ଘରକୁ ଫେରିଲେ ତାମିଲନାଡୁରେ ବନ୍ଧା ପଡ଼ିଥିବା ଶ୍ରମିକ

ଭବାନୀପାଟଣା,୧୭।୩(ସ୍ବ.ପ୍ର.): କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ଚିଙ୍ଗୁଡ଼ିସର ଗ୍ରାମର ଗୋଟିଏ ପରିବାରର ୧୦ଜଣ ଦାଦନ ଶ୍ରମିକ ତାମିଲନାଡୁର ବୀରାକୁପମ ନିକଟରେ ବନ୍ଧା ପଡିଥିଲେ। ଏହି ଘଟଣା ପ୍ରଥମେ ଧରିତ୍ରୀରେ ପ୍ରକାଶ ପାଇଥିଲା। ଗ୍ରାମର ଜଣେ ଦଲାଲ କଥାରେ ପଡି ଗତ ୭ ମାସ ତଳେ ପରିବାର ସହ ଦାଦନ ଖଟିବାକୁ ସେଠାକୁ ଯାଇଥିଲେ। ସେଠାରେ ସେମାନେ ଏକ ଇଟା ଭାଟିରେ ନିୟୋଜିତ ଥିଲେ। ତେବେ ଦଲାଲ ଜଣକ ଇଟାଭାଟି ମାଲିକ ଠାରୁ ଟଙ୍କା ଧରି ଚମ୍ପଟ ମାରିଥିବାରୁ ଶ୍ରମିକମାନଙ୍କୁ ଇଟା ଇଟାଭାଟି ମାଲିକ ଟଙ୍କା ନ ଦେଇ ନିର୍ଯାତନା ଦେଉଥିବା ଅଭିଯୋଗ ହୋଇଥିଲା। ଫଳରେ ଭୋକ ଶୋଷରେ ରହି ଏହି ଶ୍ରମିକମାନେ ସେଠାରେ ବନ୍ଧା ପଡିଥିଲେ। ସେଠାରୁ ଉଦ୍ଧାର କରିବା ପାଇଁ କାନ୍ଦିକାନ୍ଦି ଏକ ଭିଡିଓ ବାର୍ତ୍ତା ଜରିଆରେ ନିବେଦନ କରୁଥିବା ଭିଡିଓ ଭାଇରାଲ ହୋଇଥିଲା। ଏ ନେଇ ଧରିତ୍ରୀରେ ଏକ ରିପୋର୍ଟ ପ୍ରକାଶ ପରେ ଘଟଣା ଲୋକ ଲୋଚନକୁ ଆସିଥିଲା। ଏହାପରେ ଜୁନାଗଡ଼ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ଏହାର ହସ୍ତକ୍ଷେପ କରିଥିଲେ। ଫଳରେ ବନ୍ଧା ପଡିଥିବା ଶ୍ରମିକମାନେ ସୁରକ୍ଷିତ ଭାବେ ଏବେ ନିଜ ଗାଁକୁ ଫେରିଛନ୍ତି। ଏହାକୁ ନେଇ ସେମାନଙ୍କ ମଧ୍ୟରେ ଏବେ ଖୁସି ଦେଖିବାକୁ ମିଳିଛି। ଏଥିପାଇଁ ସେମାନେ ବିଧାୟକ ମିଶ୍ର ସମେତ ଗଣମାଧ୍ୟମ ପ୍ରତିନିଧିଙ୍କୁ ଧନ୍ୟବାଦ ଜଣାଇଛନ୍ତି।