ବିଶ୍ୱର ସବୁଠୁ ବଡ଼ ତାଲା, ଅଯୋଧ୍ୟାର ରାମମନ୍ଦିରରେ ହେବ ବ୍ୟବହାର; ଓଜନ ଜାଣିଲେ…

ଲକ୍ଷ୍ନୌ,୧୪ା୧: ଉତ୍ତରପ୍ରଦେଶର ଅଲିଗଡ଼ ବିଶ୍ୱର ସବୁଠୁ ବଡ଼ ତାଲା ତିଆରି ପାଇଁ ଜଣାଶୁଣା। ଏଠାରେ ରହୁଥିବା ଏକ ବୃଦ୍ଧ ଦମ୍ପତି ୩୦୦ କିଲୋ ଓଜନର ଏକ ବଡ଼ ତାଲା ତିଆରି କରିଥିଲେ। କିନ୍ତୁ ଏବେ ଏହି ଦମ୍ପତି ୪୦୦ କିଲୋ ଓଜନର ଏକ ତାଲା ତିଆରି କରିଛନ୍ତି। ଯାହା ଦୁନିଆର ସବୁଠୁ ବଡ଼ ତାଲା ବୋଲି କୁହାଯାଉଛି। ଅଲିଗଡ଼ର ରାଜକୀୟ ଉଦ୍ୟୋଗିକ ଏବଂ କୃଷି ପ୍ରଦର୍ଶନୀରେ ଏହାକୁ ରଖାଯାଇଛି। ପ୍ରଦର୍ଶନୀକୁ ବୁଲିବାକୁ ଆସୁଥିବା ଲୋକେ ଏତେ ବିରାଟ ତାଲା ଦେଖି ଆଶ୍ଚର୍ଯ୍ୟ ପ୍ରକାଶ କରିଛନ୍ତି। ଏହି ବୃଦ୍ଧ ଦମ୍ପତି ଉକ୍ତ ତାଲାକୁ ଅଯୋଧ୍ୟାରେ ନିର୍ମାଣ ହେଉଥିବା ରାମମନ୍ଦିର ପାଇଁ ଦେବାକୁ ଚାହାନ୍ତି ବୋଲି କହିଛନ୍ତି।

ଅଲିଗଡ଼ର ଜ୍ୱାଲାପୁରୀରେ ରହୁଥିବା ସତ୍ୟପ୍ରକାଶ ଏବଂ ତାଙ୍କ ସ୍ତ୍ରୀ ରୁକ୍ମିଣୀ ମିଶି ଏମିତି ତାଲା ତିଆରି କରିଛନ୍ତି। ଯାହାର ଲମ୍ବ ୧୦ ଫୁଟ ଏବଂ ଚଉଡ଼ା ୬ ଫୁଟ। ଏହାର ଓଜନ ୪ କ୍ୱିଣ୍ଟାଲ। ଏହା ଯେଉଁ ଚାବିରେ ଖୋଲିବ ଏହାର ଓଜନ ୩୦ କିଲୋ। ଚାବିର ଲମ୍ବ ୪ ଫୁଟ। ପ୍ରାୟ ୧ ଲକ୍ଷ ଟଙ୍କା ବ୍ୟୟରେ ତିଆରି ଏହି ତାଲାଟିକୁ ତିଆରି ପାଇଁ ୬ ମାସ ସମୟ ଲାଗିଥିଲା। ଏହା ଉପରେ ରାମ ଦରବାରର ଚିତ୍ର ବି ଅଙ୍କା ଯାଇଛି।

Share