ଶ୍ରାବଣରେ ବୈଶାଖ ତାତି, ଜମି ଫାଟି ଆଁ

ଗୋଲାମୁଣ୍ଡା,୧୪।୮(ବଟକୃଷ୍ଣ ପଣ୍ଡା): କଳାହାଣ୍ଡି ଜିଲା ଗୋଲାମୁଣ୍ଡା ବ୍ଲକରେ ଏବେ ଶ୍ରାବଣ ମାସରେ ବୈଶାଖ ତାତି। ଏହାର ପ୍ରଭାବରେ ଜମି ଫାଟି ଥିବା ବେଳେ ମରୁଡି ପରିସ୍ଥିତି ସୃଷ୍ଟି ହୋଇଥିବାରୁ ବ୍ଲକର ଚାଷୀ ଆଉ ଏକ ମରୁଡି ଚିନ୍ତାରେ ଅଛନ୍ତି। ଗୋଲାମୁଣ୍ଡା ବ୍ଲକ ସ୍ବଳ୍ପ ବୃଷ୍ଟିପାତ ଅଞ୍ଚଳ ହୋଇଥିବାରୁ ଗତ କେତେକ ବର୍ଷ ହେଲା ଅନେକ ପଞ୍ଚାୟତ ମରୁଡିର ଶିକାର ହୋଇଥିବା ବେଳେ ଚଳିତବର୍ଷ ସମ୍ପୂର୍ଣ୍ଣ ବ୍ଲକରେ ମରୁଡିର ପଦଧ୍ୱନୀକୁ ନେଇ ଚିନ୍ତାରେ ଚାଷୀ। ଚଳିତବର୍ଷ ସ୍ବଳ୍ପ ବୃଷ୍ଟିପାତ ପାଇଁ ବ୍ଲକରେ ଧାନ ଚାଷ କାର୍ଯ୍ୟ ପଛାଇ ଯାଇଥିବା ବେଳେ ଜୁଲାଇ ଶେଷ ଭାଗରେ ମଧ୍ୟମ ଧରଣର ବର୍ଷା ଯୋଗୁ ଚାଷୀ ରୂଆବେଉଷଣ କାର୍ଯ୍ୟରେ ମଜି ଯାଇଥିଲା। ବ୍ଲକର ୫୦ ପ୍ରତିଶତ ଅଞ୍ଚଳରେ ରୂଆବେଉଷଣ କାର୍ଯ୍ୟ ସରିଯାଇଥିବା ବେଳେ ଅଗଷ୍ଟ ପ୍ରଥମ ସପ୍ତାହରୁ ବର୍ତ୍ତମାନ ଅଧା ଦିନ ସରିବାକୁ ବସିଲାଣି କିନ୍ତୁ ବର୍ଷା ଉଭାନ ହୋଇଯାଇଛି। ବର୍ତ୍ତମାନ ଶ୍ରାବଣ ମାସରେ ବର୍ଷା ଲାଗି ରହିବା କଥା, କିନ୍ତୁ ବୈଶାଖର ତାତି ଅନୁଭୁତ ହେଉଛି। ବର୍ତ୍ତମାନ ଯେତିକି ଜମିରେ ଚାଷକାର୍ଯ୍ୟ ହୋଇଯାଇଛି, ସେସବୁରେ ପାଣି ଅଭାବ ଯୋଗୁ ଜମି ଫାଟି ଆଁ କଲାଣି। ବ୍ଲକର ୨୮ଟି ପଞ୍ଚାୟତରେ ବର୍ତ୍ତମାନ ଆବଶ୍ୟକଠାରୁ କମ ବର୍ଷା ହେଇଥିବାରୁ ଚାଷୀମାନେ ଚିନ୍ତାରେ ପଡ଼ିଛନ୍ତି। କେତେ ଅଞ୍ଚଳରେ ଚାଷୀ ରୁଆବେଉଷଣ ପାଇଁ ଧାନ ତଳି ପକାଇ ଥିବାବେଳେ ତଳିସବୁ ବର୍ଷା ଅଭାବରୁ ଶୁଖି ଗଲାଣି। ଜମିରେ ରୂଆ ହୋଇଥିବା ଧାନ ଓ ବୁଣା ଧାନ ମଧ୍ୟ ପାଣି ଅଭାବରୁ ଠିକ ଭାବେ ବଢି ନ ପାରି ମରିବାକୁ ଲାଗିଲାଣି। ଚାଷୀ ଧାନ କରଜ କରି ବିହନ ରାସାୟନିକ ସାର କିଣିଥିବା ବେଳେ ଗତ କେତେକ ବର୍ଷ ହେଲା ବ୍ଲକର ଚାଷୀ ଧାନ ଚାଷ କରି ମରୁଡିର ସମ୍ମୁଖୀନ ହୋଇ ତାଙ୍କର ସାର ଓ ବିହନ ଖର୍ଚ୍ଚ ମଧ୍ୟ ବାହାରି ପାରି ନ ଥିବା ବେଳେ ଚଳିତ ବର୍ଷ ମଧ୍ୟ ଏପରି ପରିସ୍ଥିତି ଦେଖାଦେଲେ ଚାଷୀଙ୍କୁ ସାର ଓ ବିହନ ଖର୍ଚ୍ଚ ମିଳିବ କି ନାହିଁ ଆଶଙ୍କାରେ ଅଛନ୍ତି ବ୍ଲକର ଚାଷୀ । ଆଗମୀ ଏକ ସପ୍ତାହ ମଧ୍ୟରେ ଯଦି ଠିକ ପରିମାଣରେ ବର୍ଷା ନ ହେଲେ ଚଳିତବର୍ଷ ମଧ୍ୟ ଗୋଲାମୁଣ୍ଡା ବ୍ଲକର ଚାଷୀ ଭୟାବହ ମରୁଡିର ସମ୍ମୁଖୀନ ହେବେ ବୋଲି ଚାଷୀ ମହଲରେ ଚର୍ଚ୍ଚା ଯୋରଧରିଛି। ଅପରପକ୍ଷରେ ବ୍ଲକର ଅନେକ ପଞ୍ଚାୟତ ଚାଷୀଙ୍କ ଧାନ ତଳି ଓ ରୂଆ ଧାନ ମରିବା ଯାଇଥିବା ବେଳେ ବର୍ଷା ହେଲେ ମଧ୍ୟ ଏହା ବଢି ପାରିବ ନାହିଁ ବୋଲି ଚାଷୀମାନେ ଅଭିଯୋଗ କରିଛନ୍ତି । ଜିଲା କୃଷି ବିଭାଗ ପକ୍ଷରୁ ଏକ ଟିମ ସବୁ ଅଞ୍ଚଳ ପରିଦର୍ଶନ କରି ମରୁଡି ରିପୋର୍ଟ ପ୍ରସ୍ତୁତ କରିବାକୁ ଚାଷୀ ମହଲରେ ଦାବି ହେଉଛି।