Categories: ଫୁରସତ

ଏହି ଦେଶର ରାଜା ପ୍ରତିବର୍ଷ କରିଥାନ୍ତି ବିବାହ: କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ରାଜତନ୍ତ୍ର ବ୍ୟବସ୍ଥା ବହୁ ପୂର୍ବରୁ ବନ୍ଦ ହୋଇଥିଲେ ମଧ୍ୟ ଆଫ୍ରିକାରେ ଏପରି ଏକ ଦେଶ ଅଛି, ଯେଉଁଠାରେ ପୂର୍ଣ୍ଣ ଭାବରେ ରାଜକୀୟ କ୍ଷମତାରେ ଚାଲିଥାଏ। ଏହି ଦେଶର ନାମ ସ୍ବାଜିଲାଣ୍ଡ୍‌‌। ୨୦୧୮ରେ ୫୦ ବର୍ଷର ସ୍ବାଧୀନତା ପୂର୍ତ୍ତି ଉପଲକ୍ଷେ ଏଠାକାର ରାଜା ଦେଶର ନାମକୁ ‘ଦ କିଙ୍ଗ୍‌ଡମ୍‌ ଅଫ୍‌ ଇସ୍ବାତିନି’କୁ ପରିବର୍ତ୍ତନ କରିଛନ୍ତି। ଏହି ଦେଶରେ ପ୍ରତିବର୍ଷ ଅଗଷ୍ଟ-ସେପ୍ଟେମ୍ବର ମାସରେ ରାଣୀଙ୍କ ମାତା ଲୁଦ୍‌ଜିନିନିଙ୍କ ରାଜ ଗ୍ରାମରେ ‘ଉହ୍ମଲାଙ୍ଗା ସେରିମନି’ (ଏକ ବିବାହ ଉତ୍ସବ) ଅନୁଷ୍ଠିତ ହୋଇଥାଏ, ଯେଉଁଥିରେ ୧୦ ହଜାରରୁ ଅଧିକ କୁମାରୀମାନେ ଭାଗ ନେଇଥାନ୍ତି। ଉକ୍ତ ପର୍ବରେ କୁମାରୀମାନେ ରାଜାଙ୍କ ଆଗରେ ନୃତ୍ୟ କରିଥାନ୍ତି। ଏହି କୁମାରୀମାନଙ୍କ ମଧ୍ୟରୁ ରାଜା ତାଙ୍କର ନୂତନ ରାଣୀ ବାଛିଥାନ୍ତି।


ଇସ୍ବାତିନିର ମୋଟ୍‌ ଜନସଂଖ୍ୟା ପ୍ରାୟ ୧.୩ ନିୟୁତ। କିନ୍ତୁ ଏହି ଦେଶର ଜନସଂଖ୍ୟାର ୬୩ ପ୍ରତିଶତ ଦାରିଦ୍ର ସୀମାରେଖା ତଳେ ବାସ କରୁଛନ୍ତି। କିନ୍ତୁ ଏଠାକାର ରାଜା ବିଳାସପୂର୍ଣ୍ଣ ଜୀବନ ଅତିବାହିତ କରନ୍ତି। ତାଙ୍କର ଧନ ମଧ୍ୟ ଦିନକୁ ଦିନ ବଢ଼ିଚାଲିଛି। ସେ ବିଶ୍ୱର ସବୁଠାରୁ ଧନୀ ରାଜାଙ୍କ ମଧ୍ୟରେ ଗଣା ଯାଇଥାନ୍ତି। ତାଙ୍କ ନିକଟରେ ୧୪ ବିଲିୟନରୁ ଅଧିକ ସମ୍ପତ୍ତି ରହିଛି। ୧୯ଟି ରୋଲ୍ସ ରୟସ, ୨୦ଟି ମର୍ସିଡିଜି ଏବଂ ୧୨ଟି ବିଏମ୍‌ଡବ୍ଲ୍ୟୁ ପରି ଦାମୀ ଗାଡ଼ି ରହିଛି।

ଏହି ରାଜାଙ୍କ ନାମ ତୃତୀୟ ମସ୍ବାତୀ। ଏପ୍ରିଲ ୧୯୮୬ରେ ରାଜଗାଦି ଗ୍ରହଣ କରିଥିଲେ। ସେହି ସମୟରେ ତାଙ୍କର ବୟସ କେବଳ ୧୮ ବର୍ଷ ଥିଲା। ସେତେବେଳେ ସେ ବିଶ୍ୱର ସବୁଠାରୁ କନିଷ୍ଠ ଶାସକ ଥିଲେ। ରାଜା ମସ୍ବାତୀ ଏ ପର୍ଯ୍ୟନ୍ତ ୧୫ଟି ବିବାହ କରିଛନ୍ତି। ତାଙ୍କର ୨୩ ସନ୍ତାନ ଅଛନ୍ତି। ତେବେ କେବଳ ତାଙ୍କର ପ୍ରଥମ ଦୁଇ ସ୍ତ୍ରୀଙ୍କୁ ରାଣୀ ମାନ୍ୟତା ମିଳିଛି।
ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି ୨୦୧୫ରେ ରାଜା ମସ୍ବାତୀ ଭାରତ-ଆଫ୍ରିକା ସମ୍ମିଳନୀରେ ଭାଗ ନେବାକୁ ଭାରତ ଆସିଥିଲେ। ରାଜାଙ୍କ ସହ ତାଙ୍କର ୧୫ ସ୍ତ୍ରୀ, ପିଲା ଏବଂ ୧୦୦ ସେବକ ଆସିଥିଲେ। ତାଙ୍କୁ ଦିଲ୍ଲୀର ଏକ ପଞ୍ଚତାରକା ହୋଟେଲରେ ରଖାଯାଇଥିଲା। ଯେଉଁଥିରେ ତାଙ୍କ ପାଇଁ ୨୦୦ ରୁମ୍‌ ବୁକ୍‌ କରାଯାଇଥିଲା।

Share