ଉନ୍ମୋଚିତ ହେଲା କୋସଲୀ ଲଖିଁପୁରାନ

ବଲାଙ୍ଗୀର ଅଫିସ, ୪ା୧୨
କୋସଲୀ ଭାଷାରେ ଲିଖିତ ଯୁବକବି ଅକ୍ଷୟ ସରାଫଙ୍କ ଲିଖିତ ଲଖିଁପୁରାନ ବଲାଙ୍ଗୀର ଯାଦବ ଭବନଠାରେ ମାଣବସା ଗୁରୁବାର ଦିନ ଉନ୍ମୋଚିତ ହୋଇଯାଇଛି ା ମୁଖ୍ୟଅତିଥି ଗୁରୁଶ୍ରୀ ଡ. ଘାସିରାମ ମିଶ୍ର, ସମ୍ମାନିତ ଅତିଥି ଭାବେ କୋଶଲୀ ଭାଷା ଓ ସାହିତ୍ୟ ଗବେଷକ ନିମାଇଁ ଚରଣ ପାଣିଗ୍ରାହୀ, ଗବେଷକ ତଥା କବି ସନ୍ଦୀପ କୁମାର କୁଅଁର, ବିଭୁ କଲ୍ୟାଣ ଗଡତ୍ୟା, ମହନୀ ପ୍ରଯୋଜନା ସଂସ୍ଥାର ବିନୋଦ କୁମାର କାଲସାଏ ମଞ୍ଚାସୀନ ଥିଲେ। ଯୁବ ଲେଖକ ସରାଫ୍‌ଙ୍କ ଲଖିଁପୁରାନରେ କୋସଲାଞ୍ଚଳର ଭାଷା, ଭାବ ଓ ଚଳଣୀର ମହକ ରହିଛି ବୋଲି ବକ୍ତାମାନେ କହିଥିଲେ। ମୁଖ୍ୟଅତିଥି ଡ.ମିଶ୍ର କୋସଲ ସାଂସ୍କୃତିକ ବିପ୍ଲବରେ କାଷ୍ଠ ଉପାସନାର ବିଶେଷତ୍ୱ ଲକ୍ଷ୍ମୀପୂଜା ଉପରେ କହିଥିଲେ ା ଗବେଷକ ପାଣିଗ୍ରାହୀ କୋସଲୀ ଅଳଙ୍କାର, ବସ୍ତ୍ରର ବିଶେଷତ୍ୱ ଏହି ପୁସ୍ତକରେ ରହିଛି ବୋଲି ତାଙ୍କ ବକ୍ତବ୍ୟରେ ଉଲ୍ଲେଖ କରିଥିଲେ। ଗବେଷକ କୁଅଁର କୋସଲୀ ଭାଷାରେ ଲିଖିତ ଲଖିଁପୁରାନ୍‌ କୋସଲାଞ୍ଚଳର ଜନଜୀବନ, ବସ୍ତ୍ର, ଅଳଙ୍କାର, ଭାଷା, ସଂସ୍କୃତି ପରମ୍ପରାକୁ ନେଇ ଏକ ବିପ୍ଲବ ସୃଷ୍ଟି କରିବ ବୋଲି କହିଥିଲେ ା ପୁସ୍ତକର ଲେଖକ ସରାଫ ମାଟି ମଁାର ଭାଷାରେ ଲେଖି ପାରିଥିବାରୁ ତାଙ୍କ ଦୀର୍ଘବର୍ଷର ସ୍ବପ୍ନ ସାର୍ଥକ ହେଲା ବୋଲି କହିଥିଲେ ା କାର୍ଯ୍ୟକ୍ରମକୁ ବିଭୂକଲ୍ୟାଣ ଗଡତ୍ୟା ପରିଚାଳନା କରିଥିଲେ।ଶେଷରେ ପ୍ରକାଶ ଚନ୍ଦ୍ର ଥନାପତି ଧନ୍ୟବାଦ ଅର୍ପଣ କରିଥିଲେ ା