ପଟ୍ଟାଙ୍ଗି,୭ା୧୧(ଶରତ କୁମାର ଧଳ):କୋରାପୁଟ ଜିଲା କୋଟିଆ ପଞ୍ଚାୟତରେ ଆନ୍ଧ୍ର ନିର୍ବାଚନକୁ ନେଇ କିଛିଦିନ ଧରି ଓଡ଼ିଶା-ଆନ୍ଧ୍ରର ପ୍ରଶାସନିକ ଅଧିକାରୀ ଏବଂ ନେତା ମୁହଁାମୁହିଁ ହୋଇଥିଲେ। ସୀମାନ୍ତରେ ପ୍ରତିଦିନ ବିଭିନ୍ନ ଦଳର ନେତା ଓ ପ୍ରଶାସନିକ ଅଧିକାରୀଙ୍କ ଯାତାୟାତ ଲାଗି ରହିଥିଲା। ଲୋକଙ୍କୁ ଆନ୍ଧ୍ର ନିର୍ବାଚନରେ ମତଦାନ ନ କରିବାକୁ ବୁଝାଇବା ସହ ସେମାନଙ୍କୁ ଏଥିରୁ ଦୂରେଇ ରଖିବାକୁ ରାଜ୍ୟର ୩ ପ୍ରମୁଖ ଦଳର ନେତାମାନେ ଗୋଟିଏ ଜାଗାରେ ଏକତ୍ର ହୋଇ ଚେଷ୍ଟା ଜାରି ରଖିଥିଲେ। କିନ୍ତୁ ଯେଉଁ ନିର୍ବାଚନ ପାଇଁ ୨ ରାଜ୍ୟ ମଧ୍ୟରେ ଛକାପଞ୍ଝା ଲାଗି ରହିଥିଲା ଗତ ୫ତାରିଖ ଆନ୍ଧ୍ର ନିର୍ବାଚନ ପରେ ଏଥିରେ ଯବନିକା ପଡ଼ିଛି। କୋଟିଆ ପଞ୍ଚାୟତର ସୀମାନ୍ତ ଗଁାଗୁଡ଼ିକର ଲୋକେ ଆନ୍ଧ୍ର ନିର୍ବାଚନରେ ବିନା ଦ୍ୱିଧାରେ ମତଦାନ ସାବ୍ୟସ୍ତ କରିଛନ୍ତି। ୪ ଦିନ ଧରି କୋଟିଆରେ ଡେରା ପକାଇଥିବା ଓଡ଼ିଶା ପ୍ରଶାସନିକ ଅଧିକାରୀ, ନେତା ନିଜ ନିଜ କାର୍ଯ୍ୟରୁ ଫେରିଛନ୍ତି। ସୀମାନ୍ତବାସୀ ପୁଣି ସେମାନଙ୍କ ଦୈନନ୍ଦିନ କାର୍ଯ୍ୟ ପାଇଁ ଆନ୍ଧ୍ର ଉପରେ ନିର୍ଭରଶୀଳ ହୋଇଛନ୍ତି। ଆନ୍ଧ୍ର ପୋଲିସ ନିଜ ଅଞ୍ଚଳକୁ ଫେରିଛି। କେବଳ କୋରାପୁଟ ଜିଲା ପ୍ରଶାସନ ପକ୍ଷରୁ କୋଟିଆ ପଞ୍ଚାୟତରେ ୪ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ରହିଛନ୍ତି। ଲୋକଙ୍କ ମନରେ ଓଡ଼ିଶା ପ୍ରତି ଅଭିମାନ ରହିଛି। ତେବେ ଏତେ ଦିନ ଧରି କୋଟିଆବାସୀଙ୍କୁ ଆନ୍ଧ୍ରକୁ ଭୋଟ ନ ଦେଇ ଓଡ଼ିଶାର ସ୍ବାଭିମାନ ରକ୍ଷା କରିବାକୁ ବୁଝାଉଥିବା ଓଡ଼ିଶାର ନେତା ଓ ପ୍ରଶାସନିକ ଅଧିକାରୀଙ୍କ ଆଗାମୀ ଆଭିମୁଖ୍ୟକୁ ନେଇ ଅନେକେ ନଜର ରଖିଛନ୍ତି। କୋଟିଆ ଓଡ଼ିଶାର, ସମସ୍ତ ସୀମାନ୍ତବାସୀ ଓଡ଼ିଆ ବୋଲି ଦ୍ୱାହି ଦେଉଥିବା ନେତା, ପ୍ରଶାସନିକ ଅଧିକାରୀ ଏହି ଲଢ଼େଇ ଆଗକୁ ଜାରି ରଖିବେ ନା ଆନ୍ଧ୍ର ନିର୍ବାଚନ ପରେ ଏଥିରେ ଯବନିକା ପଡ଼ିବ ଏ ନେଇ ପ୍ରଶ୍ନ ଉଠିଛି।
