Categories: ଜାତୀୟ

ଆମେ ଫିଲ୍ମ ଉପରେ କୌଣସି ପ୍ରତିବନ୍ଧକ ଲଗାଇନାହୁଁ: ସୁପ୍ରିମକୋର୍ଟଙ୍କୁ କହିଲେ ତାମିଲନାଡୁ ସରକାର

ନୂଆଦିଲ୍ଲୀ,୧୬।୫: ଫିଲ୍ମ ‘ ଦ କେରଲା ଷ୍ଟୋରି’ ରିଲିଜ ହେବା ପରଠୁ ବିବାଦରେ ରହିଛି। କେତେକ ଏହି ଫିଲ୍ମକୁ ସମର୍ଥନ କରୁଥିବା ବେଳେ ଅନ୍ୟକେତେକ ଫିଲ୍ମ ସମର୍ଥନରେ ନାହାନ୍ତି। ତେବେ ପଶ୍ଚିମବଙ୍ଗ ସରକାର ଏହି ଫିଲ୍ମକୁ ବ୍ୟାନ କରିଥିବା ବେଳେ ତାମିଲନାଡୁରେ ମଧ୍ୟ ସ୍କ୍ରିନିଂ ଉପରେ ରୋକ ଲଗାଯାଇଛି। ଯାହାକୁ ବିରୋଧ କରି ଫିଲ୍ମର ନିର୍ମାତା ସୁପ୍ରିମକୋର୍ଟରେ ଏକ ପିଟିସନ ଦାଖଲ କରିଥିଲେ। ପିଟିସନର ଶୁଣାଣି କରି ସୁପ୍ରିମକୋର୍ଟ ୨ ରାଜ୍ୟ ସରକାରଙ୍କୁ ଫିଲ୍ମ ବ୍ୟାନକୁ ନେଇ ଜବାବ ମାଗିଥିଲେ। ଏହି ସମୟରେ ତାମିଲନାଡୁ ସରକାର ସୁପ୍ରିମକୋର୍ଟଙ୍କୁ କହିଛନ୍ତି, ସିନେମା ହଲ ମାଲିକଙ୍କ ଉପରେ ଫିଲ୍ମ ‘ ଦ କେରଲା ଷ୍ଟୋରି’ ନ ଦେଖାଇବାକୁ କୌଣସି ଚାପ ପକାଯାଇନାହିଁ।

ସରକାରଙ୍କ କହିବାନୁସାରେ, ଫିଲ୍ମ ନିର୍ମାତାମାନେ ମିଥ୍ୟା ବିବୃତ୍ତି ଦେଇଛନ୍ତି ଯେ ରାଜ୍ୟ ସରକାର ଏହି ଫିଲ୍ମର ସ୍କ୍ରିନିଂ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ତାମିଲନାଡୁ ସରକାର ଦାଖଲ କରିଥିବା ଆଫିଡେଭିଟ୍‌ରେ କୁହାଯାଇଛି, ରାଜ୍ୟରେ ଫିଲ୍ମ ଦେଖାଇବାକୁ ବାରଣ କରାଯାଇଥିବା ଫିଲ୍ମ ନିର୍ଦ୍ଦେଶକଙ୍କ ଯୁକ୍ତି ଭୁଲ ଅଟେ। ଏହା ସହ ସରକାର କହିଛନ୍ତି, ରାଜ୍ୟରେ ଫିଲ୍ମ ନ ଦେଖାଇବା ପାଇଁ କୌଣସି ଚାପ ସୃଷ୍ଟି କରାଯାଇନାହିଁ ଏବଂ ସ୍କ୍ରିନିଂ ମଧ୍ୟ ବନ୍ଦ କରାଯାଇନାହିଁ।

 

Share