ସାଧୁସନ୍ଥଙ୍କ ମେଳରେ ଖଣ୍ଡଗିରି କୁମ୍ଭମେଳା ଆରମ୍ଭ

ଭୁବନେଶ୍ୱର, ୮।୨ (ବ୍ୟୁରୋ): ସୋମବାର ମାଘ ସପ୍ତମୀରୁ ଆରମ୍ଭ ହୋଇଛି ପ୍ରସିଦ୍ଧ ଖଣ୍ଡଗିରି କୁମ୍ଭ ମେଳା। ସାଧୁସନ୍ଥଙ୍କ ସମାଗମ ସହ ପ୍ରଭୁ ଅନନ୍ତକେଶରୀ ଦେବଙ୍କ ଆଗମନରେ ଚଳଚଞ୍ଚଳ ହୋଇପଡ଼ିଛି ପୂରା ଅଞ୍ଚଳ। ଶଙ୍ଖ ଧ୍ୱନି ସହ ଘଣ୍ଟଘଣ୍ଟା ଶବ୍ଦରେ ସୃଷ୍ଟି ହୋଇଛି ଆଧ୍ୟାତ୍ମିକ ପରିବେଶ। ତେବେ କରୋନା କଟକଣା ପାଇଁ ଗତବର୍ଷ ଭଳି ଚଳିତ ବର୍ଷ ମଧ୍ୟ ମେଳାରେ ସେପରି କୋଳାହଳ ଓ ଉତ୍ସାହ ଦେଖିବାକୁ ମିଳିନାହିଁ। ଯାତ୍ରା ପରିବେଷଣକୁ ବାରଣ ରହିଛି। କେବଳ ସାଧୁସନ୍ଥଙ୍କ ପୂଜାର୍ଚ୍ଚନା ଓ ହୋମ ଯଜ୍ଞରେ ମେଳା ଆୟୋଜନ କରାଯାଉଛି।
ମାଘ ସପ୍ତମୀରୁ ମାଘ ପୂର୍ଣ୍ଣମୀ ପର୍ଯ୍ୟନ୍ତ ୯ଦିନ ବ୍ୟାପୀ ଖଣ୍ଡଗିରି ମେଳା ଆୟୋଜିତ ହୁଏ। ମାତ୍ର ଏବର୍ଷ ଏହି ମେଳା ୧୦ଦିନ ଧରି ଚାଲିବ। ତେବେ ମେଳାର ପ୍ରଥମ ଦିନ ସୋମବାର ଅଙ୍କୁରା ରୋପଣ କରାଯାଇଛି। ସନ୍ଧ୍ୟା ୬ଟାରେ ଅନନ୍ତକେଶରୀ ଦେବ ଜାଗମରା ଗ୍ରାମରୁ ବାହାରି ରାତି ୧୦ଟା ମଧ୍ୟରେ ଖଣ୍ଡଗିରି ପାହାଡ଼ ଶୀର୍ଷରେ ଥିବା ରାଣୀ ହଂସପୁରରେ ପହଞ୍ଚତ୍ ରତ୍ନବେଦୀରେ ଅବସ୍ଥାନ କରିଛନ୍ତି। ପ୍ରତିବର୍ଷ ଜାକଜମକରେ ବିଭିନ୍ନ ବାଦ୍ୟ ଶୋଭାଯାତ୍ରାରେ ଠାକୁର ରାଣୀହଂସପୁରକୁ ଯାତ୍ରା କରୁଥିବାବେଳେ ଏଥର କେବଳ ଶଙ୍ଖ ଓ ଘଣ୍ଟଘଣ୍ଟାରେ ଶୋଭାଯାତ୍ରା ବାହାରିଥିଲା। ମଙ୍ଗଳବାର ଅଷ୍ଟମୀରେ ଘଟ ଆବାହନ କରାଯାଇ ଯଜ୍ଞ ଆରମ୍ଭ ହେବ। ସେହିପରି ୧୫ ତାରିଖରେ ସାଧୁସନ୍ଥଙ୍କ ଧର୍ମ ସମ୍ମିଳନୀ ଓ ପୂର୍ଣ୍ଣମୀ ଦିନ ରାତିରେ ପୂର୍ଣ୍ଣାହୁତି ଦିଆଯିବ ବୋଲି ସୂଚନା ଦିଆଯାଇଛି। ମେଳାରେ ଓଡ଼ିଶା ବାହାରୁ ହରିଦ୍ୱାର, କାଶୀ, ବନାରସ, ଗୁଜରାଟ, ନାସିକ ଆଦି ବିଶ୍ୱର ବିଭିନ୍ନ ପ୍ରାନ୍ତରୁ ବହୁ ସାଧୁ ଆସି ଯୋଗ ଦେଇଛନ୍ତି। ଓଡ଼ିଶାର ବିଭିନ୍ନ ଆଶ୍ରମ ସମେତ ଜୁନା ଆଖଡ଼ା, ନାଗା ଆଖଡ଼ା, ଭାରତୀ ଆଖଡ଼ା, ଉତ୍କଳ ପଞ୍ଚସଖା ଭଗବତୀ ଆଖଡ଼ାରୁ ସାଧୁସନ୍ଥ ଏଠାକୁ ଆସୁଛନ୍ତି। ୨ଶହ ସାଧୁସନ୍ଥଙ୍କ ସମାଗମ ନିମନ୍ତେ ଅନୁମତି ମିଳିଥିବାବେଳେ ସୋମବାର ସନ୍ଧ୍ୟାସୁଦ୍ଧା ପ୍ରାୟ ୧୦୦ଜଣ ସାଧୁସନ୍ଥଙ୍କ ଆଗମନ ହୋଇଛି। ସେମାନେ ଖଣ୍ଡଗିରି ଏବଂ ଉଦୟଗିରିରେ ଥିବା ୫ଟି କୁଣ୍ଡରେ ସ୍ନାନ କରିବା ପରେ ପାହାଡ଼ର ବିଭିନ୍ନ ସ୍ଥାନରେ ନିଜ ନିଜର ଘଟ ସ୍ଥାପନ କରି ହରିନାମ ଜପ ଆରମ୍ଭ କରିଛନ୍ତି।