ଉଛୁଳିଲା କୋଏଲ ନଦୀ: ୮୦ ପରିବାର ବାହ୍ୟଜଗତରୁ ବିଚ୍ଛିନ୍ନ

କୁଆଁରମୁଣ୍ଡା,୧୬ା୯(ଡି.ଏନ୍‌.ଏ.): ଲଗାଣ ବର୍ଷାରେ ସୁନ୍ଦରଗଡ଼ ଜିଲାରେ ପ୍ରବାହିତ ବିଭିନ୍ନ ନଦୀ ଏବେ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି। ଏଥିଯୋଗୁ ନଦୀଗୁଡିକ କୂଳ ଲଙ୍ଘି ନିକଟବର୍ତ୍ତୀ ଗ୍ରାମ ଓ ବସ୍ତିରେ ବନ୍ୟାଜଳ ପ୍ରବେଶ କରିଛି। ବିଶେଷକରି ବ୍ରାହ୍ମଣୀ ନଦୀର ୨ଟି ଶାଖା ନଦୀ ଶଙ୍ଖ ଓ କୋଏଲର ଜଳ ପତ୍ତନ ବେଶ୍‌ ବୃଦ୍ଧି ପାଇବାରୁ ବ୍ରାହ୍ମଣୀ ନଦୀର ଜଳପତ୍ତନ ମଧ୍ୟ ବିପଦ ସଙ୍କେତ ଉପରେ ରହିଛି। ଗୁରୁବାର ମଧ୍ୟାହ୍ନ ସୁଦ୍ଧା କୋଏଲ ନଦୀର ଜଳପତ୍ତନ ବୃଦ୍ଧି ପାଇବାରୁ କୁଆଁରମୁଣ୍ଡା ବ୍ଲକର କୁଆଁରମୁଣ୍ଡା ପଞ୍ଚାୟତ ଅନ୍ତର୍ଗତ ଚଇନପୁର ଗ୍ରାମ ସମ୍ପୂର୍ଣ୍ଣଭାବେ ଜଳବନ୍ଦୀ ହୋଇଯାଇଛି। ଫଳରେ ସେଠାରେ ବସବାସ କରୁଥିବା ୮୦ଟି ପରିବାରର ପ୍ରାୟ ସାଢ଼େ ୩ଶହ ଲୋକ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଛନ୍ତି। ଉକ୍ତ ଗ୍ରାମବାସୀ  ସେମାନଙ୍କର ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ କିଣାକିଣି ପାଇଁ କୁଆଁରମୁଣ୍ଡା ବଜାରକୁ ଆସିଥାନ୍ତି। ହେଲେ କୋଏଲ ନଦୀ ବନ୍ୟାଜଳ ଦ୍ୱାରା ଉକ୍ତ ଗ୍ରାମଟି ଜଳବନ୍ଦୀ ହୋଇଯାଇଥିବାରୁ ଲୋକଙ୍କ ଯାତାୟାତ ସମ୍ପୂର୍ଣ୍ଣ ଭାବେ ବନ୍ଦ ହୋଇଯାଇଛି। ଚଇନପୁର ଗ୍ରାମର ଶତପ୍ରତିଶତ ଲୋକେ ଗରିବ ତଫସିଲଭୁକ୍ତ ଜାତି, ଜନଜାତି ସମ୍ପ୍ରଦାୟର ଅଟନ୍ତି। ପ୍ରତିଦିନ ପରିବାର ପ୍ରତିପୋଷଣ ନିମନ୍ତେ ସେମାନେ କୁଆଁରମୁଣ୍ଡାର ବିଭିନ୍ନ କଳକାରଖାନା ତଥା ଅନ୍ୟାନ୍ୟ କାମରେ ଆସିଥାନ୍ତି। ଏ ଦିଗରେ ପ୍ରଶାସନ ସେମାନଙ୍କ ନିକଟରେ ଆବଶ୍ୟକ ଖାଦ୍ୟ ସାମଗ୍ରୀ ପହଞ୍ଚାଇବା ସହ ବିପଦରେ ଥିବା ପରିବାରଗୁଡ଼ିକୁ ଉଦ୍ଧାର କରିବା ପାଇଁ କୁଆଁରମୁଣ୍ଡା ସରପଞ୍ଚ ସୁଷମାକାନ୍ତି କିଣ୍ଡୋ,ସାମାଜିକ କର୍ମୀ ଅର୍ଜୁନ ମିଞ୍ଜ ପ୍ରମୁଖ ଦୃଢ଼ ଦାବି କରିଛନ୍ତି।