିଲସମୂହ କ୍ରିୟାନୁଷ୍ଠାନ କମିଟି (ସିଏସି)କୁ ନିର୍ଦ୍ଦେଶ ଦେଇଥିଲେ। ପରେ ଡିସେମ୍ବର ୧୨ରେ ପୁଣି ଆନ୍ଦୋଳନ ସମୟରେ ଅଭାବନୀୟ ଘଟଣା ଘଟିଥିଲା। ଏହି ଘଟଣାରେ ଜିଲା ଓକିଲ ସଂଘର ସମସ୍ତ ସଦସ୍ୟଙ୍କୁ ବାର୍‌ କାଉନସିଲ ଅଫ୍‌ ଇଣ୍ଡିଆ ନିଲମ୍ବନ କରିବାକୁ ରାଜ୍ୟ ବାର୍‌ କାଉନସିଲକୁ ନିର୍ଦ୍ଦେଶ ଦେଇଥିଲେ। ଏହାସହ ୪୩ ଓକିଲଙ୍କ ଲାଇସେନ୍ସ ୧୮ ମାସ ପର୍ଯ୍ୟନ୍ତ ନିଲମ୍ବନ କରିଥିଲେ। ପରେ ୪୩ ଜଣଙ୍କୁ ଛାଡି ବାକି ସମସ୍ତଙ୍କ ଉପରୁ ନିଲମ୍ବନ ଆଦେଶ ପ୍ରତ୍ୟାହର କରାଯାଇଥିଲା। ହେଲେ ଆଜିପର୍ଯ୍ୟନ୍ତ ଓକିଲମାନେ କାର୍ଯ୍ୟରେ ଯୋଗଦାନ କରି ନ ଥିଲେ। ଘଟଣାରେ ପୋଲିସ ୩୦ ଓକିଲ, ୮ କିନ୍ନର ଓ ଜଣେ ବାର୍‌ କର୍ମଚାରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।