ଶ୍ରାବଣରେ ଜମି ଶୁଖିଲା

ଢେଙ୍କାନାଳ ଅଫିସ, ୧୮।୭  –  ଆଷାଢ଼ ଯାଇ ଶ୍ରାବଣ ଅଧା ହେଲାଣି। ରୁଆ, ବେଉଷଣ ପାଇଁ ଚାଷୀକୁ ତର ମିଳନ୍ତାନି। ହେଲେ ନିଅଣ୍ଟିଆ ବର୍ଷା ସବୁ ବିଗାଡ଼ି ଦେଇଛି। ଠା ଠା ଶୁଖିଲା ପଡ଼ିଛି ଜମି। ବୁଣାଯାଇଥିବା ତଳି ମରିବାକୁ ବସିଲାଣି। ସପ୍ତାହକ ଭିତରେ ବର୍ଷା ନ ହେଲେ ଗଜାମରୁଡ଼ି ପରିସ୍ଥିତି ସୃଷ୍ଟି ହେବା ଆଶଙ୍କା ଜଳଜଳ ହୋଇ ଦିଶୁଛି। ଏହାକୁ ନେଇ ଚିନ୍ତାରେ ପଡ଼ିଛନ୍ତି ଢେଙ୍କାନାଳ ଜିଲାର ଚାଷୀକୁଳ।
ଶିଳ୍ପ ସମୃଦ୍ଧ ଢେଙ୍କାନାଳ ଜିଲାର ଅର୍ଥନୀତିକୁ ବଳ ଯୋଗାଇଥାଏ ଚାଷ। ଚଳିତ ବର୍ଷ ମୌମୁସୀର ଲୁଚକାଳି ଖେଳ ଜାରି ରହିଛି। ଦିନେ ବର୍ଷା ହେଲେ ଦ୍ୱିତୀୟ ଦିନକୁ ପ୍ରଚଣ୍ଡ ଖରା। ବର୍ଷିଥିବା ପାଣି ଜମିରେ ଶୁଖିଯାଉଛି। ଏପରି ସ୍ଥିତିରେ ଅନେକ ସ୍ଥାନରେ ତଳି ବି ପଡ଼ିପାରିନି। ଆଗୁଆ ବର୍ଷାକୁ ଦେଖି ଯେଉଁ କେତେକ ସ୍ଥାନରେ ତଳି ପଡ଼ିଥିଲା, ସେସବୁ ଏବେ ପାଣି ଅଭାବରୁ ମରିବାକୁ ବସିଲାଣି। ଜିଲାରେ ଜୁଲାଇ ୧୫ ସୁଦ୍ଧା ଆବଶ୍ୟକତାଠାରୁ ୩୦% କମ୍‌ ବର୍ଷା ହୋଇଛି। ସ୍ବଳ୍ପବୃଷ୍ଟି ଯୋଗୁ ଓଡ଼ାପଡ଼ା ଏବଂ ପରଜଙ୍ଗ ବ୍ଲକରେ ଚାଷକାର୍ଯ୍ୟ ବିଶେଷ ଭାବେ ପ୍ରଭାବିତ ହୋଇଛି।
ଜିଲାରେ ଚଳିତବର୍ଷ ୯୫ହଜାର ହେକ୍ଟର ଜମିରେ ଧାନଚାଷ କରାଯିବାକୁ ନିର୍ଦ୍ଧାରଣ ହୋଇଛି। ଜୁଲାଇ ୧୫ ସୁଦ୍ଧା ୫୭ ହଜାର ହେକ୍ଟରରେ ଧାନ ବୁଣା ଲକ୍ଷ୍ୟ ରଖାଯାଇଥିବା ବେଳେ ୫୦,୮୬୦ ହେକ୍ଟରରେ ବୁଣା ସରିଛି। ସେହିପରି ୩୮ ହଜାର ହେକ୍ଟରରେ ରୁଆ ପାଇଁ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିବା ବେଳେ ମାତ୍ର ୨,୮୨୯ ହେକ୍ଟରେ ରୁଆ ସରିଛି। ଜିଲାରେ ୮୮୦ ଉଠା ଜଳସେଚନ ପ୍ରକଳ୍ପ ମଧ୍ୟରୁ ୨୧୫ ଅଚଳ ଅବସ୍ଥାରେ ରହିଛି। ବିଭାଗର ଅବହେଳା ଯୋଗୁ ହାତ ପାହାନ୍ତାରେ ଆବଶ୍ୟକ ଭିତ୍ତିଭୂମି ଥିବା ସତ୍ତ୍ୱେ ଜମିକୁ ପାଣି ମାଡ଼ିପାରୁନି। ଦିନକୁ ଦିନ ସ୍ଥିତି ଗମ୍ଭୀର ହେଉଥିବାରୁ କୃଷି ବିଭାଗ ମଧ୍ୟ ଚିନ୍ତାରେ ପଡ଼ିଛି। ଅଧିକାରୀମାନେ କ୍ଷେତ୍ର ପରିଦର୍ଶନ କରି ଚାଷୀମାନଙ୍କ ସହ ଆଲୋଚନା କରୁଛନ୍ତି। କରୋନା ମାଡ଼ରେ ଗରିବ ଲୋକଙ୍କ ଆର୍ଥିକ ସ୍ଥିତି ଦୋହଲି ଯାଇଥିବାବେଳେ ଭଲ ଫସଲ ନ ହେଲେ ଆର୍ଥିକ ମାନଦଣ୍ଡ ଭୁଶୁଡ଼ି ପଡ଼ିବ ବୋଲି ଚାଷୀମାନେ କହିଛନ୍ତି।
ଏ ସମ୍ପର୍କରେ ଜିଲାକୃଷି ଉପନିର୍ଦ୍ଦେଶକ ରାଜକିଶୋର ନାୟକ କୁହନ୍ତି, ସପ୍ତାହକ ମଧ୍ୟରେ ବର୍ଷା ଲୋଡ଼ା। ବିଭାଗୀୟ ଅଧିକାରୀମାନେ କ୍ଷେତ୍ର ପରିଦର୍ଶନ କରି ଚାଷୀଙ୍କ ସହ ଆଲୋଚନା କରୁଛନ୍ତି। ପରଜଙ୍ଗ, ଓଡ଼ାପଡ଼ା ବ୍ଲକରେ ଆବଶ୍ୟକ ପରିମାଣଠାରୁ ଯଥେଷ୍ଟ କମ୍‌ ବର୍ଷିଛି। ପାଣି ପଞ୍ଚାୟତ ମାଧ୍ୟମରେ ଉଠା ଜଳସେଚନ ପଏଣ୍ଟଗୁଡିକୁ କାର୍ଯ୍ୟକ୍ଷମ କରିବାକୁ ବିଭାଗୀୟ ନିର୍ବାହୀଯନ୍ତ୍ରୀଙ୍କୁ ଅବଗତ କରାଯାଇଛି।