ସୂଚନାନୁଯାୟୀ, ଆନ୍ଧ୍ରର ନିର୍ବାଚନକୁ ନେଇ ଗତ ୪ଦିନ ଧରି କୋରାପୁଟ ଜିଲା ପ୍ରଶାସନ, ରାଜ୍ୟର ବିଭିନ୍ନ ରାଜନୈତିକ ଦଳ ସମେତ ଅନ୍ୟ ସଙ୍ଗଠନର ସଦସ୍ୟଙ୍କ କୋଟିଆ ପଞ୍ଚାୟତକୁ ଯାତାୟାତ ଲାଗି ରହିଥିଲା। ସୀମାନ୍ତ ଗ୍ରାମଗୁଡ଼ିକ ଚଳଚଞ୍ଚଳ ରହିଥିଲା। କିନ୍ତୁ ଗୁରୁବାର ଆନ୍ଧ୍ର ନିର୍ବାଚନ ସରିବା ପରେ ନେରେଡିବାଲସାଠାରୁ ଆରମ୍ଭ କରି ଧୂଳିପଦର, ଉପରସେମ୍ବି, କୋଟିଆ, ଫାଟୁସିନେରୀ ଓ ଫଗୁଣସିନେରୀ ଆଦି ସୀମାନ୍ତ ଗଁା ଖଁା ଖଁା ହୋଇଛି। ଓଡ଼ିଶା ପୋଲିସ ଫୋର୍ସ ମୁତୟନ ରହିଛି। ସମୟ ଅନୁକ୍ରମେ ଏହି ପଞ୍ଚାୟତର ସଦର ମହକୁମାର ଥାନାଧିକାରୀ ମଧୁସୂଦନ ଭୋଇ ଫାଟୁସିନେରୀ, ଉପରସେମ୍ବି ଓ ନେରେଡିବାଲସା ପ୍ରମୁଖ ସ୍ଥାନରେ ସ୍ଥିତି ଅନୁଧ୍ୟାନ କରୁଛନ୍ତି। ମୁତୟନ ଓଡ଼ିଶା ପୋଲିସ ସହ ଗ୍ରାମବାସୀ କୌଣସି କଥାବାର୍ତ୍ତା କରୁ ନ ଥିବା ଦେଖିବାକୁ ମିଳିଛି। ପୋଲିସର ସ୍ଥାପିତ ଅସ୍ଥାୟୀ ଚେକ୍ ପୋଷ୍ଟ ଦେଇ ଲୋକେ ଆନ୍ଧ୍ରକୁ ଯାତାୟାତ କରୁଛନ୍ତି। ଆନ୍ଧ୍ର ଏବଂ ଓଡ଼ିଶା ସରକାର ମଧ୍ୟରେ ଯାହା ହେବାର ଅଛି ହେଉ, କିନ୍ତୁ ଏହା ମଝିରେ ଆମକୁ ଏଭଳି ହଇରାଣ କରି ମାନସିକ ନିର୍ଯାତନା କାହିଁକି ଦିଆଯାଉଛି ବୋଲି ନେରେଡ଼ିବାଲସା ଗ୍ରାମବାସୀ ପ୍ରଶ୍ନ କରୁଛନ୍ତି। ଓଡ଼ିଶାର ବ୍ଲକ ପ୍ରଶାସନକୁ ଜଙ୍ଗଲଜମି ପଟ୍ଟା ପାଇଁ ଅନେକ ଥର ଆବେଦନ କରିଥିଲେ ସୁଦ୍ଧା ଏଯାଏ କାହାକୁ ଦିଆଯାଇନାହିଁ। କିନ୍ତୁ ଆନ୍ଧ୍ର ସରକାର ସମସ୍ତ ପରିବାରକୁ ଜମିପଟ୍ଟା ଦେଇଛନ୍ତି। ପ୍ରତିବର୍ଷ ଘର ପିଛା ୨୦ ହଜାର ଟଙ୍କା ଦେଇ ଘର ନ ଥିବା ସୀମାନ୍ତବାସୀଙ୍କୁ ଜଙ୍ଗଲଜମି ପଟ୍ଟା ମଧ୍ୟରେ ଘର ଦେଉଛନ୍ତି, ତେଣୁ ଆନ୍ଧ୍ର ସମର୍ଥନରେ ରହିଛୁ ବୋଲି ସେମାନେ କହିଛନ୍ତି। ଆନ୍ଧ୍ରର ନିର୍ବାଚନ ପୂର୍ବଦିନ ଓଡ଼ିଶା ପ୍ରଶାସନ ସହ କଥା କଟାକଟି ବେଳେ ୩ ଗ୍ରାମର ଗ୍ରାମବାସୀ ଓଡ଼ିଶାର ରାଶନ କାର୍ଡ ଫେରାଇ ଦେଇଥିଲେ। ଏ ସମ୍ପର୍କରେ କୋଟିଆ ପଞ୍ଚାୟତ ନୋଡାଲ ଅଧିକାରୀ ତଥା ଉପଜିଲାପାଳ ଫାବି ରସିଦଙ୍କୁ ପଚାରିବାରୁ ପୂର୍ବରୁ କ’ଣ ହୋଇଛି, ତାହା ମୁଁ ଜାଣିନାହିଁ। ବର୍ତ୍ତମାନ ଯଦି କେହି କିଛି ସହଯୋଗ ଚାହୁଁଛନ୍ତି, ତା’ହେଲେ ସେମାନେ ଦୃଷ୍ଟିକୁ ଆଣିଲେ ସହାୟତା ଦିଆଯିବ ବୋଲି ସେ କହିଛନ୍ତି। ଲୋକେ ଅଭିମାନରେ ଓଡ଼ିଶାର ରାଶନ କାର୍ଡ ଫେରାଇଛନ୍ତି, କିନ୍ତୁ ସେମାନଙ୍କୁ ପୁଣି ଦିଆଯିବ ବୋଲି ସେ ପ୍ରକାଶ କରିଛନ୍ତି।