ନୂଆଦିଲ୍ଲୀ,୧୭।୭ (ପି.ଟି.): ତାମିଲନାଡୁର ପ୍ରତି ଜିଲାରେ ‘ଜବାହର ନବୋଦୟ ବିଦ୍ୟାଳୟ’ (ଜେଏନ୍ଭି) ପ୍ରତିଷ୍ଠା କରିବା ପାଇଁ ମାଡ୍ରାସ ହାଇକୋର୍ଟ ଦେଇଥିବା ନିର୍ଦ୍ଦେଶ ବିରୋଧରେ ରାଜ୍ୟ ସରକାର କରିଥିବା ଆବେଦନର ଶୁଣାଣି ସମୟରେ ସୁପ୍ରିମକୋର୍ଟ ଏହି ଗୁରୁତ୍ୱପୂର୍ଣ୍ଣ ଟିପ୍ପଣୀ ଦେଇଛନ୍ତି। ତାମିଲନାଡୁ ସରକାର ଦୀର୍ଘ ଦିନ ଧରି ନବୋଦୟ ବିଦ୍ୟାଳୟଗୁଡ଼ିକରେ କାର୍ଯ୍ୟକାରୀ ହେଉଥିବା ‘ତ୍ରିଭାଷୀ ସୂତ୍ର’ (ତିନୋଟି ଭାଷା ପଢ଼ାଇବା ନୀତି) କୁ ବିରୋଧ କରିଆସୁଛନ୍ତି। ରାଜ୍ୟ ସରକାରଙ୍କ ଓକିଲ ଯେତେବେଳେ ଦର୍ଶାଇଥିଲେ ଯେ ପାଠ୍ୟକ୍ରମରେ ତୃତୀୟ ଭାଷା ନବମ ଶ୍ରେଣୀରୁ ବାଧ୍ୟତାମୂଳକ ହେଉଛି, ସେତେବେଳେ ଜଷ୍ଟିସ ନାଗରତ୍ନା କହିଥିଲେ, ନବମ ଶ୍ରେଣୀରେ ଏହାକୁ ରଖିବା ଭୁଲ୍ ନିଷ୍ପତ୍ତି ଏବଂ ଏହାକୁ ଷଷ୍ଠ ଶ୍ରେଣୀରୁ ଆରମ୍ଭ କରାଯିବା ଉଚିତ।
ଖଣ୍ଡପୀଠ ଶୁଣାଣି ସମୟରେ ସ୍ପଷ୍ଟ କରିଛନ୍ତି ଯେ ତ୍ରିଭାଷା ନୀତିରେ କେଉଁଠି ହେଲେ ହିନ୍ଦୀକୁ ତୃତୀୟ ଭାଷା ଭାବେ ବାଧ୍ୟତାମୂଳକ କରାଯାଇନାହିଁ। ଏଥିରେ ମାତୃଭାଷା, ଇଂଲିଶ ଏବଂ ଯେକୌଣସି ତୃତୀୟ ଆଞ୍ଚଳିକ କିମ୍ବା ଶାସ୍ତ୍ରୀୟ ଭାଷା ପଢ଼ିବାର ବିକଳ୍ପ ରହିଛି। ଜଷ୍ଟିସ ନାଗରତ୍ନା ତାମିଲନାଡୁ ସରକାରଙ୍କୁ ପରାମର୍ଶ ଦେଇ କହିଛନ୍ତି ଯେ କେବଳ କେନ୍ଦ୍ର ସରକାରଙ୍କ ଯୋଜନା ବୋଲି କହି କୌଣସି ଜନହିତକର ଯୋଜନା ବା ଶିକ୍ଷାନୁଷ୍ଠାନକୁ ପ୍ରତ୍ୟାଖ୍ୟାନ କରିବା ଉଚିତ ନୁହେଁ। ରାଜ୍ୟର ନିଜସ୍ବ ଶିକ୍ଷା ବ୍ୟବସ୍ଥା ରହିପାରେ, ମାତ୍ର କେନ୍ଦ୍ରୀୟ ବିଦ୍ୟାଳୟ ପ୍ରତିଷ୍ଠାକୁ ବିରୋଧକରି ଗରିବ ପିଲାଙ୍କୁ ଉନ୍ନତ ଶିକ୍ଷା ପାଇବାର ଅଧିକାରରୁ ବଞ୍ଚିତ କରାଯିବା ଅନୁଚିତ।
ମାଡ୍ରାସ ହାଇକୋର୍ଟ ୨୦୧୭ରେ ତାମିଲନାଡୁରେ ନବୋଦୟ ବିଦ୍ୟାଳୟ ସ୍ଥାପନ ପାଇଁ ନିର୍ଦ୍ଦେଶ ଦେଇଥିବା ବେଳେ ସୁପ୍ରିମକୋର୍ଟ ପ୍ରଥମେ ଏହା ଉପରେ ସ୍ଥଗିତାଦେଶ ଜାରି କରିଥିଲେ। ମାତ୍ର ୨୦୨୫ ଡିସେମ୍ବର ୧୫ ତାରିଖରେ ସର୍ବୋଚ୍ଚ ଅଦାଲତ ପୂର୍ବ ସ୍ଥଗିତାଦେଶରେ କିଛି ସଂଶୋଧନ କରି ରାଜ୍ୟରେ ନବୋଦୟ ବିଦ୍ୟାଳୟ ପ୍ରତିଷ୍ଠା ପାଇଁ ଆବଶ୍ୟକ ଜମି ଚିହ୍ନଟ କରିବାକୁ ତାମିଲନାଡୁ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ବର୍ତ୍ତମାନ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ଏହି ପ୍ରସଙ୍ଗରେ ଆଲୋଚନା ଜାରି ରହିଛି। ତାମିଲନାଡୁରେ ନୂତନ ସରକାର ଗଠନ ହୋଇଥିବାରୁ ଶିକ୍ଷାନୀତିକୁ ନେଇ ନୂଆ ସରକାରଙ୍କ ଆଭିମୁଖ୍ୟ କ’ଣ ରହୁଛି, ତାହା ଦେଖିବାକୁ କୋର୍ଟ ଅପେକ୍ଷା କରିଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ଅଗଷ୍ଟ ୧୧ରେ ହେବ।