କଟକଣାରେ ଦୀପ ଜାଳିଲେ

ବାରିପଦା ଅଫିସ/ବାଙ୍ଗିରିପୋଷି/ କୁଆମରା/ ରାଇରଙ୍ଗପୁର, ୨।୩(ଡି.ଏନ.ଏ.)

ମୟୂରଭଞ୍ଜ ଜିଲାର ବିଭିନ୍ନ ଶୈବ ପୀଠରେ କୋଭିଡ୍‌ କଟକଣାରେ ମହାଶିବରାତ୍ରୀ ପାଳିତ ହୋଇଯାଇଛି। କୋଭିଡ୍‌ କଟକଣାରେ ଶ୍ରଦ୍ଧାଳୁମାନେ ଶିବ ଦର୍ଶନ କରିବା ସହ ଜାଗର ଦୀପ ଜାଳିଥିଲେ। ବାଙ୍ଗିରିପୋଷି ବ୍ଲକର ବିଭିନ୍ନ ଶୈବପୀଠରେ ମଙ୍ଗଳବାର ଭିଡ଼ ଜମିଥିଲା। ଗୋଲାମୁଣ୍ଢାକଟା ପଞ୍ଚାୟତର ଶିମିଳା ସ୍ଥିତ ବାବା ଶିମଳେଶ୍ୱର ଶୈବପୀଠ ସମେତ ବ୍ଲକ ଅଞ୍ଚଳରେ ଥିବା ଅନ୍ୟ ଶୈବପୀଠ ଆଦ୍ୟେଶ୍ୱର, କାଦେଶ୍ୱର, ସ୍ବପ୍ନେଶ୍ୱର, ଝାଡେଶ୍ୱର, କୁଶଳେଶ୍ୱର, ଚନ୍ଦନେଶ୍ୱର ପ୍ରମୁଖ ପୀଠ ଗୁଡ଼ିକରେ ଶ୍ରଦ୍ଧାଳୁମାନେ ଧାଡିରେ ଯାଇ ପ୍ରଭୁଙ୍କୁ ଦର୍ଶନ କରିଥିଲେ। ଶିମିଳାଠାରେ ଥିବା ସ୍ଥାୟୀ ଭୋଗ ଦୋକାନକୁ ତହସିଲଦାର ସତ୍ୟବାନ ନାୟକ ପହଞ୍ଚି ବନ୍ଦ କରିଥିଲେ। ଏନେଇ କିଛି ସମୟ ପାଇଁ ସେଠାରେ ଉତ୍ତେଜନା ପ୍ରକାଶ ପାଇଥିଲା। ଥାନା ଅଧିକାରୀ ସଞ୍ଜୟ କୁମାର ପରିଡ଼ାଙ୍କ ସହିତ ପୋଲିସ କର୍ମଚାରୀ ଉପସ୍ଥିତ ରହି ଶାନ୍ତିଶୃଙ୍ଖଳା ରକ୍ଷା କରିଥିଲେ। ଗୋପବନ୍ଧୁ ନଗର ବ୍ଲକ ପୁରୁଣା ବାରିପଦା ପଞ୍ଚାୟତର ଚତୁରୀ, ଗଦାଧର କୁଆଁରୀପୁର ଶାସନ, ସିମିଳାବନ୍ଧ, କୁଆମରା,ପଟୁଆ,ସିକିଡିଆ, ଉପରକଡଦା, ଚିଲିମା, ଖିରିପଦା, ଖଡିକାପଦା ଆଖଣ୍ଡଳମଣି ପୀଠ, ରାଣୀବନ୍ଧ ପଞ୍ଚାୟତ ସ୍ଥିତ ଛୁରୁଣୀ ନିକଟସ୍ଥ ମେଘା ଶୈବ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଥିଲା। ରାଇରଙ୍ଗପୁର ସହରାଞ୍ଚଳ ସମେତ ପୁରପଲ୍ଲୀରେ ମହାଶିବରାତ୍ରୀ ପାଳିତ ହୋଇଯାଇଛି। ସହରାଞ୍ଚଳ ସ୍ଥିତ କୁଚେଇବୁଢ଼ି ବସ୍ତିରେ ଥିବା ବାବା ପୂର୍ଣ୍ଣେଶ୍ୱର ମହାଦେବ, ଗଢ଼ ବସ୍ତି ସ୍ଥିତ ବାବା ଐଶେନେଶ୍ୱରକ ମହାଦେବ, ଅଁଳାଡୁବା ବସ୍ତି ସ୍ଥିତ କପିଳେଶ୍ୱର ଶୈବପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗି ରହିଥିଲା।