ଖରିଫ ଧାନ ସଂଗ୍ରହ ପଞ୍ଜୀକରଣ ଅବଧି ସେପ୍ଟେମ୍ବର ୭କୁ ବଢ଼ିଲା

ଭୁବନେଶ୍ୱର,୧।୯(ବ୍ୟୁରୋ): ଖରିଫ୍‌ ଧାନ ସଂଗ୍ରହ ନିମନ୍ତେ ଚାଷୀମାନଙ୍କ ନାମ ପଞ୍ଜୀକରଣ ଅବଧି ଅଗଷ୍ଟ ୩୧ରୁ ସେପ୍ଟେମ୍ବର ୭କୁ ବୃଦ୍ଧି କରାଯାଇଛି। ରାଜ୍ୟର ବନ୍ୟା ପରିସ୍ଥିତି ଏବଂ କୋଭିଡ୍‌-୧୯ ସ୍ଥିତିକୁ ଦୃଷ୍ଟିରେ ରଖି ଚାଷୀମାନଙ୍କ ନାମ ପଞ୍ଜୀକରଣ ସମୟସୀମା ବୃଦ୍ଧି କରାଯାଇଛି ବୋଲି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ କହିଛନ୍ତି। ଯେଉଁ ଚାଷୀମାନେ ବନ୍ୟା ଏବଂ କୋଭିଡ୍‌-୧୯ ସ୍ଥିତି ଯୋଗୁ ସେମାନଙ୍କ ନାମ ପଞ୍ଜୀକରଣ କରିପାରି ନାହାନ୍ତି, ସେମାନେ ବର୍ଦ୍ଧିତ ସମୟସୀମା ମଧ୍ୟରେ ନାମ ପଞ୍ଜୀକରଣ କରିନେବା ପାଇଁ ମନ୍ତ୍ରୀ ସ୍ବାଇଁ କହିଛନ୍ତି। ଖରିଫ୍‌ ଧାନ ସଂଗ୍ରହ ନମିନ୍ତେ ସୋମବାର ସୁଦ୍ଧା ମୋଟ ୧୧ ଲକ୍ଷ ୪୪ ହଜାର ଚାଷୀ ସେମାନଙ୍କ ନାମ ପଞ୍ଜୀକରଣ କରିସାରିଛନ୍ତି। ରାଜ୍ୟର ମୋଟ ୨୮୫୨ ପ୍ରାଥମିକ କୃଷି ସମବାୟ ସମିତିରେ ନାମ ପଞ୍ଜୀକରଣ କାର୍ଯ୍ୟ କରାଯାଉଛି।